ନାକେଦମ୍ ହେବାକୁ ପଡିଲା ରାୟଗଡା ଜିଲ୍ଳା ପ୍ରଶାସନକୁ: ହଟହଟ୍ଟା ହୋଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା ଗଲେ ଶ୍ରଦ୍ଧାଳୁ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରାରେ ଜଗନ୍ନାଥପ୍ରେମୀ ଶ୍ରଦ୍ଧାଳୁଙ୍କୁ ବସ ଯୋଗେ ପୁରୀ ପଠାଇବାରେ ନାକେଦମ୍ ହେବାକୁ ପଡିଥିଲା ରାୟଗଡା ଜିଲ୍ଳା ପ୍ରଶାସନକୁ । ରାୟଗଡାରୁ ପୁରୀ ପାଖାପାଖି ୮୦୦କିଲୋମିଟର ଦୂରତା ଯାଏଁ ଯିବା ଆସିବା ଯାତ୍ରା କରିବାକୁ ଆରାମଦାୟକ ସିଟ୍ ଥିବା ବସଗୁଡିକର ବ୍ୟବସ୍ଥା ନ କରାଯାଇ ସାଧାରଣ ସିଟ୍ ଥିବା ସ୍ଥାନୀୟ ବସଗୁଡିକରେ ଯିବାର ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରି ହଟ୍ଟଗୋଳ କରିଥିଲେ ଶ୍ରଦ୍ଧାଳୁ । ପରେ ପ୍ରଶାସନିକ ଅଧିକାରୀମାନେ ଶ୍ରଦ୍ଧାଳୁଙ୍କୁ ବୁଝାସୁଝା କରିଥିବା ବେଳେ ଆଂଚଳିକ ପରିବହନ ଅଧିକାରୀ ଅନ୍ୟ ବସଗୁଡିକର ବ୍ୟବସ୍ଥା କରିବା ପରେ ରାତ୍ର ୯ଟା ପରିବର୍ତେ ରାୟଗଡାରୁ ବିଳମ୍ବିତ ରାତ୍ର ୨ଟା ପରେ ବସଗୁଡିକ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡିଛି ।

ରାୟଗଡା ନିର୍ବାଚନ ମଣ୍ଡଳିର ରାୟଗଡା ପୈାରାଂଚଳ ସମେତ ରାୟଗଡା ଓ କାଶିପୁର ବ୍ଳକର ୧୫୬୦ଜଣ ଶ୍ରଦ୍ଧାଳୁଙ୍କ ନେଇ ପୁରୀ ଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ଯାତ୍ରା ନିମନ୍ତେ ଜାନୁଆରୀ ୩୧ତାରିଖରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଥିଲା । ଏହି କ୍ରମରେ ରାୟଗଡା ଆଂଚଳିକ ପରିବହନ ବିଭାଗ ପକ୍ଷରୁ ୩୪ଟି ବସ’ର ବ୍ୟବସ୍ଥା କରାଯାଇଥିଲା । ରାୟଗଡା ବ୍ଳକର ୨୮ଗୋଟି ଗ୍ରାମ ପଂଚାୟତର ୫୬୦ଜଣ ଶ୍ରଦ୍ଧାଳୁମାନେ ଏବଂ ରାୟଗଡା ପୈାରାଂଚଳର ୨୪ଗୋଟି ୱାର୍ଡରୁ ୪୮୦ଜଣ ଶ୍ରଦ୍ଧାଳୁ ପୁରୀ ଯିବା ପାଇଁ ଅପରାହ୍ନରେ ସ୍ଥାନୀୟ ଜିସିିଡି ପଡିଆ ଠାରେ ଏକଜୁଟ୍ ହୋଇଥିଲେ ।

ଜିଲ୍ଳା ପ୍ରଶାସନ ପକ୍ଷରୁ ରାୟଗଡା ବ୍ଳକର ଶ୍ରଦ୍ଧାଳୁଙ୍କ ପାଇଁ ୧୨ଟି ଏବଂ ରାୟଗଡା ପୈାରାଂଚଳ ଓ କାଶିପୁର ବ୍ଳକର ଶ୍ରଦ୍ଧାଳୁଙ୍କ ପାଇଁ ୧୧ଗୋଟି ଲେଖାଁଏ ୨୨ଟି ବସ’ର ବ୍ୟବସ୍ଥା କରାଯାଇଥିଲା । ତେବେ ରାୟଗଡା ବ୍ଳକର ଶ୍ରଦ୍ଧାଳୁମାନଙ୍କ ପାଇଁ କରାଯାଇଥିବା ୧୨ଟି ବସ ମଧ୍ୟରୁ ପାଖାପାଖି ୬ଟି ବସର ସାଧାରଣ ସିଟ୍‌ରେ ବସି ଯାତ୍ରା କରିବା ଶ୍ରଦ୍ଧାଳୁଙ୍କ କ୍ଷେତ୍ରରେ ଅସୁବିଧା ହେବା ନେଇ ପଂଚାୟତଗୁଡିକର ଜନ ପ୍ରତିନିଧିମାନେ ହଟ୍ଟଗୋଳ କରିଥିଲେ ଏବଂ ଆରାମଦାୟକ ସିଟ୍ ଥିବା ବସଗୁଡିକର ବ୍ୟବସ୍ଥା କରା ନ ଗଲେ କେହି ବି ଯାତ୍ରୀ ପୁରୀ ଯିବେ ନାହିଁ ବୋଲି ନିଷ୍ପତି ନେଇଥିଲେ । ଘଟଣାକୁ ନେଇ ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ପୈାରାଧ୍ୟକ୍ଷା ଶ୍ରୀମତି ଶୁଭ୍ରା ପଣ୍ଡା, ରାୟଗଡା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, ଅତିରିକ୍ତ ଜିଲ୍ଳାପାଳ ଭାସ୍କର ଚନ୍ଦ୍ର ରଇତ, ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାରରଂଜନ କହଁର, ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିଷ୍ଣୁପ୍ରସାଦ ପାତ୍ର, ଆଂଚଳିକ ପରିବହନ ଅଧିକାରୀ ଶିବଶଙ୍କର ଚୈାଧୁରୀ, ଏମଭିଆଇ, ରାୟଗଡା ବିଡିଓ ଅମୂଲ୍ୟ କୁମାର ସାହୁ, ଏବିଡିଓ କାଳୁଚରଣ ନାୟକ, ରାୟଗଡା ଥାନା ଅଧୀକାରୀ କେକେବିକେ କହଁରଙ୍କ ସମେତ ଅନ୍ୟ ଅଧିକାରୀମାନେ ପଂହଚି ଶ୍ରଦ୍ଧାଳୁମାନଙ୍କ ସହ ଆଲୋଚନା କରିବା ପରେ ପରିବହନ ଅଧିକାରୀ ଶ୍ରୀ ଚୈାଧୁରୀ ଅନ୍ୟ ବସ ବ୍ୟବସ୍ଥା କରିଥିଲେ ।

ସରକାରଙ୍କ ତରଫରୁ ୪୫ସିଟ୍ ଥିବା ବସ’ର ବ୍ୟବସ୍ଥା ପାଇଁ ନିଦ୍ଦେଶ ରହିଥିବା ବେଳେ ଏହି ବସଗୁଡିକରେ କୈାଣସି ଆରାମଦାୟକ ସିଟ୍ ବ୍ୟବସ୍ଥା ନ ଥିବା କହିଛନ୍ତି ପରିବହନ ଅଧିକାରୀ ଶ୍ରୀ ଚୈାଧୁରୀ । ରାୟଗଡାରୁ ୩ଟି ଏବଂ ରାମନାଗୁଡାରୁ ୨ଟି ବସ୍ ବ୍ୟବସ୍ଥା ହେବା ପରେ ଶ୍ରଦ୍ଧାଳୁମାନେ ବିଳମ୍ବିତ ରାତ୍ରରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.