ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି), କଳାହାଣ୍ଡି ତରଫରୁ ତିନିଦିନିଆ ଏଫଏଲଏନ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଲାଞ୍ଜିଗଡ଼ ରୋଡ ପ୍ରାଥମିକ ବିଦ୍ୟାଳୟ (ଏଫଏଲଏନ ମଡେଲ ସ୍କୁଲ) ଠାରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କର୍ମଶାଳାରେ ଅତିଥି ଭାବେ ଲାଞ୍ଜିଗଡ଼ ଏବିଇଓ ତଥା ବିଆରସିସି ଦ୍ରୋଣ ରଣା, ଏବିଇଓ ସୁଢଳଦେବ ମୁଣ୍ଡ, ଏବିଇଓ ଲକ୍ଷ୍ମୀପ୍ରିୟା ମୁଦୁଲି ଯୋଗ ଦେଇଥିଲେ। ଏହି କର୍ମଶାଳାରେ ବିଭିନ୍ନ କ୍ଲଷ୍ଟରର ୨୦ ଜଣ ଶିକ୍ଷକ ତଥା ୪ ଜଣ ସିଆରସିସି ତପନ ଭୋଇ, ଏମ୍.ଏସ୍. ଶେଖର ଓ ପ୍ରକାଶ ପ୍ରଧାନ, ଗୁରୁଗୋବିନ୍ଦ ମହାନ୍ତି ଉପସ୍ଥିତ ରହି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବନ୍ଧିତ ତାଲିମ ଗ୍ରହଣ କରିଥିଲେ। ଏହି କର୍ମଶାଳାରେ ୧୫୦ରୁ ଉର୍ଦ୍ଧ୍ବ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା। ଏହି ତିଆରି ହୋଇଥିବା ସାମଗ୍ରୀକୁ ଉକ୍ତ ମଡେଲ ସ୍କୁଲରେ ହିଁ ସ୍ଥାନିତ କରାଯାଇଅଛି। ପରବର୍ତ୍ତୀ ସମୟରେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏହି ମଡେଲ ସ୍କୁଲକୁ ପରିଦର୍ଶନ କରିପାରିବେ। କର୍ମଶାଳାରେ ଯୋଗଦେଇଥିବା ସମସ୍ତ ଶିକ୍ଷକ ନିଜ ନିଜ କ୍ଲଷ୍ଟରରେ ଏହି ଶିକ୍ଷଣ ସାମଗ୍ରୀ ତିଆରି କରି ନିଜ ସ୍କୁଲର ଶିକ୍ଷଣ ପ୍ରଣାଳୀରେ ବ୍ୟବହାର କରି ପାରିବେ ବୋଲି ସୂଚନା ଦିଆଯାଇଛି।