ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ୫ ତାରିଖରୁ ଲଘୁଚାପ ଜନିତ ଲଗାଣ ଝିପି ଝିପି ବର୍ଷା ନର୍ଲା ଚାଷୀଙ୍କ ନିଦ ହଜେଇ ଦେଇଛି। ଅନେକ କଷ୍ଟରେ ରୋଗପୋକ ଦାଉରୁ, ହାତୀପଲ ଖାଇଯିବାରୁ, ଧୋଇ ମରୁଡିରୁ ଫସଲ ବଞ୍ଚାଇ ଆସି ଠିକ ଧାନ ଅମଳ କରି ମଣ୍ଡିକୁ ବିକିବା ପାଇଁ ନେବା ସମୟରେ ବାତ୍ୟା ମିଗଜୋମ ତାଣ୍ଡବ ରଚିଛି। ଯାହା ତ କେରଳ, ଅନ୍ଧ୍ର ପ୍ରଦେଶରେ ତାଣ୍ଡବ ରଚିଲା। ଏବେ ତିନିଦିନ ଧରି ଲଗାଣ ଝିପି ଝିପି ବର୍ଷାରେ ଧାନ ବିଲରେ କଟା ନହୋଇ ରହିଥିବା ଧାନ ଏବଂ ଧାନ ମଳି ଘରକୁ ଆଣିଥିବା ଚୁନା ଧାନ ପାଣି ତିନ୍ତି ବତୁରି ଗଲାଣି। ଗୋଟିଏ ପଟେ ନର୍ଲାର ୨୫ ଗୋଟି ମଣ୍ଡି ମଧ୍ୟରୁ ମାତ୍ର ୩ ଗୋଟି ମଣ୍ଡି ଆରମ୍ଭ ହୋଇଥିବା ବେଳେ ତା ପୁଣି ଲଘଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ବନ୍ଦ କରିଦିଆଯାଇଥିଲା। ମଣ୍ଡି ବନ୍ଦ୍। ଘରେ ଧାନ ରଖିବା ପାଇଁ ପର୍ଯ୍ୟାପ୍ତ ଜାଗା ନାହିଁ। ଏତେ ପରିମାଣ ଧାନ ଗଚ୍ଛିତ ରଖିବେ ବା କୋଉଠି? ବାଧ୍ୟ ହୋଇ ଗାଁର କଂକ୍ରୀଟ ରାସ୍ତା ଗୁଡିକରେ ପଲିଥିନ ଢାଙ୍କି ରଖିଛନ୍ତି। ହେଲେ ମଧ୍ୟ ଧାନ ତିନ୍ତି ବୁଡି ସୁଡୁବୁଡୁ ହୋଇଯାଇଥିବା ଦେଖିବାକୁ ମିଳୁଛି। ନର୍ଲା କୃଷି ବିଭାଗ ତରଫରୁ ଗ୍ରାମ୍ୟ କୃଷି କର୍ମଚାରୀ ମାନେ ଗାଁ ଗାଁ ବୁଲି ଚାଷୀଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳୁଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଏକ ଅଣ ଜଳସେଚହିତ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରଷା କରି ଚାଷକାର୍ଯ୍ୟ କରିଥାନ୍ତି। ଏଣୁ ମରୁଡି ଓ ବନ୍ୟା, ବାତ୍ୟା ଏଠାକାର ଚାଷୀଙ୍କ ଚିର ସହଚର ସାଜିଛନ୍ତି। ନର୍ଲା ଅଞ୍ଚଳର ଚାଷୀ ମହାଜନୀ ଋଣ, ବ୍ୟାଙ୍କ ଋଣ ଓ ଧାର କରଜ କରି ଚାଷକାର୍ଯ୍ୟ କରିଥାନ୍ତି। ଇନ୍ଦ୍ର ଦେବତାଙ୍କ ଦୟାରୁ ସମୟାନୁଯାୟୀ ବର୍ଷା ହେଲାତ ଠିକ। ନହେଲେ ଚାଷୀ ମୁଣ୍ଡରେ ଚଡକ ପଡିଥାଏ। ଗତ ବର୍ଷ ସମୟାନୁଯାୟୀ ବର୍ଷା ହେବାରୁ ଚାଷ ଉତ୍ତମ ହୋଇଥିଲା। କଷ୍ଟାର୍ଜିତ ଫସଲ ବିକି ଚାଷୀ ଭଲ ଦୁଇପଇସା ପାଇ ବିବାହ, ବ୍ରତ କରି ଠିକଠାକ ଭାବରେ କୁଟୁମ୍ବ ପ୍ରତିପୋଷଣ କରିଥିଲେ। ତା’ର ପୂର୍ବ ବର୍ଷ ଅର୍ଥାତ ୨୦୨୧ କରୋନା ଆତଙ୍କ ଲାଗି ରହିଥିବା ବେଳେ ହୀନ ବର୍ଷା ଯୋଗୁଁ ସେହି ବର୍ଷ ଭୟଙ୍କର ମରୁଡି ହୋଇଥିଲା। ଚାଷୀ ବିଲରେ ଗୋରୁ ଛାଡିଦେଲେ। ଧାନ କାଟିବା ପାଇଁ ୮୫ ପ୍ରତିଶତ ବିଲକୁ ଯାଇନଥିଲେ। ତଥାପି ସରକାରଙ୍କ ତରଫରୁ କୌଣସୀ ପ୍ରୋତ୍ସାହନ ରାଶି କିମ୍ବା କ୍ଷତି ପୁରଣ ମିଳିନଥିଲା। ନର୍ଲା ଅଞ୍ଚଳର ଚାଷୀଙ୍କ ପାଇଁ ବର୍ଷା ଦିନେ ଯାହା ତ ବନ୍ୟା ବାତ୍ୟାରେ ଫସଲ ଧୋଇ ହୋଇ ଯାଇଥାଏ। କିମ୍ବା ହୀନ ବୃଷ୍ଟି ଯୋଗୁଁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥାଏ। ଏହାବାଦ ଚାଷ ଭଲ ହୋଇଥିଲେ ମଧ୍ୟ ରୋଗପୋକ ଦାଉ ସାଧିଥାନ୍ତି। ଅନ୍ୟପକ୍ଷେ ଗତ ୧୦ ବର୍ଷ ହୋଇଗଲା ନର୍ଲାରେ ହାତୀ ଆତଙ୍କ ଲାଗି ରହିଛି। ନର୍ଲା ଉପକଣ୍ଠସ୍ଥ ସମରକଟା, ରେଗଡିମାଳ, ଏହାପରେ ବାଗପୁର, ଭାନପୁର ଗ୍ରାମ ପଞ୍ଚାୟତର ବଫଲା, ରାକ୍ସୀ, କମେଗାଁ, ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବାଙ୍କେଲ, ଭଟାଙ୍ଗ, ପଟାଙ୍ଗପଡା, ରୁପ୍ରା ଗ୍ରାମ ପଞ୍ଚାୟତର ଅନେକ ଗାଁ, ଗିଗିନା ଗ୍ରାମ ପଞ୍ଚାୟତର ଭଟାଖମାର ପ୍ରଭୃତି ସ୍ଥାନରେ ଦୀର୍ଘ ୮ ବର୍ଷ ହୋଇଗଲାଣି ହାତୀ ଧାନ ପାଚିବା ସମୟରେ ଆସି ଫସଲ କାଇ, ଦଳି ଚକଟି ଫସଲ ନଷ୍ଟ କରିଥାନ୍ତି। ଗତ ଶନିବାର ଦିନ ତଳେ ତିତକେଲା ଗ୍ରାମର ସାନ୍ଦୁଲ ନଦୀକୂଳ, ଭଟାଖମାର ଗ୍ରାମର ଅନତି ଦୁରରେ ରହିଥରବା ତିତକେଲା ଚାଷୀ ନରୋତତ୍ମ ବିଶ୍ୱାଳଙ୍କ ଧାନ ଫସଲ ୮ ଏକର ଜମିର ଧାନ, ଦେବରାଜ ପଧାନ ୩ ଏକର, ଗୋପଦେବ ଭୋଇଙ୍କ ୮ ଏକର, ଭବାନୀଶଙ୍କର ବିଶ୍ୱାଳଙ୍କ ୯ ଏକର, ଗୋଦାବରୀ ହରିଜନଙ୍କ ୪ ଏକର, ହୃଷିକେଶ ବିଶ୍ୱାଳଙ୍କ ୯ ଏକର, ସାନୁର୍ଯ୍ୟ ମାଝୀଙ୍କ ମୁଗ ଫସଲ ୧ ଏକର ଏଭଳି ତିତକେଲାର ୨୦ ରୁ ଉର୍ଦ୍ଧ୍ୱ ଚାଷୀଙ୍କ ୬୦ ଏକରରୁ ଉର୍ଦ୍ଧ୍ୱ ଧାନ, କପା, ମୁଗ ଓ କାନ୍ଦୁଲ ଫସଲ ହାତୀ ଖାଇଯିବା ସହ ଦଳି ଚକଟି ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି। ଏଣୁ ଚାଷୀ ବାଧ୍ୟ ହୋଇ ପୁରା ପାଚି ନଥିବା ଧାନକୁ ମଧ୍ୟ ହାରଭେଷ୍ଟର ଲଗେଇ କାଟି ପକାଇଥିଲେ। ଏଭଳି ପରିସ୍ଥିତିରେ ଚାଷୀ କରିବ ବା କଣ? ସମସ୍ତଙ୍କ ପାଇଁ ଅନ୍ନଦାତା ସାଜିଥିବା ଚାଷୀର ଜୀବନ ଜୀବିକା ସଙ୍କଟରେ। ଏଣୁ ସରକାରଙ୍କ ତରଫରୁ ନର୍ଲା ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର ଆର୍ଥିକ ସାହାଯ୍ୟ ଯୋଗାଇ ଦେବାପାଇଁ ସାଧାରଣରେ ଦାବୀ ହେଇଛି।