ସୁନାମୁଖି ଶାନ୍ତିବନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ ଯୋର ଧରିଲା ଦାବି

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତର ମହଗାଁଠାରେ ଥିବା ସୁନାମୁଖି ଶାନ୍ତିବନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଅନେକ ବର୍ଷରୁ ହୋଇ ଆସୁଥିବା ଦାବି ଏବେ ତୀବ୍ରତର ହୋଇଛି । ଏହି ସ୍ଥାନ କେସିଙ୍ଗା ଓ ନର୍ଲା ବ୍ଲକ ମୁଖ୍ୟାଳୟରୁ ୧୯ କିମି ଓ ଭବାନୀପାଟଣାରୁ ୨୯ କିମି ଦୂରରେ ରହିଛି । ଏହି ଅଞ୍ଚଳର ଆଖପାଖରେ କୈାଣସି ପର୍ଯ୍ୟଟନସ୍ଥଳୀ ନାହିଁ । ତେଣୁ ସୁନାମୁଖି ଶାନ୍ତିବନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାପାଇଁ ପ୍ରବଳ ଦାବି ହେଉଛି । କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତରେ ଥିବା ସୁନାମୁଖି ଶାନ୍ତିବନର ଚାରିଆଡେ ସବୁଜ ବନାନୀ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପୁରା ପରିବେଶ । ଐତିହାସିକ ଦୃଷ୍ଟିକୋଣରୁ ଏହି ସ୍ଥାନ ପୂର୍ବେ ଅସୁରଗଡ ଦୁର୍ଗ (ଖ୍ରୀଷ୍ଟପୂର୍ବ ନବମ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ଦ୍ବିତୀୟ ଶତାବ୍ଦୀ)ର ଲବଣପଥ ସହ ସଂଯୁକ୍ତ ହୋଇଥିଲା । ଏହି ପଥ ଦେଇ ବାଣିଜ୍ୟ କାରବାର ହେଉଥିଲା । ଲୋକଶୃତି ଅନୁସାରେ ଅସୁରଗଡରେ ଗୋସିଙ୍ଗ ଦୈତ୍ୟ ନାମରେ ଜଣେ ଶକ୍ତିଶାଳୀ ରାଜା ରାଜୁତି କରୁଥିଲେ । ସେ ଦେବଗିରିର ଗୁମ୍ଫା ଭିତରେ ଶିବ ଆରଧନା କରୁଥିବାବେଳେ ଏହି ସୁନାମୁଖି ଶାନ୍ତିବନ ଅଞ୍ଚଳରେ ଜନ୍ତୁ ଶିକାର ସହ ବନବିହାର କରୁଥିଲେ । ଶାରଳା ଦାସ ମହାଭାରତରେ ଗୋସିଙ୍ଗ ଦୈତ୍ୟ ବଧ ନାମରେ ଏକ ଆଖ୍ୟାନ ଲେଖିଛନ୍ତି । ଏପରି ଏହି ସ୍ଥାନର ମହତ୍ତ୍ଵ ଐତିହାସିକ, ପୌରାଣିକ ଓ କିମ୍ବଦନ୍ତୀ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ । ତେବେ ସମୟର ନିଷ୍ଠୁର ପଟ୍ଟ ପରିବର୍ତ୍ତନ ଯୋଗୁଁ ଏହି ସ୍ଥାନ ତା’ର ପୂର୍ବ ଗୈାରବ ହରାଇ ବସିଛି । ଏଠାରେ ଥିବା ସନ୍ଥ ନିରଞ୍ଜନ ବାବାଙ୍କ ମଠ ଜରାଜୀର୍ଣ୍ଣ ହୋଇ ପଡ଼ି ରହିଥିଲା । ଏହାସହ ମଦ୍ୟପମାନେ ଏହି ସ୍ଥାନରେ ଆଡ୍ଡା ଜମାଇ ପରିବେଶକୁ କଳୁଷିତ କରି ଦେଇଥିଲେ । ସୁନାମୁଖି ଶାନ୍ତିବନ କମିଟି, ଆଦିବାସୀ ମହିଳା କମିଟି ଓ ମହଗାଁ ଗ୍ରାମବାସୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହି ସ୍ଥାନ ଦୀର୍ଘ ୩୦ ବର୍ଷ ପରେ ଏକ ମନୋରମ ସ୍ଥାନରେ ପରିଣତ ହୋଇଛି ।  ସୁନାମୁଖି ଶାନ୍ତିବନ କମିଟି, ଆଦିବାସୀ ମହିଳା କମିଟି ଓ ମହଗାଁ ଗ୍ରାମବାସୀ ନିଜ ନିଜ ମଧ୍ୟରେ ଚାନ୍ଦା ସଂଗ୍ରହ କରି ସତ୍ୟ ମହିମା ଆଶ୍ରମ ନିର୍ମାଣ କରିବାସହ ସୁନାମୁଖି ମଞ୍ଚ ଓ ପର୍ଯ୍ୟଟକ ମାନଙ୍କ ସାମୟିକ ବିଶ୍ରାମ ପାଇଁ ପିଣ୍ଡି ସବୁ ନିର୍ମାଣ କରିଛନ୍ତି । ଏହାସହ ଯାତ୍ରୀମାନଙ୍କ ସୁବିଧା ପାଇଁ ଏଠାରେ ଏକ କଲ୍ୟାଣ ମଣ୍ଡପ ମଧ୍ୟ ନିର୍ମାଣ ହୋଇଛି । ପୂର୍ବେ ଏହି ସ୍ଥାନ ଅସାମାଜିକ ଲୋକମାନଙ୍କର ଆଡ୍ଡା ବନିଥିବାରୁ ଏହି ରାସ୍ତାଦେଇ ଲୋକେ ଯିବା ଆସିବା କରିବାପାଇଁ ଡରୁଥିଲେ ବର୍ତ୍ତମାନ ଏହା ଗମନାଗମନ ପାଇଁ ଉତ୍ତମ ମାର୍ଗ ପାଲଟିଛି ।  ନିଜର ଶ୍ରମ ଓ ଅର୍ଥଦାନରେ ଏହି ଦୁଇ କମିଟି ଓ ଗ୍ରାମବାସୀମାନେ ପ୍ରକୃତିର ଉତ୍ତମ ସଂରକ୍ଷଣ କରିପାରିଛନ୍ତି । ତେବେ ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏଭଳି  ସ୍ଥାନର ଉନ୍ନତି ସହ ସୁନାମୁଖି ଶାନ୍ତିବନକୁ ଏକ ପର୍ଯ୍ୟଟନ ପୀଠର ମାନ୍ୟତା ଦେବାକୁ ଦାବି କରିଛନ୍ତି ଦେଓଗାଁ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ, କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, ଗାଇଗାଁ ସରପଞ୍ଚ ପ୍ରମୋଦ କୁମାର ସାହୁ ଓ ସମିତି ସଭ୍ୟ ଭୂବନେ ଶବର, ଗୋକୁଳେଶ୍ବର ସରପଞ୍ଚ କେଶୁଲାଲ ତାଣ୍ଡି ଓ ସମିତି ସଭ୍ୟା ସୂର୍ଯ୍ୟକାନ୍ତି ନାଏକ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ ଓ ସମିତି ସଭ୍ୟ ଭାଷ୍କର ଭୋଇ, ଉଲିକୁପା ସରପଞ୍ଚ ଦୀପାଞ୍ଜଳୀ ଶବର ଓ ସମିତି ସଭ୍ୟା ନିଳାଦ୍ରୀ ସାହୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବିଶିଷ୍ଟ ନାଟ୍ୟଗୁରୁ କେଶରୀ ଶବର, ବିଶିଷ୍ଟ ବ୍ୟକ୍ତି ଅନିରୁଦ୍ଧ ହରିଜନ ଓ ମୋହନ ଶବର, ଦେଓଗାଁ ପଞ୍ଚାୟତର ୪ଜଣ ପୂର୍ବତନ ସରପଞ୍ଚ ଉମାକାନ୍ତ ଶବର, ପାନପତ୍ରୀ ରଣା, ସାଧୁରାମ ଭୋଇ ଓ ଚମ୍ପେଶ୍ବରୀ ମାଝୀ, ଦେଓଗାଁ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଗଜେନ୍ଦ୍ର ଶବର ଓ ଗାଇଗାଁର ପୂର୍ବତନ ସରପଞ୍ଚ ବିଜୟ ଶବର, ଜୋନ୍-୩ ଜିଲ୍ଲା ପରିଷଦ ସଦସ୍ଯା ସୁନିତା ଶବର, କୁଣ୍ଡାବନ୍ଧ ସମିତି ସଭ୍ୟ ତଥା ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ଆଦିବାସୀ ପଞ୍ଚାୟତ ସ୍ତରୀୟ କଲ୍ୟାଣ ସଂଘର ସଭାପତି ବିଦ୍ୟାଧର ଶବର, ବ୍ୟବସାୟୀ ଡିପୁ ଶବର, ଆଦିବାସୀ ନେତା ରମେଶ ଶବର, ସମାଜସେବୀ ମିଲନ ଭୋଇ, ବିଶିଷ୍ଟ ବ୍ୟକ୍ତି ଭାସ ଶବର, ସରିଆଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜନନୀ ଭୋଇ, ସମାଜସେବୀ ସୁରେଶ ଚନ୍ଦ୍ର ଭୋଇ ପ୍ରମୁଖଙ୍କ ସହ କେସିଙ୍ଗା ଓ ନର୍ଲା ବ୍ଲକର ହଜାର ହଜାର ସାଧାରଣ ଜନତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.