ଦୁଇ ସାମ୍ବାଦିକଙ୍କ ଦୁର୍ଘଟଣା ପ୍ରସଙ୍ଗ: ପୋଲିସ ଭ୍ୟାନର ଟେର ପାଉନି ପୋଲିସ୍‌, କାହା ଚାପରେ ଦୋଷୀକୁ ଘଣ୍ଟ ଘୋଡାଉଛି କେସିଙ୍ଗା ପୋଲିସ୍‌?

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ଶନିବାର ଦିନ ଅପରାହ୍ନ ସମୟରେ କେସିଙ୍ଗାର ରିଲାଏନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରେ ନର୍ଲାର ଦୁଇ ଜଣ ସାମ୍ବାଦିକ ଏନଫିଲ୍ଡ ବାଇକରେ ଯାଉଥିବା ସମୟରେ ଏକ ଧଳା ରଙ୍ଗର ପୋଲିସ୍ ଭ୍ୟାନ ଏଦୁହିଙ୍କୁ ଖୁବ୍ ଯୋରରେ ବାଡ଼େଇ ଦେଇ ଫେରାର ହୋଇ ଯାଇଥିଲା। ନର୍ଲାର ଦୁଇ ସାମ୍ବାଦିକ ଫୋକସ ପ୍ଲସର ପଶ୍ଚିମ ଓଡିଶା ବ୍ୟୁରୋ ଚିଫ୍ ରଞ୍ଜନ କୁମାର ମହାନ୍ତି ଏବଂ କର୍ଲାମୁଣ୍ଡା ବ୍ଲକରେ କାର୍ଯ୍ୟରତ ଫୋକସ ପ୍ଲସର ରିପୋର୍ଟର ଧନୁର୍ଯ୍ୟ ସାହୁ ଖବର ସଂଗ୍ରହ ପାଇଁ କେସିଙ୍ଗା ଯାଇଥିବା ବେଳେ ରିଲାଏନ୍ସ ପେଟ୍ରୋଲ ପମ୍ପ ପାଖରେ ରାସ୍ତାକଡରେ ବାଇକରେ ବସି କଥା ହେଉଥିବା ସମୟରେ କେସିଙ୍ଗା ରେଳ ଷ୍ଟେସନ ପଟୁ କ୍ଷୀପ୍ର ଗତିରେ ଭବାନୀପାଟଣା ଅଭିମୁଖେ ଯାଉଥିବା ହଳଦିଆ ଓ ଧଳା ରଙ୍ଗର ଦୁଇଗୋଟି ପୋଲିସ ଭ୍ୟାନ ମଧ୍ୟରୁ ଧଳା ରଙ୍ଗର ପୋଲିସ୍ ଭ୍ୟାନଟି ଦୁଇ ସାମ୍ବାଦିକଙ୍କୁ ଖୁବ ଯୋରରେ ଏନଫିଲ୍ଡ ବାଇକ ପଛପଟୁ ପିଟିଲା। ଫଳରେ ଦୁଇ ସାମ୍ବାଦିକ ରାସ୍ତା କଡକୁ ଛିଟିକି ପଡି ଗୁରୁତର ହେଲେ। ତାଙ୍କ ପଛରେ ଆସୁଥିବା କେସିଙ୍ଗା ଫୋକସ ପ୍ଲସ ସାମ୍ବାଦିକ ଦୟାସାଗର ନାଏକ ଓ ପ୍ରମେୟ ପ୍ରତିନିଧି ଗଜୀନ୍ଦ୍ର ସାହୁ ଗୁରୁତର ଦୁଇ ସାମ୍ବାଦିକଙ୍କୁ କେସିଙ୍ଗା ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବା ପରେ କେସିଙ୍ଗା ଆଦର୍ଶ ଥାନାକୁ ଯାଇ ଧଳା ରଙ୍ଗର ପୋଲିସ ଭ୍ୟାନ ଡ୍ରାଇଭର ନାମରେ କେସ୍ ଦାଏର କରିଛନ୍ତି। ଦୁର୍ଘଟଣାରେ ଦୁଇ ସାମ୍ବାଦିକ ଗୁରୁତର ହୋଇ ଏବେ ମଧ୍ୟ ଚିକିତ୍ସାଧିନ ରହିଥରବା ବେଳେ ସାମ୍ବାଦିକ ରଞ୍ଜନ ମହାନ୍ତିଙ୍କ ୧,୫୦,୦୦୦ ଟଙ୍କାର ମୂଲ୍ୟବାନ କ୍ୟାମେରା ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଦାମୀ ମୋବାଇଲ ଫୋନ ଭାଙ୍ଗି ଯାଇଛି। ଡାହାଣ ହାତ ଅନାମିକା ଆଙ୍ଗୁଠିରେ ପିନ୍ଧିଥିବା ଡାଇମଣ୍ଡ ମୁଦୀ ମଧ୍ୟ ଭାଙ୍ଗିଯାଇଛି। କେସିଙ୍ଗା ଥାନାରେ ଏନେଇ ଏକ କେସ ଓ ଦାଏର ହୋଇଛି। କେସ୍ ନଂ- ୪୫୦ ତା ୩/୧୨ ରେ ଆପିସି ୧୮୬୦ ଦଫା ୨୭୯, ୩୩୭ ରେ କେସ ରେଜିଷ୍ଟ୍ରସନ କରଯାଇଥିବା ବେଳେ ଅଦ୍ୟାବଧି କେସିଙ୍ଗା ଆଇଆଇସି ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ସିଜ୍‌ଡ କରିନାହାନ୍ତି କିମ୍ବା ଡ୍ରାଇଭରକୁ ମଧ୍ୟ ଥାନାକୁ ଡକେଇ ନଥିବା ଆଶ୍ଚର୍ଯ୍ୟର ବିଷୟ ବୋଲି ବୁଦ୍ଧିଜୀବି ମହଲରେ କ୍ଷୋଭ ପ୍ରକାଶ ପାଇଛି। ସମାଜର ସୁରକ୍ଷା ଦାଇତ୍ୱ ନେଇଥିବା ପୋଲିସର ଗାଡି ସଡକ ସୁରକ୍ଷା ସପ୍ତାହରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବର ପ୍ରତିନିଧି ଦୁହିଁଙ୍କୁ ଦୁର୍ଘଟଣା ଘଟାଇଥିବା ବେଳେ କେସିଙ୍ଗା ପୋଲିସ୍ ସମସ୍ତ ତଥ୍ୟ ଜାଣି ମଧ୍ୟ ନିଜ ବିଭାଗର ଗାଡି ହୋଇଥିବାରୁ ପୋଲିସ ଭ୍ୟାନ ଓ ଡ୍ରାଇଭରଙ୍କୁ ଘଣ୍ଟ ଘୋଡାଉଥିବା ଚାରିଆଡେ ଚର୍ଚ୍ଚା ଓ ଆଲୋଚନା ହେଉଛି। କେସିଙ୍ଗା ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ପୋଲିସ ସଂଗ୍ରହ କରି ସମସ୍ତ ତଥ୍ୟ ପ୍ରମାଣ ସହ ଜାଣି ପାରିଥିଲେ ମଧ୍ୟ ବିଭାଗୀୟ ଗାଡି ହୋଇଥିବାରୁ କେସିଙ୍ଗା ଆଇଆଇସି ଦୋଷୀଙ୍କୁ ଘଣ୍ଟା ଘୋଡାଉଥିବା ଜାଣିବାକୁ ମିଳୁଛି। କେସିଙ୍ଗା ଆଇଆଇସିଙ୍କ କହିବାନୁଯାୟୀ ସେ ଏସପିଙ୍କୁ ଏ ବିଷୟରେ ଅବଗତ କରିବା ପରେ ସଂପୃକ୍ତ ଗାଡିର ଡ୍ରାଇଭରକୁ ଡାକି ଦୁର୍ଘଟଣା ଘଟାଇଥିବା କଥା ପଚାରିବାରୁ ସେ ଏହାକୁ ଅସ୍ୱୀକାର କରିଥିଲେ। ମୋ ଗାଡି କାହାକୁ ଦୁର୍ଘଟଣା ଘଟାଇ ନାହିଁ ବୋଲି ଡ୍ରାଇଭର କହୁଥିବା ଆଇଆଇସି ଶ୍ରୀ ମହାପାତ୍ର କହିଥିଲେ। ହେଲେ ଦୋଷୀକୁ ଧରିବା କିମ୍ବା ଦୁର୍ଘଟଣା ଘଟାଇଥିବା ଗାଡିକୁ ସିଜ୍‌ଡ କରିବା ଭଳି କୌଣସୀ ପଦକ୍ଷେପ ନେଇନଥିବାରୁ କଳାହାଣ୍ଡି ସାମ୍ବାଦିକ ୟୁନିଅନ ତରଫରୁ ଏହାକୁ ଦୃଢ ନିନ୍ଦା କରାଯାଇଛି। ଗୁରୁତର ଦୁଇ ସାମ୍ବାଦିକଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି କେସିଙ୍ଗା ପୋଲିସ୍। ଦୁର୍ଘଟଣା ଘଟି ୪ ଦିନ ବିତି ସାରିଥିଲେ ସୁଦ୍ଧା ବିଭାଗୀୟ ଭ୍ୟାନ ଓ ଡ୍ରାଇଭରକୁ ସୁରକ୍ଷା ଦେଇ ନୀରବଦ୍ରଷ୍ଟା ସାଜିଛି ପୋଲିସ୍। ଏନେଇ ଗତ ମଙ୍ଗଳବାର କଳାହାଣ୍ଡି ସାମ୍ବାଦିକ ୟୁନିଅନ ପକ୍ଷରୁ ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ତଥା ୟୁନିଅନର ସଦସ୍ୟ ଅଭିରାମ ନନ୍ଦ, ସୁନୀଲ ଧଙ୍ଗଡାମାଝୀ, କିଶୋର ନାଏକ, ଗଜୀନ୍ଦ୍ର ସାହୁ, ଦୟାସାଗର ନାଏକ, ମନୋଜ ସିଂ, ରଞ୍ଜନ ମହାନ୍ତି, ଲିଙ୍ଗରାଜ ମିଶ୍ର ପ୍ରମୁଖଙ୍କ ସମେତ ୧୫ ରୁ ଉର୍ଦ୍ଧ୍ୱ ସଦସ୍ୟ କେସିଙ୍ଗା ଆଇଆଇସିଙ୍କୁ ଭେଟି ଦୁର୍ଘଟଣା ଜନିତ କେସ୍ ବିଷୟରେ ତାଙ୍କ ସହ ଆଲୋଚନା କରି ଦୋଷୀକୁ ଶିଘ୍ର ଗିରଫ୍ ଦାବୀ କରିଥିଲେ। ଏଥିରେ ଟାଳଟୁଳ ନୀତି କିମ୍ବା ଘଣ୍ଟ ଘୋଡାଇବା ଭଳି କାର୍ଯ୍ୟକଲାପ କଲେ ସାମ୍ବାଦିକ ୟୁନିଅନ ତରଫରୁ ଏସପି ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଥିବା ଜଣାପଡିଛି। କେସିଙ୍ଗା ପୋଲିସର ଏତାଦୃଶା ଖାମଖିଆଲି ମନୋଭାବ ଓ ଘଣ୍ଟ ଘୋଡାଇବା ନୀତି ବିରୁଦ୍ଧରେ ନ୍ୟାୟ ପାଇବା ପାଇଁ ଆମେ ଲଢେଇ ଜାରି ରଖିବୁ ବୋଲି ନିଜ ପ୍ରତିକ୍ରୀୟାରେ କହିଛନ୍ତି ସାମ୍ବାଦିକ ରଞ୍ଜନ ମହାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.