ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାର ଆଇ:ଆଇ:ସି ତଥା ଥାନାଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତି’ଙ୍କୁ ପୋଲିସ ଡିଜି ତଥା ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଠାରୁ ତାଙ୍କର କର୍ମମୟ ସମୟରେ ନିଜର ଉତ୍କୃଷ୍ଟ ସେବା ପାଇଁ ତାଙ୍କୁ ପୋଲିସ ଡିଜି ଙ୍କ ପ୍ରଶଂସା ପତ୍ର ସମେତ ୨୦୨୫-୨୬ ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଡିସ୍କ ସମ୍ମାନ ପ୍ରଦାନ କରାଯାଇଛି । ଗତ ୧୨ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ପୋଲିସ ଭବନ ଠାରେ ଅନୁଷ୍ଠିତ ଆରକ୍ଷୀ ମହାନିର୍ଦ୍ଦେଶକ’ଙ୍କ ପଦକ ପ୍ରଦାନ ଉତ୍ସବ ସମାରୋହରେ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଆଇ:ଆଇ:ସି ଶ୍ରୀ ପ୍ରଶାନ୍ତ ଭୂପତିଙ୍କୁ ତାଙ୍କର ସେବା, କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏହି ପଦକ ଓ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି । କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ ଗତ ୯୧ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାରେ ୫୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଆଇ:ଆଇ:ସି ଶ୍ରୀ ପ୍ରଶାନ୍ତ ଭୂପତିଙ୍କ ନାମ ମଧ୍ୟ ଡିଜିପି ଡିସ୍କ ସମ୍ମାନ ପାଇବା ପାଇଁ ଘୋଷଣା ହୋଇଥିଲା ।
ଆଇ:ଆଇ:ସି ଶ୍ରୀ ଭୂପତି ଏହି ପ୍ରଶଂସନୀୟ ସମ୍ମାନ ପାଇବା ପରେ ସମଗ୍ର ପାରଳା ଅଞ୍ଚଳରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି । ବୁଦ୍ଧିଜୀବୀ, ସମାଜସେବୀ, ଗଣମାଧ୍ୟମ ବ୍ୟକ୍ତି ଓ ସାଧାରଣ ଜନତାଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଛୁଟିଚାଲିଛି ଶୁଭେଚ୍ଛାର ସ୍ରୋତ । ଏହି ଅବସରରେ ଆଇ:ଆଇ:ସି ଶ୍ରୀ ଭୂପତି କହିଛନ୍ତି ଯେ, ଏହି ସମ୍ମାନ ମୋର ଦାୟିତ୍ୱକୁ ଆହୁରି ଅଧିକ ବଢ଼ାଇ ଦେଇଛି। ଆଗାମୀ ଦିନରେ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ ପାରଳା ସହର ଓ ଥାନା ଅଞ୍ଚଳବାସୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ମୋର ପ୍ରାଥମିକତା ହେବ ବୋଲି କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଆଇ:ଆଇ:ସି ଶ୍ରୀ ଭୂପତି ପାରଳା ଥାନାଞ୍ଚଳରେ ଆଇନଶୃଙ୍ଖଳା, ଘଟଣାର ଉତ୍କୃଷ୍ଟ ତଦନ୍ତ, ଅପରାଧୀକୁ ଉପଯୁକ୍ତ ଦଣ୍ଡବିଧାନ ଓ ସାଇବର୍ ସୁରକ୍ଷା ସଚେତନତା ସମେତ ମଦ ଓ ଗଞ୍ଜେଇର ଚୋରା କାରବାରକୁ ରୋକିବା ଦିଗରେ ବ୍ୟାପକ ଧରପଗଡ ଅତ୍ୟନ୍ତ ସୁଚାରୁ ରୂପେ ନିଜର ଦାୟିତ୍ୱ ସଫଳତାର ସହ ତୁଲାଇ ଆସୁଛନ୍ତି।





