ଜନଜାତି କଳାକାରଙ୍କ ପରିବେଷଣରେ ୩ଦିନ ଧରି ଦୁଲକିବ ମଂଚ
ଆଦିବାସୀମାନଙ୍କ କଳା, ସଂସ୍କୃତି, ପରମ୍ପରା ବିଶ୍ୱରେ ନିଆରା -ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଦିବାସୀ ବହୁଳ ରାୟଗଡା ଜିଲ୍ଳାର ଜନଜାତି କଳା,ସଂସ୍କୃତି ଓ ପରମ୍ପରାର ପ୍ରୋତ୍ସାହନ ନିମନ୍ତେ ସ୍ୱତନ୍ତ ଉନ୍ନୟନ ପରିଷଦ (ଏସଡିସି )ରାୟଗଡା ଆନୁକୂଲ୍ୟରେ ଜିଲ୍ଳାସ୍ତରୀୟ ଜନଜାତି ସାଂସ୍କୃତିକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ରାୟଗଡା ଜିଲ୍ଳା ଏସଡିସି ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝିଙ୍କ ପୈାରାହିତ୍ୟରେ ସହରର ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ଆଜି ଗୁରୁବାର ଫେବୃଆରୀ ୧ରୁ ଆସନ୍ତା ୩ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବର ପ୍ରଥମ ସଂଧ୍ୟାର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିଳା ଏବଂ ଶିଶୁ ବିକାଶ,ମିଶନ ଶକ୍ତି ବିଭାଗୀୟ ମନ୍ତ୍ରୀ ଶ୍ରୀମତି ବାସନ୍ତି ହେମ୍ବ୍ରମ୍ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ବିଶିଷ୍ଠ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାଜ୍ୟ ଉପଦେଷ୍ଠା ପ୍ରଦୀପ ମାଝି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ଜିଲ୍ଳା ଏସଡିସି ଉପାଧ୍ୟକ୍ଷ ବନମାଳି କାଡ୍ରକା,ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତ,ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ପ୍ରସାଦ ପାତ୍ର ପ୍ରମୁଖ ମଂଚାସୀନ ହୋଇଥିଲେ । ତିନି ଦିନ ବ୍ୟାପି ଏହି ସାଂସ୍କୃତିକ ଉତ୍ସବରେ ରାୟଗଡା ଜିଲ୍ଳା ତଥା ରାଜ୍ୟର ବିଭିନ୍ନ ଜିଲ୍ଳାରୁ ଜନଜାତି ଲୋକ ନୃତ୍ୟ,କଳା ଓ ସଙ୍ଗୀତର ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିସହ ମେଳାରେ ଜନଜାତି ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପାରମ୍ପରିକ ବସ୍ତୁ ଓ ଦ୍ରବ୍ୟ ସଂପର୍କୀତ ଶହେଟି ଷ୍ଟଲ ଖୋଲାଯାଇଛି ।
ଏସଡିସି ମାଧ୍ୟମରେ ଜନଜାତିମାନଙ୍କ କଳା,ସଂସ୍କୃତି,ପରମ୍ପରାକୁ ଉଦଜୀବିତ ରଖିବା ପାଇଁ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ କଳାକାରମାନଙ୍କୁ ବାଦ୍ୟଯନ୍ତ୍ର ବଂଟନ କରାଯାଇଛି ଏବଂ ଯୁବକଯୁବତୀଙ୍କ ଭିତରେ ଲୁଚି ରହିଥିବା କ୍ରୀଡା ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ କ୍ରୀଡା ଉତ୍ସବର ବ୍ୟବସ୍ଥା କରାଯାଇଥିବା ନେଇ ଜିଲ୍ଳା ଏସଡିସି ଅଧ୍ୟକ୍ଷା ଶ୍ରୀମତି ମାଝି ସ୍ୱାଗତ ଭାଷଣରେ ନିଜ ବକ୍ତବ୍ୟ ରଖିଥିଲେ ।
ଜନଜାତିମାନଙ୍କ ସମସ୍ତ କ୍ଷେତ୍ରରେ ପ୍ରଗତି ନିମନ୍ତେ ଜନଜାତି ବହୁଳ ଜିଲ୍ଳାଗୁଡିକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଥିବା ବେଳେ ସେମାନଙ୍କ ଠାରେ ଲୁଚି ରହିଥିବା କଳା,ସଂସ୍କୃତିର ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ସବୁ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି ସେଥିପାଇଁ ମୁଁ ଧନ୍ୟବାଦ ଦେଉଛି ବୋଲି କହିବା ସହ ରାୟଗଡା ଠାରେ ଅନୁଷ୍ଠିତ ହୋଇଥିବା ଜନଜାତି ସାଂସ୍କୃତିକ ମହୋତ୍ସବର ସାଜସଜ୍ଜା ଏବଂ ଷ୍ଟଲଗୁଡିକରେ ଏସଏଚଜି ମହିଳାମାନଙ୍କ ଯୋଗଦାନକୁ ମୁଖ୍ୟ ଅତିଥି ଶ୍ରୀମତି ହେମ୍ବ୍ରମ୍ ବେଶ୍ ପ୍ରଶଂସା କରିଥିଲେ ।
ପରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଷ୍ଟଲ ଠାରେ ନିୟମଗିରି ପାହାଡରୁ ଉତ୍ପାଦିତ ହୋଇଥିବା ଷ୍ଟ୍ରବେରୀ ଫଳ ଷ୍ଟଲକୁ ଉଦ୍ଘାଟନ କରି ଡଙ୍ଗରିଆ ଯୁବତୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଥମ ସଂଧ୍ୟାରେ ମଂଚରେ ଘୋଷିକା ବିଦିତା ଶତପଥି ଓ ଡ.ଦ୍ୱିତୀଚନ୍ଦ୍ର ସାହୁ ଘୋଷକ ଭାବେ ସଂଯୋଜନା କରିଥିବା ବେଳେ ବିଭିନ୍ନ ଜନଜାତି ସାଂସ୍କୃତିକ ଦଳ ପକ୍ଷରୁ ଲୋକ ନୃତ୍ୟ,ସଂଗୀତ ପରିବେଷଣ କରାଯାଇଥିଲା ।