ରାୟଗଡାରେ ଯୁବକଙ୍କୁ ହତ୍ୟା; ମିଳିଥିଲା ଆଗରୁ ଧମକ, ପୋଲିସର ତଦନ୍ତ ଆରମ୍ଭ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରରେ ଶୁକ୍ରବାର ଦିବାଲୋକରେ ପ୍ରମୋଦ କଲକା ନାମକ ଜଣେ ଯୁବକଙ୍କୁ ୩ ଜଣ ଅଜଣା ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି। ଘଟଣା ସ୍ଥଳରେ ପ୍ରମୋଦଙ୍କ ମୃତ୍ୟୁ ହୋଇଛି। ଖବର ପାଇ ରାୟଗଡା ଜିଲ୍ଲା ଏସପି ବିବେକାନନ୍ଦ ଶର୍ମା ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଅତିରିକ୍ତ ଏଡିପି ବିଷ୍ଣୁ ପ୍ରସାଦ ପାତ୍ର, ଏସଡିପିଓ ରଶ୍ମି ରଞ୍ଜନ ସେନାପତି, ରାୟଗଡା ଥାନା ଅଧିକାରୀ କେକେବିକେ କହଁରଙ୍କ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶୁକ୍ରବାର ସକାଳ ସାଢେ ଦଶଟାରୁ ଏଗାରଟା ସମୟ ମଧ୍ୟରେ ସହରର ରାଣୀଗୁଡା ଫାର୍ମ ଅଞ୍ଚଳର ସ୍ଥାନୀୟ ଗୌତମ ନଗର ମହିଳା ମହାବିଦ୍ୟାଳୟ ରାସ୍ତାରେ ପ୍ରମୋଦ କଲକା ନାମକ ଯୁବକକୁ ତିନିଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଧାରୁଆ ଅସ୍ତ୍ରରେରେ ଭୁଷି ଘଟଣା ସ୍ଥଳରୁ ଫେରାର ହେଇ ଯାଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଟଣା ସ୍ଥଳରେ ପ୍ରମୋଦର ମୃତ୍ୟୁ ଘଟିଛି। ତେବେ ପ୍ରମୋଦକୁ କିଏ ଓ କାହିଁକି ହତ୍ୟା କରିଛି ତାହାର ପ୍ରକୃତ କାରଣ ଜଣା ପଡି ନଥିବା ବେଳେ ଗତ ୩ ଦିନ ତଳେ ପ୍ରମୋଦକୁ ଜୀବନରେ ମାରି ଦେବାର ଧମକ କେହି ଜଣେ ଦେଇଥିବା ନେଇ ସେ ନିଜ ମାମୁଁ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କୁ ଜଣାଇଥିଲେ। ତେବେ ଧମକ ବିଷୟରେ ଥାନାରେ କିଛି ଅଭିଯୋଗ କରାଯାଇ ନ ଥିବା ବେଳେ ମିଳିଥିବା ଧମକକୁ ସତରେ ପରିଣତ କରି ଦେଇଛନ୍ତି ଦୁର୍ବୁତ୍ତ। ଆଜି ସକାଳେ ନିଜ ମାମୁଁଙ୍କ ଝିଅକୁ ସ୍କୁଲରେ ଛାଡିବାକୁ ସ୍କୁଟିରେ ଯାଉଥିବା ବେଳେ ତିନିଜଣ ଦୁର୍ବୁତ୍ତ ପ୍ରମୋଦ ଉପରେ ଆକ୍ରମଣ କରିଥିଲେ ବୋଲି ମାମୁଁ ଗଙ୍ଗାଧର ପୁଆଲା ପ୍ରକାଶ କରିଛନ୍ତି ଏବଂ ଧମକ ଦେଇଥିବା ବ୍ୟକ୍ତି ସମ୍ପର୍କରେ ଥାନାରେ ଏତଲା ଦେଇଥିବା କହିଛନ୍ତି। ତେବେ ତଦନ୍ତ ଚାଲିଥିବାରୁ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ପ୍ରକାଶ ଥାଉ କି, ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ର ଭାବେ ମୃତ ପ୍ରମୋଦ ଅଧ୍ୟୟନ କରୁଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.