ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ଚାଷୀମାନେ ଗୁରୁବାର କୁସୁମଖୁଣ୍ଟି ସ୍ଥିତ ଉପର ଇନ୍ଦ୍ରାବତୀ ଉଠା ମୁଖ୍ୟବନ୍ଧ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ମେଗା ଲିଫ୍ଟପଏଣ୍ଟରୁ ଜଳ ନିଷ୍କାସନ ହେଉ ନଥିବାରୁ ମରାମତି ପାଇଁ ଦାବି କରିଛନ୍ତି। ସୂଚନା ଅନୁସାରେ, ସିର୍ଲିଗୁଡା ଠାରେ ଡିଏମ୍-୧୩ରୁ ଜଳ ନିଷ୍କାସନ ପାଇଁ ରହିଥିବା ଅନେକ ପଏଣ୍ଟରେ ଏବେ ଜଳ ନିଷ୍କାସନ ହେଉନାହିଁ। ପାଣି ଛାଡ଼ିବା ପରେ ପ୍ରଥମ ଦିନରୁ ଅଳ୍ପ ଅଳ୍ପ ପାଣି ନିସ୍କାସନ ହେଉଥିଲା। ଯାହାକୁ ଦେଖି ତଲି ପକାଇଥିଲେ ଚାଷୀ। ବର୍ତ୍ତମାନ ତଲି ଘେରା ପ୍ରସ୍ତୁତ ହୋଇଥିବା ବେଳେ ପ୍ରାୟ ୩ଦିନ ହେବ ଉକ୍ତ ପଏଣ୍ଟ ଗୁଡ଼ିକରେ ଜଳ ନିଷ୍କାସନ ହେଉନାହିଁ। ଫଳରେ ଚାଷୀମାନେ ଚିନ୍ତାରେ ପଡି ଆଜି କୁସୁମଖୁଣ୍ଟି ସ୍ଥିତ ଉପର ଇନ୍ଦ୍ରାବତୀ ଉଠା ମୁଖ୍ୟବନ୍ଧ ବିଭାଜନ କାର୍ଯ୍ୟଳରେ ପହଞ୍ଚି ଥିଲେ। ଏବଂ ନିର୍ବାହୀ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଜେକେଏମ୍ ଆଚାର୍ଯ୍ୟଙ୍କୁ ଶତାଧିକ ଚାଷୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏବଂ ଡିଏମ୍ -୧୩ ର ଉକ୍ତ ଜଳ ନିଷ୍କାସନ କେନ୍ଦ୍ର ନିକଟରେ ବାଲିବନ୍ଧ ଦେଇ ସମ୍ପୂର୍ଣ ମାତ୍ରାରେ ପାଣି ପ୍ରବେଶ କରାଇବା ପାଇଁ ଦାବି କରିଥିଲେ। ତେବେ ଅଭିଯୋଗ ପାଇବା କ୍ଷଣି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସିର୍ଲିଗୁଡା ଗାଁକୁ ପହଞ୍ଚି ଥିଲେ। ଏବଂ ଚାଷୀ ମାନଙ୍କ ସହ ଉକ୍ତ ଜଳ ନିଷ୍କାସନ କେନ୍ଦ୍ର ନିକଟକୁ ପହଞ୍ଚି ସ୍ଥିତି ପରଖିଛନ୍ତି। ଏବଂ ଦୁଇ ଦିନ ଭିତରେ ସମସ୍ୟାର ସମାଧାନ କରିବା ପାଇଁ ସେମାନଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି। ଏହି ଦାବିପତ୍ର ପ୍ରଦାନ ସମୟରେ ସିର୍ଲିଗୁଡା ଗ୍ରାମର ବସନ୍ତ ନାଗ, ଦମବୁଡ଼ା ନାଗ, ଭୂଷଣ ମହାନନ୍ଦ, ଦୀପକ ସାହୁ, ଚନ୍ଦ୍ର ଶେଖର ସୁନାନୀ, ବିଜୟ ନାଗ, ବୃନ୍ଦାବନ ନାୟକ, ଅଜୟ କୁମାର ସାହୁ, ଗୟାଧର ନାୟକ, ଦୁଷ୍ମନ୍ତ ନାଗ, ପୁସ୍ତମ୍ ନାଗ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ।