ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟଠାରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟଠାରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ୱର ଓ ବିଶ୍ଵବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର କୁଳପତି କର୍ଣ୍ଣେଲ ଡ. ସଞ୍ଜୟ କୁମାର ଶତପଥୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଶ୍ଵବିଦ୍ୟାଳୟର କୁଳସଚିବ ପୀତାମ୍ବର ଭୋଇ, ସିପିଜିସି ଡ. ନିବେଦିତା ନାଥ, ଉପ କୁଳସଚିବ ମେଜର ଜୟଦେବ ସାହୁ, ଓଡ଼ିଆ ଭାଷା ପ୍ରତିଷ୍ଠାନର ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ବିତ୍ତ ଅଧିକାରୀ କ୍ଷେତ୍ରବାସୀ ମାନସେଠ୍ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଆଲୋଚକ ଭାବେ ଡ. ବୈରାଗୀ ଚରଣ ପଟ୍ଟନାୟକ ଓ ପରମେଶ୍ବର ମୁଣ୍ଡ ଯୋଗଦେଇଥିଲେ। ଶାସ୍ତ୍ରୀୟ ଓଡ଼ିଆ ଭାଷାର ଐତିହ୍ୟ ଓ ଭବିଷ୍ୟତ ଏବଂ ଓଡ଼ିଆ ଭାଷାର ସମୃଦ୍ଧି ସାଧନରେ କଳାହାଣ୍ଡିର କଥିତ ଭାଷାର ଭୂମିକା ଉପରେ ଆଲୋଚନା ହୋଇଥିଲା। ଏ ଅବସରରେ ବିଶିଷ୍ଟ ଲେଖିକା ତଥା ଓଡ଼ିଆ ବିଭାଗ ମୁଖ୍ୟ ଡ. ପଲ୍ଲୀଶ୍ରୀ ପଟ୍ଟନାୟକଙ୍କ ପୁସ୍ତକ ‘ ଗୋଟେ ଏକେଲା ସ୍ତ୍ରୀଲୋକର ବାଇଓଗ୍ରାଫି’ ଓ ‘ସମକାଳର ସମାଲୋଚନା’ ଏବଂ କବି ଜୟଦ୍ରଥ ସୁନାଙ୍କ ‘ଲିଭି ଆସୁଥିବା ଚୁଲି’ ଉନ୍ମୋଚିତ ହୋଇଥିଲା। କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଗାଳ୍ପିକ ଡିଲେଶ୍ୱର ରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ଦୀପ ପ୍ରଜ୍ଜଳନ ପରେ ବିଭାଗର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ସହଯୋଗୀ ପ୍ରଫେସର ଡୋଳାମଣି ଧରୁଆ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଭାଗ ମୁଖ୍ୟ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ସଭା ପରିଚାଳନା କରିଥିଲେ ବିଭାଗର ଅଧ୍ୟାପିକା ସାଗରିକା ଦଳେଇ, ଡ. ପ୍ରତ୍ୟାଶା ଧଳ, ଅଧ୍ୟାପକ ବାଲ୍ମୀକି କରୁଆଁ, ରେଣୁକା ଡାକୁଆ ଓ ସୁବ୍ରତ ମାଝୀ। ଏଥିରେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.