ଫକୀରମୋହନ ବିଶ୍ୱବିଦ୍ୟାଳୟରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓ ଆନ୍ତର୍ଜାତିକ ଆଲୋଚନାଚକ୍ର ଉଦଯାପିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ସାହିତ୍ୟକୁ ଯୁବବର୍ଗ ନିକଟରେ ଗ୍ରହଣୀୟ ତଥା ଭାଷାକୁ ସମ୍ମାନସ୍ପଦ କରିବାର ପ୍ରୟାସରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ପ୍ରଯୋଜିତ‌ ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଓ ଆନ୍ତର୍ଜାତିକ ଆଲୋଚନାଚକ୍ର’ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।

ମାତୃଭଷା ଓ ଏହାର ଉନ୍ନତତର ଭବିଷ୍ୟତକୁ ନେଇ କାର୍ଯ୍ୟକ୍ରମମାନ ଆୟୋଜନରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପଦକ୍ଷେପ ସର୍ବଦା ସ୍ବତନ୍ତ୍ର। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସୁଦୃଢ ନେତୃତ୍ବରେ ଆୟୋଜିତ ତଥା ଅଧ୍ୟକ୍ଷତାରେ ଏହି ତିନିଦିନିଆ ସମ୍ମିଳନୀ ଓ ଆନ୍ତର୍ଜାତିକ ଆଲୋଚନାଚକ୍ରର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶ୍ବବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ, କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଦେବାଶିଷ ପାତ୍ର ଓ ସହସଂଯୋଜକ ଡକ୍ଟର ଅସୀମ ଅମିତାଭ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

ଏହି ତିନିଦିନିଆ କାର୍ଯ୍ଯକ୍ରମରେ , ଫକୀର ମୋହନ ସାହିତ୍ୟ ପରିଷଦ, ରେମୁଣା ସାହିତ୍ୟ ସଂସଦ, ସ୍ଵର୍ଣ୍ଣଚୂଡ ସାହିତ୍ୟ ପରିବାରର ସଦସ୍ୟଗଣ ଅଂଶଗ୍ରହଣ କରି ସ୍ବରଚିତ ଗଳ୍ପ, କବିତା ଆଦି ପରିବେଷଣ କରିଥିଲେ। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିମନ୍ତ୍ରିତ ସମସ୍ତ କବି, ସାହିତ୍ୟିକ, ଗାଳ୍ପିକ ଓ ଲେଖକଙ୍କୁ ସମ୍ମାନିତ କରିବା ସହ ଅଭିନନ୍ଦନ ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ରାଜ୍ଯ ସରକାରଙ୍କ ପ୍ରଯୋଜିତ ନୂଆ-ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଶ୍ବବିଦ୍ୟାଳୟରେ ଆୟୋଜିତ ହୋଇଯାଇଥିବା ଓଡ଼ିଆ କବିତା ଲିଖନ, କ୍ଷୁଦ୍ରଗଳ୍ପ ରଚନା, ପ୍ରବନ୍ଧ ଲିଖନ, ହସ୍ତାକ୍ଷର, ଭାଷଣ, କବିତାପାଠ, ଭଜନଗାନ, କୁଇଜ ଓ ନାଟକ ଆଦି ଅନ୍ତଃମହାବିଦ୍ୟାଳୟ ପ୍ରତିଯୋଗିତାମାନରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ମାନପତ୍ର ସହ ପୁରସ୍କାର ରାଶି ମଧ୍ଯ ପ୍ରଦାନ କରାଯାଇଥିଲା। ଉପସ୍ଥିତ ସମସ୍ତ ଅତିଥିଗଣ ଉଦବୋଧନ ଦେଇ ଏହି ସମ୍ମିଳନୀର ମୁଖ୍ଯ ଉଦ୍ଦେଶ୍ଯ ସଫଳ ରୂପାୟନ ହୋଇଥିବା ଯୋଗୁ ଏହାର ସଂଯୋଜକ, ସହାୟକ, ସମସ୍ତ ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ ଆୟୋଜିତ ଚିତ୍ରକଳା ପ୍ରଶିକ୍ଷଣ ଶିବିର ଓ ପ୍ରଦର୍ଶନୀ “ଅସ୍ମିତା” ରେ ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇ ଚିତ୍ରକଳା ଶିକ୍ଷାଲାଭ କରିଛନ୍ତି। ଏଥିରେ ଓଡ଼ିଶାର ବହୁ ସୁନାମଧନ୍ଯ ଚିତ୍ରକର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ଦ୍ବିତୀୟ ଦିନର ଆଲୋଚନାଚକ୍ରରେ ଆଲୋଚ୍ୟ ପ୍ରସଙ୍ଗ ‘ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ଏବଂ କବିତା ପାଠୋତ୍ସବ ରହିଥିବା ବେଳେ ତୃତୀୟ ଦିନର ପ୍ରସଙ୍ଗ ‘ଓଡ଼ିଆ ସଂସ୍କୃତି ଓ ପରମ୍ପରା’ ଓ ‘ଓଡ଼ିଆ ଗଳ୍ପ-ଆସର ଓ ଗଳ୍ପଚର୍ଚ୍ଚା’ ଥଲା। ଦ୍ବିତୀୟ ଦିନରେ ବରେଣ୍ଯ ଆଲୋଚକ ଭାବେ ପଦ୍ମଶ୍ରୀ ବୈଷ୍ଣବ ଚରଣ ମହାନ୍ତି, ପ୍ରଫେସର ମନୋରଞ୍ଜନ ପ୍ରଧାନ, ଡକ୍ଟର ତମସାରାଣୀ ଦାସ ମହାପାତ୍ର, ଡକ୍ଟର ଦେବାଶିଷ ମହାପାତ୍ର, ଡକ୍ଟର ହରିଶ୍ଚନ୍ଦ୍ର ବେହେରା ଓ କବି ଶ୍ରୀଦେବ ପ୍ରମୁଖ ଯୋଗ ଦେଇଥିବା ବେଳେ ଶେଷଦିନରେ ଡକ୍ଟର ଜୟନ୍ତୀ ରଥ, ଡ଼କ୍ଟର ଅରବିନ୍ଦ ଗିରି, ଡକ୍ଟର ଲଲାଟେନ୍ଦୁ ଦାସ ମହାପାତ୍ର, ଡକ୍ଟର ସୁରେଶ ଛୋଟରାୟ, ଡକ୍ଟର କବିତା ବାରିକ ଓ ନିମନ୍ତ୍ରିତ ଛଅଜଣ ଗାଳ୍ପିକ ଗଳ୍ପପଠନ କରିଥିଲେ।
ସନ୍ଧ୍ଯାକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ ‘ସ୍ରଷ୍ଟା’ ଅନୁଷ୍ଠାନ ଦ୍ବାରା ପ୍ରଯୋଜିତ ଓ ହେମେନ୍ଦ୍ର ମହାପାତ୍ରଙ୍କ ଦ୍ବାରା ରଚିତ ଐତିହ୍ଯ ନାଟକ ‘ମୁଁ ହାଟ ବାହୁଡ଼ା’ ପରିବେଷଣ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମଟି ପ୍ରଫେସର ଡ଼କ୍ଟର ଦେବାଶିଷ ପାତ୍ରଙ୍କ ତତ୍ତ୍ବାବଧାନରେ ସହାୟକ ଅଧ୍ୟାପକ ଶଶାଙ୍କ ଶେଖର ଗଡନାୟକ, ସହାୟକ ଅଧ୍ୟାପିକା ଜିନା ପ୍ରିୟଙ୍କା ଜେଠୀ ଓ ଡ଼କ୍ଟର ଦେବସ୍ମିତା ବାରିକ କାର୍ଯ୍ୟକ୍ରମର ସଂଚାଳନ କରିବା ସହ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସମ୍ମିଳନୀର ପ୍ରମୁଖ ଆକର୍ଷଣ ଭାବେ ଶ୍ରୀଜଗନ୍ନାଥଙ୍କ ବତିଶ ବେଶ ଓ ଦଶାବତାର ରୂପ ପ୍ରଦର୍ଶନ ସ୍ଥାନରେ ହରିନାମ ଓ ଭଜନକୀର୍ତ୍ତନର ଆସର ମନଛୁଆଁ ହୋଇଥିଲା। ଏଥିସହ ଶ୍ରୀଜଗନ୍ନାଥଧାମ ପୂରୀରୁ ଆସିଥିବା ଭୋଗ ତଥା ଏଥିସହ ସଦ୍ଯ ପ୍ରସ୍ତୁତ ହୋଇ ବିକ୍ରୟ ପାରମ୍ପରିକ ମିଠା ଓ ପିଠାର ସମ୍ଭାର ଦର୍ଶକମାନଙ୍କୁ ଆକୃଷ୍ଟ କରିଥିଲା। ସମ୍ମିଳନୀର ସମାପନୀ ଉତ୍ସବରେ ବିଶ୍ବବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀ, ଆମନ୍ତ୍ରିତ ଅତିଥିବୃନ୍ଦ, ନିକଟସ୍ଥ ଗ୍ରାମବାସୀଙ୍କ ସହିତ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.