କୃଷି ବିଭାଗର ତାଲିମ କାର୍ଯ୍ୟକ୍ରମ ଉଦଯାପିତ 

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା କୃଷି ଓ କୃଷକ ଶଶକ୍ତିକରଣ ବିଭାଗ ଦ୍ବାରା କ୍ଷେତ୍ର ସମ୍ପ୍ରସାରଣ କର୍ମଚାରୀଙ୍କ ଦୁଇଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ରାୟଗଡ ବିଜୁ କଲ୍ୟାଣ ମଣ୍ଡପରେ ଏହି ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ଦିବସରେ କୃଷି ଓ କୃଷକ ଶଶକ୍ତିକରଣ ବିଭାଗର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ, ରାୟଗଡା ଜିଲ୍ଲା ଜଳଛାୟା ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ଦୟାନିଧି ବାଗ, କୃଷି ଜିଲ୍ଲା ଅଧିକାରୀ ସୁମନ ସିଂ ପଟ୍ଟନାୟକ, ଉଦ୍ୟାନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ସମେତ କୃଷି ଗବେଷଣା କେନ୍ଦ୍ରର ବୈଜ୍ଞାନିକ ସୁଶାନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ତାଲିମ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ କୃଷି ବିଭାଗରେ କ୍ଷେତ୍ର ସମ୍ପ୍ରସାରଣ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବା ସହ ସେମାନଙ୍କ ଯୋଗୁଁ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଗ୍ରାମାଞ୍ଚଳର ଚାଷୀଙ୍କ ପାଖରେ ପହଞ୍ଚୁଥିବା ପ୍ରକାଶ କରିଥିଲେ। ସେହିପରି ତାଲିମ କାର୍ଯ୍ୟକ୍ରମର ଉଦଯାପନ ଦିବସରେ ଏସଏମଏସ (ପିପି) ରାଜିବ ଟୁଡୁ, କେବିକେ ରାୟଗଡର ଅଧିକାରୀ ସୁସ୍ମିତା ମହାନ୍ତି, ରାୟଗଡ ବ୍ଲକ କୃଷି ଅଧିକାରୀ ଶ୍ୟାମ ମୁର୍ମୁ, କାଶୀପୁର ବ୍ଲକ କୃଷି ଅଧିକାରୀ ବଣ୍ଟୁ ହାଲଦାର ଯୋଗଦେଇ ଫସଲର ରୋଗପୋକ, ଜୈବିକ ଚାଷ, ଗୋ-ସୁଗମ ପୋର୍ଟାଲ, ମିଲେଟ ମିଶନ, ସମେତ କୃଷି ଓ ଆନୁସଙ୍ଗିକ ବିଭାଗ ରେ ଚାଲୁଥିବା ବିଭିନ୍ନ ଯୋଜନାର ଆଲୋଚନା କରି ତାଲିମ ଦେଇଥିଲେ। ଏଥିରେ ରାୟଗଡା, କୋଲନରା, କାଶୀପୁର ଏବଂ କଲ୍ୟାଣ ସିଂହପୁର ବ୍ଲକ ଠାରେ କାର୍ଯ୍ୟରତ ଏଓ, ଭିଏଡବ୍ଲୁ, ଏଚଇ ଡବ୍ଲୁ, ଆତ୍ମା ଅଧିନରେ କାର୍ଯ୍ୟରତ ବିଟିଏମ, ଏଟିଏମଙ୍କ ସମେତ କୃଷକ ସାଥି ଉପସ୍ଥିତ ରହି ତାଲିମ ନେଇଥିଲେ। କାର୍ଯ୍ୟକ୍ରମକୁ ରାୟଗଡା ସଦର ସହକାରୀ କୃଷି ଅଧିକାରୀ ରାହୁଲ ନାୟକ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.