ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଠାରେ ପ୍ରତିବର୍ଷ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ୧୫/୨୦ ଦିନ ପୂର୍ଵରୁ ପ୍ରସ୍ତୁତି ବୈଠକ ହୋଇଥାଏ। କିନ୍ତୁ ଚଳିତ ବର୍ଷ ବୈଠକ ହୋଇନାହିଁ। ନୂତନ ଭାବେ ଯୋଗଦାନ କରିଥିବା ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ମନମୁଖୀ କାରବାର ଯୋଗୁଁ ଏମିତି ଅବ୍ୟବସ୍ଥା ହୋଇଥିବା ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ନୂଆ ବିଡ଼ିଓଙ୍କ ଯୋଗୁଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି। ସାଧାରଣତନ୍ତ୍ର ଦିବସ ସଇଁତଲାରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଥାଏ। ଏହା ପୂର୍ବରୁ ସ୍ଥାନୀୟ ବୃଦ୍ଧିଜୀବି, ଆଇନଜୀବି, ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷକ ଶିକ୍ଷୟତ୍ରୀ, ଜନସାଧାରଣ ଓ ସାମ୍ବାଦିକମାନଙ୍କ ଉପସ୍ଥିତରେ ବୈଠକ ହୋଇଥାଏ ଏବଂ ଜାନୁଆରୀ ୨୬ରେ ବିଭିନ୍ନ କାର୍ଯ୍ୟକ୍ରମ ତଥା ମୁଖ୍ୟଅତିଥିଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରତିଯୋଗିତା, ଆଦର୍ଶ ଶିକ୍ଷକ, ଆଦର୍ଶ ସ୍ୱେଚ୍ଛାସେବୀ, ବ୍ଲକସ୍ତରୀୟ ସାହିତ୍ୟ, ଗଣିତ ବିଷୟଗୁଡିକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ରମାନଙ୍କୁ ସମ୍ମାନିତ କରାଯାଇଥାଏ। ତେବେ ଆଉ ମାତ୍ର ୬ ଦିନ ବାକି ଥିବାବେଳେ କେବେ ପ୍ରସ୍ତୁତି ବୈଠକ ହେବ ଓ ବିଭିନ୍ନ କାର୍ଯ୍ୟକ୍ରମ କିପରି ଭାବରେ ହେବ ବୋଲି ସାଧାରଣ ଆଲୋଚନା ଚାଲିଛି। ଏ ନେଇ ବିଡ଼ିଓଙ୍କୁ ଯୋଗାଯୋଗ କରିବାରୁ ସମ୍ଭବ ହୋଇପାରି ନାହିଁ । ଏଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବୀ ହେଉଛି।