ଆଇପିଏଲ ୨୦୨୪ ପ୍ରସ୍ତୁତି ଆରମ୍ଭ, ଏଥର ଦୁବାଇରେ ହୋଇପାରେ ନିଲାମ ପ୍ରକ୍ରିୟା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚଳିତ ବିଶ୍ୱକପ ଅବସରରେ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣର ପ୍ରସ୍ତୁତି ଆରମ୍ଭ କରିଛି । ରିପୋର୍ଟ ମୁତାବକ ଉଭୟ ପୁରୁଷ ଓ ମହିଳା ଲିଗ ପାଇଁ ନିଲାମ ପ୍ରକ୍ରିୟା ଡିସେମ୍ବରରେ ଆୟୋଜିତ କରାଯିବ । ୧୫ରୁ ୧୯ ଡିସେମ୍ବର ପର୍ଯ୍ୟନ୍ତ ଏହି ନିଲାମ ପ୍ରକ୍ରିୟା ଦୁବାଇରେ ଆୟୋଜିତ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ତେବେ ବିସିସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ମହିଳା ଲିଗର ନିଲାମ ଭାରତରେ ହେବ । ଖେଳାଳିଙ୍କ ଟ୍ରେଣ୍ଡିଂ ୱିଣ୍ଡୋ ଖୋଲା ରହିଛି । ଏ ପର୍ଯ୍ୟନ୍ତ କୌଣସି ଫ୍ରାଂଚାଇଜ ସେମାନଙ୍କ ଖେଳାଳି ଅଦଳ ବଦଳ ପ୍ରକ୍ରିୟା ଆରମ୍ଭ କରି ନାହାନ୍ତି । ନିଲାମ ପୂର୍ବରୁ କିଛି ଦାମୀ ଖେଳାଳିଙ୍କ ଛୁଟି ହୋଇପାରେ ବୋଲି ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି । ଆସନ୍ତା ବର୍ଷ ଫେବୃୟାରୀରେ ଡବ୍ଲ୍ୟୁପିଏଲ ଖେଳାଯିବ । ଭାରତୀୟ ମହିଳା ଟିମ ଜାନୁୟାରୀ ମଧ୍ୟ ଭାଗ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ମ୍ୟାଚରେ ବ୍ୟସ୍ତ ରହିବେ । ଏହା ପରେ ମହିଳା ପ୍ରିମିୟର ଲିଗ ଖେଳାଯିବ । ଗତ ବର୍ଷ ଏହାର ସମସ୍ତ ମ୍ୟାଚ ମୁମ୍ବାଇରେ ହୋଇଥିଲା । ଏଥର ଭିନ୍ନ ଭିନ୍ନ ସ୍ଥାନରେ କିମ୍ବା ଗୋଟିଏ ସହରରେ ହେବ ତାହା ସ୍ପଷ୍ଟ ହୋଇନି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.