ବିକାଶ ନାଁରେ ଧୁଆଁବାଣ: ୮ ବର୍ଷ ହେଲା ଅଧାପନ୍ତରିଆ ହୋଇ ପଡ଼ିରହିଛି ଲାନ୍ଥନଦୀ ବ୍ରିଜ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବିକାଶ ନାଁରେ ଓଡିଶାକୁ ପରିବର୍ତନ କରି ଦେଇଥିବା କଥା ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ସହ ‘ନୁଆ ଓଡିଶା ନବୀନ ଓଡିଶା’ ର ନାରା ଦେଇ ବ୍ୟାପକ ପ୍ରଚାର ପ୍ରସାର କରୁଛନ୍ତି l ଏପରିକି ବିକାଶ ବଦଳରେ କେବଳ ପ୍ରଚାର ପ୍ରସାରରେ ସିଂଘ ଭାଗ ଅର୍ଥ ଖର୍ଚ୍ଚ କରୁଥିବା ଦେଖାଯାଉଛି l ପ୍ରକଳ୍ପ କାର୍ଯ୍ୟକାରୀ ହେବାର ଦୂର କଥା କେବଳ ନିର୍ବାଚନ ସମୟରେ ଶିଳାନ୍ୟାସ ଓ ଅଧାପନ୍ତରିଆ କାର୍ଯ୍ୟକୁ ଉଦଘାଟନ କରି ବାହାବା ନେବାକୁ ସରକାରୀ ଦଳ ଉଦ୍ୟମ ଜାରି ରଖିଛନ୍ତି l ଏପରି ଘଟଣାମାନ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ସଇଁତଲା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି l ପ୍ରକାଶ ଯେ, ବଲାଙ୍ଗୀର ସଇଁତଲା-ବାଡ଼ିପଡ଼ା ଲାନ୍ଥନଦୀ ବ୍ରିଜ ଆଜିକୁ ୮ ବର୍ଷ ହେଲା ଅଧାପନ୍ତରିଆ ହୋଇ ପଡିରହିଛି l ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି l ଏହି ବ୍ରିଜ ଉପରେ ୫ ଗୋଟି ପଞ୍ଚାୟତର ଲୋକେ ନିର୍ଭର କରିଥିବା ବେଳେ ରାଜ୍ୟ, ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଚରମ ଅବହେଳା କାରଣରୁ ଏହା ସମ୍ପୂର୍ଣ୍ଣ ହୋଇ ପାରୁ ନ ଥିବା ଦେଖାଦେଇଛି l ଉକ୍ତ ବ୍ରିଜ ନିର୍ମାଣ ଲାଗି ଗତ ୧୫/୦୧/୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଉଦଘାଟନ କରିଥିଲେ l ଏଥିରେ ୧୨କୋଟି ୯୪ଲକ୍ଷଟଙ୍କା ଅନୁଦାନ ବ୍ୟୟ କରାଯାଇ ଗତ ୧୪/୦୫/୨୦୧୮ ମସିହାରେ ବ୍ରିଜ ନିର୍ମାଣ କାର୍ଯ୍ୟ ସମାପ୍ତ ହେବା କଥା କିନ୍ତୁ ଠିକାଦାର ଓ ଲୋକ ପ୍ରତିନିଧିଙ୍କ ଅବହେଳା ଯୋଗୁଁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ l ଏହି ବ୍ରିଜ ଉପରେ ବ୍ଲକର ଡୁଙ୍ଗୁରିପାଲି, ସଇଁତଲା, ଘୁନସର, ଆମ୍ବପାଲି, କଅସର ଭଳି ଅନେକ ପଞ୍ଚାୟତର ହଜାର ହଜାର ଲୋକେ ଏହି ବାଡ଼ିପଡ଼ା ରାସ୍ତା ଦେଇ ଯିବା ଆସିବା କରିଥାନ୍ତି l ତେବେ ୮ ବର୍ଷ ରୁ ଅଧିକ ହେବ ବ୍ରିଜ ସମ୍ପୂର୍ଣ୍ଣ ହେଉ ନ ଥିବାବେଳେ ଯାତାୟତ କରିବା ଲାଗି ସ୍କୁଲ, କଲେଜ ଛାତ୍ର ଛାତ୍ରୀଙ୍କ ସମେତ ଗର୍ଭବତୀ ମହିଳାମାନଙ୍କ ଲାଗି ଅନେକ ଅସୁବିଧା ହେଉଛି l ବିଗତ ବର୍ଷରେ ତତ୍କାଳୀନ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ସ୍ଥାନୀୟ ମନ୍ତ୍ରୀ ଟୁକୁନି ସାହୁ ପରିଦର୍ଶନ ଲାଗି ଆସିଥିବାରୁ ନିର୍ମାଣ ଅବହେଳା କରାଯାଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ ଉଠାଇଥିଲେ l ଏହି ବ୍ରିଜ ନିର୍ମାଣ ଲାଗି ଅନେକ ଥର ସ୍ଥାନୀୟ ଅଞ୍ଚଳ ଜନସାଧାରଣ ଓ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା l ଏହା ସହିତ କୋଶଲ ରାଜ୍ୟ ଯୁବ ସମନ୍ନୟ ସମିତି ଦ୍ୱାରା ବ୍ରିଜ ନିର୍ମାଣ ଦାବୀରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ ମଧ୍ୟ କରାଯାଇଥିଲା l ବ୍ରିଜ କାର୍ଯ୍ୟ ଶୀଘ୍ର ଆରମ୍ଭ ନ କରାଗଲେ ଆଗାମୀ ଦିନରେ ଅଞ୍ଚଳବାସୀ ଭୋଟ ବର୍ଜନ କରିବାର ଆଶଙ୍କା ଦେଖା ଦେଇପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.