ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଚୋରି ଘଟଣାରେ ଗାନ୍ଧୀ ଦଳେଇ ନାମକ ଜଣେ ଅଭିଯୁକ୍ତକୁ ୩ ବର୍ଷ କାରଦଣ୍ଡରେ ଦଣ୍ଡିତ କରିଛନ୍ତି ରାୟଗଡା ଏସଡିଜେଏମ୍ ବର୍ଷା ଦାସ। ସୋମବାର ମାମଲାର ଶୁଣାଣୀ କରି ଏହି ରାୟ ଶୁଣାଇଛନ୍ତି ଏସଡିଜେଏମ ରାୟଗଡା। ରାୟଗଡା ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ଠାରେ ଥିବା ଇଏସଆଇ ହସ୍ପିଟାଲରେ ଚଳିତ ବର୍ଷ ଏପ୍ରିଲ ମାସ ୧୯ତାରିଖ ଭୋର ୩ଟା ସମୟରେ ହସ୍ପିଟାଲର ପଛ କାଚ କବାଟ ଭାଙ୍ଗି ଚୋରି କରିବାର ଉଦ୍ୟମ କରିଥିଲେ ଅଭିଯୁକ୍ତ ଗାନ୍ଧୀ ଦଳେଇ। ତେବେ ହସ୍ପିଟାଲରେ ନିୟୋଜିତ ସିକ୍ୟୁରିଟି ଗାର୍ଡ ଗାନ୍ଧୀକୁ ଚୋରି କରିବା ସମୟରେ ଧରି ପକାଇଥିଲେ। ଚୋରି ଘଟଣାକୁ ଅଧାର କରି ହସ୍ପିଟାଲର ଅଧୀକ୍ଷକ ଡାକ୍ତର ବିରଂଚି ନାରାୟଣ ପଣ୍ଡା ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଚାନ୍ଦିଲି ଥାନା କେସ ନମ୍ବର ୯୮/୧୯/୪/୨୩ ପ୍ରକାରେ ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ୟୁ/ଏସ ୪୫୭/୩୮୦/୫୧୧/୪୨୭ ଆଇପିସି ଧାରାରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲେ। ଏହି ମାମଲାରେ ମୋଟ ୮ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ମାମଲାର ଶୁଣାଣୀ କରି ରାୟଗଡା ଏସଡିଜେଏମ ବର୍ଷା ଦାସ ଦଫା ୪୫୭ ଆଇପିସିରେ ଦୁଇ ବର୍ଷ ଏବଂ ୪୨୭ ଆଇପିସିରେ ୧ବର୍ଷ ସଶ୍ରମ କାରଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାକୁ ସରକାରଙ୍କ ଓକିଲ ସଚ୍ଚିଦାନନ୍ଦ ଖାଡଙ୍ଗା ପରିଚାଳନା କରୁଥିବା ବେଳେ ମୁଦାଲାଙ୍କ ପାଇଁ ଓକିଲି ଅରୁଣ କୁମାର ଲେଙ୍କା ପରିଚାଳନା କରିଥିଲେ। ପ୍ରକାଶ ଥାଉ କି,ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ମାମଲା ରହିଛି।