ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଠାରେ ବ୍ଲକ ସ୍ତରୀୟ ଏକ ଦିବସୀୟ କଳାକାର କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ସମ୍ପର୍କରେ ବ୍ଲକସ୍ତରୀୟ ଦିନିକିଆ କର୍ମଶାଳା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏନ୍ ଜଗଜ୍ଜିବନ ଚୌଧରୀ ଓ ବ୍ଲକ୍ କଳା ଓ ସଂସ୍କୃତି ସଂଘର ଉପ ସଭାପତି ସର୍ବେଶ୍ୱର ଭୋଇଙ୍କ ମାର୍ଗଦର୍ଶନରେ ଆୟୋଜିତ ହୋଇଥିଲା। ଏଥିରେ ଏସଏସଓ ପ୍ରଦୀପ ବେହେରା, ଡିସିସି ଓ ବିକେଏସଏସ ସଭ୍ୟ ସଞ୍ଜୟ ଧଙ୍ଗଡାମାଝି, ବିଏସଏସଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଯୋଗେଶ ନାୟକ ମଞ୍ଚାସୀନ ଥିଲେ। ବ୍ଲକ କଳା ଓ ସଂସ୍କୃତି ସଂଘ ଓ ବ୍ଲକ ତଥା ଜିଲ୍ଲା ପ୍ରଶାସନ ସହଯୋଗରେ ସମ୍ପାଦିତ ଏହି କର୍ମଶାଳାରେ ବ୍ଲକ କଳା ଓ ସଂସ୍କୃତି ସଂଘର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଲୋକକଳା ମାଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନରେ ସମସ୍ତ କଳାକାର ମାନଙ୍କ ସହଯୋଗ କାମନା କରିବା ସହ ବ୍ଲକ୍ ସ୍ତରରେ ଏହି କାର୍ଯ୍ୟକ୍ରମ ସଫଳ କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ସରକାରୀ ଯୋଜନାର ସୁଫଳ ବାର୍ତ୍ତା ସର୍ବ ନିମ୍ନ ସ୍ତରରେ ବସବାସ କରୁଥିବା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କଳାକାର ମାନଙ୍କ ଭୂମିକା ଅତ୍ୟନ୍ତ ଆବଶ୍ୟକୀୟ ବୋଲି ମତ ବ୍ୟକ୍ତ କରିଥିଲେ। କର୍ମଶାଳାରେ ସମସ୍ତ ପଞ୍ଚାୟତରୁ ଆମନ୍ତ୍ରିତ କଳାକାର ଏବଂ ବ୍ଲକସ୍ତରୀୟ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।