ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ସୋନପୁର ରୟାଲ୍ ପଡିଆ ଠାରେ ଶତାଧିକ ଚାଷୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ଧାନ କିଣାରେ ଗ୍ରାମାଞ୍ଚଳର ଚାଷୀଙ୍କ ବାସ୍ତବ ଚିତ୍ର ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଜିଲ୍ଲାର ୬ ଟି ଯାକ ବ୍ଲକରୁ ଶହ ଶହ ଚାଷୀ ଏହି ସମାବେଶରେ ଯୋଗଦେଇ ଧାନକିଣାରେ କ୍ଵିଣ୍ଟାଲ ପିଛା ୩ କେଜି କଟନୀ ଛଟନି ହେଉଥିବା ପ୍ରାମାଣିକ ତଥ୍ୟ ସବୁ ଚାଷୀ ଉପସ୍ଥାପିତ କରିଥିଲେ। ଏବଂ ମଣ୍ଡି ପରିସରରେ ସିସିଟିଭି, ପାନୀୟ ଜଳ, ଶୌଚାଳୟ ଓ ଧାନ ସଂରକ୍ଷଣର ସୁବ୍ୟବସ୍ଥା ନ ଥିବା ସହିତ ୪୮ ଘଣ୍ଟା ଭିତରେ ଧାନ ବିକ୍ରିର ପାଉଣା ମଧ୍ୟ ମିଳୁ ନ ଥିବା ନେଇ ଚାଷୀମାନେ ଖୋଲାଖୋଲି ଅଭିଯୋଗ କରିଥିଲେ। ପ୍ରକାଶ ଥାଉ କି ଛତିଶଗଡରେ ଧାନ କ୍ଵିଣ୍ଟାଲ ପିଛା ଦର ୩୧୦୦ ଥିବା ବେଳେ ଆମ ରାଜ୍ୟ ଓଡିଶାରେ ତାହାର ମୂଲ୍ୟ ୨୧୮୩ ଟଙ୍କା, କଟନୀ ଛଟନିକୁ ନେଇ ଏବଂ ଚାଷୀ ଶୋଷଣ ନୀତି ଓ ସରକାରଙ୍କ ଅଣଦେଖାକୁ ଚାଷୀମାନେ ତୀବ୍ର ନିନ୍ଦା କରିଥିଲେ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବାକୁ ଏକ ପ୍ରସ୍ତାବ ଆଗତ ହୋଇଥିଲା। କୃଷକ ସଂଗଠନର ସଭାପତି ବୈକୁଣ୍ଠ ଶତପଥିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଓ ସମ୍ପାଦକ ଚିତ୍ତ ରଂଜନ ଗଡତିଆଙ୍କ ସହଯୋଗରେ ଏହି ସଭାକୁ ପଦ୍ମ ଲୋଚନ ମିଶ୍ର ସଂଯୋଜନା କରିଥିଲେ। ବିଭିନ୍ନ ବ୍ଲକର ଚାଷୀ ନେତା ନରେନ୍ଦ୍ର ଆଚାର୍ଯ୍ୟ, ଧରଣୀ ପାଢ଼ୀ, ପ୍ରମୋଦ ପଣ୍ଡା, ପ୍ରଦ୍ୟୁମ୍ନ ପାଢ଼ୀ, ରାଜେନ୍ଦ୍ର ମିଶ୍ର, ନିରଂଜନ ତ୍ରୀପାଠୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।