ସୁନ୍ଦର ଭୀମା ଓ କନ୍ଧେନ ରନୀଙ୍କ ବିବାହ

ନାଇକାଣୀ ଗୁମା ବାଲିଯାତ୍ରା ମହୋତ୍ସବ ସଂପନ୍ନ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ନାଇକାଣୀ ଗୁମା ଓ ଖଇରମାଲ ଗ୍ରମରେ ସୁନ୍ଦର ଭୀମା ତଥା ଭୀମା ଓ କନ୍ଧେନ ରନୀଙ୍କ ବିବାହ ମହୋତ୍ସବ ସମ୍ପନ୍ନ ହୋଇଯାଇଅଛି। ଏହି ବାଲିଯାତ୍ରା ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇ ତିନି ମାସ ଧରି ଚାଲିଥିଲା। ପ୍ରତିଦିନ ସନ୍ଧ୍ୟାରେ ବାଲିଯାତ୍ରା ପଡ଼ିଆରେ ବାଲିଘରରେ ଗୁରୁମେ ଗ୍ରାମ ଦେବାଦେବୀଙ୍କୁ ଆବାହନ କରୁଥିଲେ। ପରେ ଭୀମା ଦେବତାଙ୍କ କନ୍ୟା ଖୋଜା ଚାଲିଥିବା ବେଳେ ଭୀମା ଦେବତାଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଗ୍ରାମ ଦେବତାଙ୍କୁ ପରୀକ୍ଷା କରିବା ପାଇଁ ଗ୍ରାମର ପୂଜକ ସହିତ କିଛି ଲୋକ କାଠରେ ତିଆରି ଭୀମା ଓ କନ୍ଧେନ ରନୀଙ୍କ ଦୁଇଖଣ୍ଡ ଖୁଣ୍ଟକୁ ରାତିରେ ନିକଟରେ ଥିବା ପୋଖରୀରେ ଲୁଚାଇ ଥିଲେ। ତାପର ଦିନ ତଥା ପର୍ବର ସମାପନ ଦିବସରେ ଗ୍ରାମର ଦେବାଦେବୀଙ୍କ ଲାଠା କୁର୍ସୀ କଳସି ସହିତ ଗ୍ରାମବାସୀ ପୋଖରୀରେ ଲୁଚାଯାଇଥିବା ଖୁଣ୍ଟକୁ ଭୀମା ଖୋଜି ବାହାର କରିବା ପରେ ପୁଣିଥରେ ବାଲିଯାତ୍ରା ପଡିଆକୁ ନିଆଯାଇ ଥିଲା। ପରେ ପାରମ୍ପରିକ ରିତି ନିତିରେ  ସୁନ୍ଦର ଭୀମା ଓ କନ୍ଧେନ ରନୀ ଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବାଲିଯାତ୍ରା ପୀଠରେ ଥିବା ଦେବୀ ଖୁଣ୍ଟ ସମ୍ମୁଖରେ ଭୀମା ଓ କନ୍ଧେନ ରନୀଙ୍କୁ ବସାଇ ହଳଦୀ ଖେଳ ସହ ବିବାହ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିଲା। ଏହାପରେ ଦେବୀଙ୍କ ସମ୍ମୁଖରେ ବଲି ଦିଆଯାଇଥିଲା। ଉଦଯାପନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝି, ବାଣ୍ଡି ଗାଁ ସରପଞ୍ଚ ଲକ୍ଷ୍ମଣ ସୁନାନୀ, ସାମ୍ବାଦିକ ପ୍ରଭାକର ପଟ୍ଟନାୟକ, ଶୁଶିଲ ନାଏକ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ନାଇକାଣୀ ଗୁମା ଗ୍ରାମର ପୂଜକ କୃପାସିନ୍ଧୁ ପୁଝାରୀ, ରାମନାଥ ପୁଝାରୀ, କ୍ଷିରସିନ୍ଦୁ ପୁଝାରୀ ଗ୍ରାମ ଦେବାଦେବୀଙ୍କ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ବାଲିଯାତ୍ରା ପୂଜା ଗ୍ରାମ୍ୟ କମିଟିର ସଭାପତି ସରାସନ ନାଏକ, ସମ୍ପାଦକ ଶଙ୍କର ପ୍ରସାଦ ନାଏକ, କୋଷାଧ୍ୟକ୍ଷ ଲକ୍ଷ୍ମଣ ଶବର ସମେତ ନାଇକାଣୀ ଗୁମା ଓ ଖଇରମାଲ ଗ୍ରାମବାସୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.