ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍) ଚଳିତ ନଭେମ୍ବର ମାସ ୨୦ ତାରିଖରେ ସୋସାଇଟି ଅଫ୍ ଜିଓସାଇଣ୍ଟିଷ୍ଟସ୍ ଆଣ୍ଡ ଆଲାଏଡ ଟେକ୍ନୋଲୋଜିଷ୍ଟସ୍ (ଏସ୍ଜିଏଟି) ସହଯୋଗିତାରେ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡିକରେ ରହୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଖଣିକାର୍ଯ୍ୟ ଅଭ୍ୟାସ ସମ୍ପର୍କରେ ସଚେତନତା ପ୍ରସାର କରିବା ସକାଶେ ପରିବେଶ-ତଥା-ଖଣିଜ ସଚେତନତା କାର୍ଯ୍ୟକ୍ରମ (ଇଏମ୍ଏପି) ଆୟୋଜନ କରିଥିଲା।ଏସ୍ଜିଏଟି ଏକ ଅଣ-ଲାଭଜନକ ବୃତ୍ତିଗତ ପରିଷଦ ଯାହା ଭାରତରେ ଖଣିଜ ବିକାଶ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଦିଗରେ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଛି। ଏହା ୧୯୯୦ରୁ ପ୍ରତିବର୍ଷ ରାଜ୍ୟର ଖଣି ଖନନ କରାଯାଉଥିବା ବିଭିନ୍ନ ଅଞ୍ଚଳଗୁଡିକରେ ଥିବା ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ନିମନ୍ତେ ଇଏମ୍ଏପି ଆୟୋଜନ କରୁଛି। ୨୦୨୩ ବର୍ଷର ଇଏମ୍ଏପି ସଂସ୍କରଣ ଏକ ଦିବସବ୍ୟାପୀ କାର୍ଯ୍ୟକ୍ରମ ଥିଲା ଏବଂ ଏହା ୟୁଏଆଇଏଲ୍ ଦ୍ୱାରା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୟୁଏଆଇଏଲ୍ ପାରିପାଶ୍ୱିକ ଅଞ୍ଚଳର ୧୪ଟି ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରୟାସ କେବଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେମାନଙ୍କ ପରିପାଶ୍ୱର୍ ସମ୍ପର୍କରେ ସଚେତନତାର ପ୍ରସାର କରୁନାହିଁ, ତାହାସହିତ ସେମାନଙ୍କ ମଧ୍ୟରେ ପୂର୍ବରୁ ରହିଥିବା କୁଶଳତାର ପରିପୋଷଣ କରିବା ସହିତ ଖଣି ଶିଳ୍ପରେ ସେମାନଙ୍କୁ କ୍ୟାରିୟର କରିବା ନିମନ୍ତେ ପ୍ରେରିତ କରୁଛି। ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ବିଶୋଧନାଗାର ପରିଦର୍ଶନ ସହିତ ଦିବସବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ତାହା ପରେ ପ୍ରବନ୍ଧ ଲିଖନ, ଖଣିଜ ସମ୍ପଦ ଚିହ୍ନଟ ଏବଂ କୁଇଜ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ, ସରକାରୀ ହାଇସ୍କୁଲ (ମାଇକଞ୍ଚ) ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର (ଟିକିରି) ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦମ୍ଦାର ପ୍ରତିଯୋଗିତା ହୋଇଥିଲା, ଯେଉଁଥିରେ ସେମାନେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ସହିତ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ମୁଖ୍ୟ ଅତିଥି ଜେ.ଏନ.ଦାସ (ଅବସରପ୍ରାପ୍ତ ଡେପୁଟି ଡାଇରେକ୍ଟର ଜେନେରାଲ, ଜିଏସ୍ଆଇ) ଏବଂ କ୍ଷୀତିଶ ପଟ୍ଟନାୟକ (ଅବସରପ୍ରାପ୍ତ ଜଏଣ୍ଟ ଡାଇରେକ୍ଟର, ଡିଏମ୍ଜି) ସମବେତ ସମସ୍ତଙ୍କୁ ଖଣିଜ ପଦାର୍ଥ ଏବଂ ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟିକାରୀ ଉଦ୍ବୋଧନ ଦେବା ସହିତ ସେମାନଙ୍କୁ ଏ ସମ୍ପର୍କିତ ଜ୍ଞାନ ବିତରଣ କରିଥିଲେ। ବିଜୟ ଧାନୁକା (ହେଡ୍, ଇଞ୍ଜିନିଅରିଂ, ୟୁଏଆଇଏଲ୍), ମୁକେଶ କୁମାର ଝା (ହେଡ୍, ମାଇନ୍ସ, ୟୁଏଆଇଏଲ୍), ଶ୍ରୀମତୀ ଲୋପାମୁଦ୍ରା ମିଶ୍ର (ହେଡ୍, ସିଏସଆର ଆଣ୍ଡ ସିଆର୍, ୟୁଏଆଇଏଲ୍) ଏବଂ କ୍ରିଷ୍ଣ ଜ୍ୟୋତିଷି (ହେଡ୍, ଜିଓଲୋଜି, ୟୁଏଆଇଏଲ୍) ପ୍ରମୁଖ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ସମ୍ବର୍ଦ୍ଧନା ଉତ୍ସବରେ ଅଧ୍ୟକ୍ଷତା କରିବା ସହିତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।