ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ବାଧିନତା ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଫୁଟବଲ ଆସୋସିଏସନ୍ ବିଶ୍ବନାଥପୁର ଆନୁକୂଲ୍ୟରେ ତ୍ରିଦିବସୀୟ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ପ୍ରଥମ ମ୍ୟାଚ୍ଟି କାଣ୍ଡାମା ବନାମ ଗୋପିନାଥପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋପିନାଥପୁର ୨-୧ ଗୋଲ୍ରେ କାଣ୍ଡାମାକୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଥିଲା। ସେହିପରି ଚମ୍ପାଦେଇପୁର ବନାମ କୁଟ୍ରୁପାଲି ମଧ୍ୟରେ ଅନୁଷ୍ଠିତ ଦ୍ଵିତୀୟ ମ୍ୟାଚ୍ରେ ଚମ୍ପାଦେଇପୁର ୨-୦ ଗୋଲ୍ରେ ବିଜୟୀ ହୋଇ ସେମିଫାଇନାଲ୍ରେ ପହଞ୍ଚିଥିଲା। ପରେ ଚମ୍ପାଦେଇପୁର ସହିତ ଗୋପିନାଥପୁର ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଦୁଇ ଦଳ ମଧ୍ୟରେ ସମାନ୍ତର ସ୍କୋର ରହିବାରୁ ଟାଏବ୍ରେକର ଖେଳାଯାଇଥିଲା। ଟାଏବ୍ରେକରେ ୧-୦ ଗୋଲ୍ରେ ବିଜୟୀ ହୋଇ ଚମ୍ପାଦେଇପୁର ଫାଇନାଲ୍ରେ ପ୍ରବେଶ କରିଛି। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେ଼ଇ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନୀତ ଅତିଥି ଭାବେ ବିଶ୍ବନାଥପୁର ସମିତି ସଭ୍ୟ ଅଜିତ ପ୍ରଧାନୀ, ପୂର୍ବତନ ଖେଳାଳୀ ବଟକୃଷ୍ଣ ପୁଷ୍ଟି, ତରୁଣ କୁମାର ଦାସ, ବିଶ୍ବନାଥପୁର ବିଜେପି ମଣ୍ଡଳ ସଭାପତି ତୁଳସୀ ରାମ ମାଝୀ, ଲାଞ୍ଜିଗଡ଼ ପିଇଡବ୍ଲ୍ୟୁ ମିଡିଆ ଆସୋସିଏସନ୍ ସଭାପତି ବି. ତିରୁପତି ପାତ୍ର, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ଲାଞ୍ଜିଗଡ଼ ପ୍ରେସ କ୍ଲବ ସଭାପତି ସୁଶିଲ କୁମାର ବାଗ, ଯୁବ ସମାଜସେବୀ ବିରଞ୍ଚି ପ୍ରଧାନୀ ପ୍ରମୁଖ ଯୋଗଦେଇ ଥଲେ। ଖେଳକୁ ମୁଖ୍ୟ ରେଫରୀ ଭାବେ କିଶୋର ଘଡେ଼ଇ ପରିଚାଳନା କରିଥିବା ବେଳେ ଶକ୍ତି ସୁନା ଓ ପିଙ୍କୁ ପାତ୍ର ଲାଇନ୍ ଜର୍ଜ ଭାବେ ଦାୟିତ୍ଵ ତୁଲାଇଥିଲେ। ପୂର୍ବତନ ଖେଳାଳୀ ଧବଳେଶ୍ଵର ଠେଲା, ଦଇତାରି ଘଡେ଼ଇ ଉକ୍ତ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ତେବେ ଆସନ୍ତା ଦିନଗୁଡ଼ିକରେ ଅନ୍ୟାନ୍ୟ ମ୍ୟାଚ୍ ଖେଳାଯିବା ପରେ ଆକର୍ଷଣୀୟ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି।





