ଆରଟିଓ କାର୍ଯ୍ୟାଳୟରେ ‘ଦଲାଲରାଜ’ ଅଭିଯୋଗ!

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟ ଆରଟିଓ କାର୍ଯ୍ୟାଳୟର ମନମୁଖୀ କାର୍ଯ୍ୟକଳାପ ଓ ଯାନବାହନ ଯାଞ୍ଚକୁ ନେଇ ଅଟୋ ଚାଳକ ସଂଘ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଏନେଇ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ଦେଇ ଘଟଣାର ତଦନ୍ତ ସହ ତୁରନ୍ତ ସମାଧାନ ଦାବି କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ଯାନବାହନ ଯାଞ୍ଚ ଓ ଜରିମାନା ଆଦାୟ କ୍ଷେତ୍ରରେ ସମାନ ନିୟମ ଲାଗୁ ହେଉନାହିଁ। “ବସ୍‌, ଟ୍ରାକ୍ଟର, ଟ୍ରକ୍‌, ଟ୍ୟାକ୍ସି ଓ କାର୍‌ ପାଇଁ ନିୟମ ନାହିଁ ବୋଧେ, କିନ୍ତୁ ଅଟୋ ପାଇଁ ହିଁ କାହିଁକି ଏତେ କଡ଼ା ନିୟମ?” ବୋଲି ପ୍ରଶ୍ନ ଉଠାଇଛନ୍ତି ଅଟୋ ଚାଳକମାନେ। ସଂଘର ଅଭିଯୋଗ ଆହୁରି ଗୁରୁତର। ଅନ୍ୟ ଯାନବାହନ ମାଲିକଙ୍କଠାରୁ କଥିତ ଭାବେ ମାସିକ ଚାନ୍ଦା ନିଆଯାଉଥିବାରୁ ସେମାନଙ୍କୁ ଯାଞ୍ଚରୁ ଛାଡ଼ ଦିଆଯାଉଛି, ଯେତେବେଳେ ଅଟୋ ଚାଳକମାନଙ୍କ ଉପରେ ନିୟମର ନାଁରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ଅଟୋ ଚାଳକମାନଙ୍କ କହିବା ଅନୁସାରେ, ଘରକୁ ଘର ଯାଇ ଠିଆ ହୋଇଥିବା ଅଟୋକୁ ମଧ୍ୟ ଫାଇନ୍‌ କରାଯାଉଛି। କେତେକ କ୍ଷେତ୍ରରେ ଗାଡ଼ି ଜବତ କରାଯାଉଥିବା ନେଇ ମଧ୍ୟ ସଂଘ ଅଭିଯୋଗ କରିଛି। ଏହାକୁ ନେଇ ଅଟୋ ଚାଳକମାନଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି—“ଏ କିପରି ନିୟମ? ଯଦି ନିୟମ ଅଛି, ତେବେ ସମସ୍ତ ଯାନବାହନ ପାଇଁ ସମାନ ଭାବେ ଲାଗୁ କରାଯାଉ।” ଅଟୋ ଚାଳକ ସଂଘର ଅଭିଯୋଗ ହେଉଛି, ଯଦି ଟ୍ରାଫିକ୍‌ ଓ ମୋଟର ଯାନ ନିୟମ ଉଲ୍ଲଂଘନ ନେଇ ଜରିମାନା କରାଯିବ, ତେବେ ଅଟୋ ସହ ବସ୍‌, ଟ୍ରାକ୍ଟର, ଟ୍ରକ୍‌, ଟ୍ୟାକ୍ସି ଓ କାର୍‌ ଭଳି ସମସ୍ତ ଯାନବାହନ ଉପରେ ସମାନ ଭାବରେ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। କେବଳ ଅଟୋକୁ ଟାର୍ଗେଟ୍‌ କରାଯାଉଥିଲେ ଏହା ନିରପେକ୍ଷ ନିୟମ ପ୍ରୟୋଗ ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।‌ ସେପଟେ ଆରଟିଓ କାର୍ଯ୍ୟାଳୟରେ କଥିତ ଦଲାଲରାଜକୁ ନେଇ ମଧ୍ୟ ଅଟୋ ଚାଳକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଲାଲଙ୍କ ମାଧ୍ୟମରେ କାମ କରାଇବା ଏବଂ ଅତିରିକ୍ତ ଟଙ୍କା ଆଦାୟ ଭଳି ଅଭିଯୋଗର ନିରପେକ୍ଷ ତଦନ୍ତ କରିବାକୁ ସଂଘ ଦାବି କରିଛି।‌ ଏବେ ମୁଖ୍ୟ ପ୍ରଶ୍ନ—ନିୟମ କଣ ସମସ୍ତଙ୍କ ପାଇଁ ସମାନ, ନା କେବଳ ଅଟୋ ଚାଳକଙ୍କ ପାଇଁ? ଅଟୋ ଚାଳକ ସଂଘ ଆଣିଥିବା ଅଭିଯୋଗର ସତ୍ୟତା ତଦନ୍ତ ହେଲେ ହିଁ ସାମ୍ନାକୁ ଆସିବ। ତେବେ ଏହି ଅଭିଯୋଗକୁ ନେଇ ସମ୍ପୃକ୍ତ ଆର. ଟି. ଓ ଅଧିକାରୀଙ୍କ ପକ୍ଷରୁ କି ପ୍ରତିକ୍ରିୟା ଆସୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.