ବିଶ୍ୱକପରେ ଭାରତର କ୍ରମାଗତ ଷଷ୍ଠ ବିଜୟ, ୧୦୦ ରନରେ ହାରିଲା ଇଂଲଣ୍ଡ

ଓଡ଼ିଆ ବାର୍ତ୍ତା/ ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ରବିବାର ଭାରତ ୧୦୦ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ କ୍ରମାଗତ ୬ ମ୍ୟାଚରେ ବିଜୟ ହାସଲ କରି ଟିମ ଇଣ୍ଡିଆ ସେମିଫାଇନାଲ ପ୍ରବେଶ ଏକପ୍ରକାର ନିଶ୍ଚିତ କରିଛି । ରୋହିତ ଶର୍ମାଙ୍କ ୧୦୦ତମ ନେତୃତ୍ୱ ମ୍ୟାଚକୁ ସାଥୀ ଖେଳାଳିମାନେ ସ୍ମରଣୀୟ କରିଛନ୍ତି । ୨୩୦ ରନର ଲକ୍ଷ୍ୟକୁ ପିଛା କରି ଖରାପ ଫର୍ମରେ ଥିବା ଇଂଲଣ୍ଡ ୩୪.୫ ଓଭରରେ ୧୨୯ ରନ କରି ଅଲଆଉଟ ହୋଇଯାଇଛି । ଏଥିସହ ଇଂଲଣ୍ଡର ସେମିଫାଇନାଲ ପ୍ରବେଶ ଆଶା ନଷ୍ଟ ହୋଇଯାଇଛି ।

ରୋହିତଙ୍କ ଆକର୍ଷଣୀୟ ବ୍ୟାଟିଂ ପରେ ମହମ୍ମଦ ସାମୀ ଓ ଯଶପ୍ରୀତ ବୁମରାହ ଚମତ୍କାର ବୋଲିଂ କରି ଭାରତର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସାମୀ ୪ଟି ଏବଂ ବୁମରାହ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୂଲଦୀପ ଯାଦବ ୨ଟି ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ । ଇଂଲଣ୍ଡ ପକ୍ଷରୁ ଲିଆମ ଲିଭିଂଷ୍ଟୋନ ସର୍ବାଧିକ ୨୭ ରନ କରିଥିଲେ । ରୋହିତ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୨୩୦ ରନର ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଥିଲା । ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଯୋଗୁ ଭାରତ ଏକ ଆଭରେଜ ଟାର୍ଗେଟ ଦେଇପାରିଥିଲା । ରୋହିତ ୮୭ ରନ କରି ଶତକ ହାସଲ କରିପାରି ନ ଥିବା ବେଳେ ସୂର୍ଯ୍ୟକୁମାର ୪୯ ରନରେ ଆଉଟ ହୋଇଥିଲେ । କେଏଲ ରାହୁଲ ୩୯ ଓ ଯଶପ୍ରୀତ ବୁମରାହ ୧୬ ରନର ଇନିଂସ ଖେଳିଥିଲେ । ଶୁଭମନ ଗିଲ ୯, ବିରାଟ କୋହଲି ଶୂନ ଓ ଶ୍ରେୟାଶ ଆୟାର ୪ ରନ କରି ଆଉଟ ହୋଇଥିଲେ । ରବୀନ୍ଦ୍ର ଜାଡେଜା ମଧ୍ୟ ୮ ରନ କରି ନିରାଶ କରିଥିଲେ । ରାହୁଲ ଓ ସୂର୍ଯ୍ୟକୁମାର ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଠିକଣା ସମୟରେ ଆଉଟ ହୋଇ ଯାଇଥିଲେ । ଇଂଲଣ୍ଡ ପକ୍ଷରୁ ଡେଭିଡ ୱିଲି ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ରିସ ୱକସ ଓ ଅଡିଲ ରଶିଦ ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ । ଟସ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.