କେନ୍ଦ୍ର ସାହିତ୍ୟ ଏକାଡେମୀର ‘ମୁଲାକାତ’ କାର୍ଯ୍ୟକ୍ରମରେ କବିତା ଓ ଗଳ୍ପ ପାଠ କଲେ ୪ ଯୁବ ଲେଖକ

ଓଡ଼ିଆ ବାର୍ତ୍ତା/ କୋଲକାତା (କୃଷ୍ଣ କୁମାର ମହାନ୍ତି): କେନ୍ଦ୍ର ସାହିତ୍ୟ ଏକାଡେମୀର କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ଏକ ମୁଲାକାତ୍ କାର୍ଯ୍ୟକ୍ରମ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏକାଡେମୀର ନିଜସ୍ଵ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବଙ୍ଗଳା କବି ଓ ଲେଖକ ଶିବାଶିଷ ମୁଖୋପାଧ୍ୟାୟ ଅଧ୍ୟକ୍ଷତା କରିଥିବା ବେଳେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମୀର ଆଞ୍ଚଳିକ ସଚିବ ଡକ୍ଟର ଦେବେନ୍ଦ୍ର କୁମାର ଦେବେଶ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଚାରି ଜଣ ଯୁବ ବଙ୍ଗଳା ଲେଖକ। ସେମାନେ ସ୍ବରଚିତ କବିତା ଓ ଗଳ୍ପ ପାଠ କରିଥିଲେ।

ଯୁବ କବି ଅରୁଣାଭ ରାହା ରୟଙ୍କ କବିତା ‘ରବୀନ୍ଦ୍ର ସଦନ’, ’ଏଖୋନୋ ବାବାକେ ଦେଖି’, ’ପଖୀ ପୋରା ଗ୍ରାମ୍’, ଦେବଜ୍ୟୋତି ଦାସଗୁପ୍ତଙ୍କ କବିତା ‘ଅନୁପାତ’, ‘ଗ୍ରହଣ’ ଓ ‘ତାଲା’ ଏବଂ ଦୀପାନ୍ବିତା ସରକାରଙ୍କ କବିତା ‘ଏସେଛୋ ପ୍ରେମ୍’, ‘କୁଶେର ଆଙ୍ଗଟି’, ‘ତୁମି ଯାଚ୍ଛୋ’ ଉଚ୍ଚ ପ୍ରଶଂସିତ ହୋଇଥିଲା। ସାଦିକ୍ ହୂସେନଙ୍କ ଗଳ୍ପ ‘ଜ୍ବର’ ଶ୍ରୋତାଙ୍କୁ ଭାବ ବିହ୍ବଳିତ କରିଥିଲା। ସଭାମୁଖ୍ୟ ଶ୍ରୀ ମୁଖୋପାଧ୍ୟାୟ ପଠିତ କବିତା ଓ ଗଳ୍ପଗୁଡ଼ିକର ସଂକ୍ଷିପ୍ତ ବିଶ୍ଳେଷଣ କରିଥିଲେ। ସାହିତ୍ୟ ଏକାଡେମୀର ସହକାରୀ ସଂପାଦକ କ୍ଷେତ୍ରବାସୀ ନାଏକ କାର୍ଯ୍ୟକ୍ରମ ପରିଚାଳନା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମୁଲାକାତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଲେଖକଲେଖିକା ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.