ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶାକ୍ତ ତନ୍ତ୍ର ଧାରାର ଏକ ବଳିଷ୍ଠା ଦେବୀ ‘ମାଁ ବିମଳା’ଙ୍କ ନବରାତ୍ର ପୂଜା ଅବସରରେ ଅଷ୍ଟମୀ ତିଥିରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରାକ୍ସି ଗ୍ରାମରେ ଥିବା ମାଁ ବିମଳାଙ୍କ ମନ୍ଦିରରେ ଏନେଇ ରବିବାର ସ୍ବତନ୍ତ୍ର ପୂଜା ସହ ଝାମୁଯାତ୍ରା ପାଳିତ ହୋଇଥିଲା। ଦେବୀଙ୍କ ପୂଜାରୀ ଶଙ୍କର ପୋଢ ଓ ଶଙ୍କର ଭୋଇଙ୍କ ଶରୀରରେ ଦେବୀ ବିମଳା ଓ ଦେବୀ ପାଟଖଣ୍ଡା ଆବିର୍ଭୁତ ହୋଇ ଭକ୍ତଜନଙ୍କୁ ଦର୍ଶନ ଦେଇଥିଲେ। ଏହାସହ ଏହି ପୀଠରେ ବୁଢ଼ିମା, ଠାକୁରାଣୀ ଓ ଡଙ୍ଗର ଦେବତାଙ୍କ ପୂଜା ମଧ୍ୟ ହୋଇଥିଲା। ଦେବୀମାନେ ଜ୍ଵଳନ୍ତ ଅଙ୍ଗାରରେ ପ୍ରସ୍ତୁତ ଖନ୍ଦାରେ ଚାଲିବାସହ କଣ୍ଟା ଦୋଳିରେ ବସି ନିଜ ଶକ୍ତିର ପରିଚୟ ଦେଇଥିଲେ। ମାନସିକ ପୂରଣ ହୋଇଥିବାରୁ ଅନେକ ଲୋକ ମାଁ ବିମଳାଙ୍କ ପାଖରେ ବଳି ଅର୍ପଣ କରିଥିଲେ। ଏଥିରେ ଦେବୀଙ୍କ ସେବାୟତ ତଥା ରାକ୍ସି ଗାଁ ଗୈାନ୍ତିଆ ରାଜେନ୍ଦ୍ର ପ୍ରସାଦ ଭୋଇ, ଜନକ ଭୋଇ, ଲମ୍ବୋଦର ଭୋଇ, କମଳାକାନ୍ତ ଭୋଇ, କୁଶ ଭୋଇ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ, ଲିଙ୍ଗରାଜ ପୋଢ, ପିତାମ୍ବର ପୋଢ, ତ୍ରିଲୋଚନ ପୋଢ, କାଲିଆ ପୋଢ, କେଶବ ପୋଢ, ବିଶମ୍ବର ପୋଢ, ଦାଶରଥି ପୋଢ, ଭୀମ ଧଙ୍ଗଡାମାଝୀ, ଟିକେରାମ ଗଉଡ, ପ୍ରେମ ଗଉଡ, ଜଳନ୍ଧର ନାଗ, ଗଣେଶ ଘିଭେଲା ପ୍ରମୁଖ ଯାଦବ ସଂପ୍ରଦାୟର ସେବାୟତମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମାଁ ବିମଳା ଏକ ପ୍ରତ୍ୟକ୍ଷ ଦେବୀ ଭାବରେ ଏହି ଅଞ୍ଚଳର ଜନ ମାନସରେ ଆରଧିତ ହୋଇଥାନ୍ତି। ଦେବୀଙ୍କ ପ୍ରତି ପ୍ରଗାଢ ବିଶ୍ୱାସ ଓ ଭକ୍ତି ଯୋଗୁଁ ବହୁ ଦୂର ଦୂରାନ୍ତରରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସି ଝାମୁ ଯାତ୍ରାରେ ସାମିଲ ହୋଇଥିଲେ।