ଜନନେତା ଡାକ୍ତର ଦାମୋଦର ରାଉତଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ):  ଓଡ଼ିଶା ରାଜନୀତିର ଭୀଷ୍ମ ପିତାମହ କୁହାଯାଉଥିବା ଜନନେତା ଡାକ୍ତର ଦାମୋଦର ରାଉତ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆଜି ଭୋର ୫ଟା ୨୩ ମିନିଟରେ ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ଦିନ ଧରି କିଡନୀ ସମସ୍ୟା ସହ ଯୁଝୁଥିବା ଦାମୋଦର ରାଉତ ଗତ ୧୮ ତାରିଖ ବିଳମ୍ବିତ ରାତିରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ଅକ୍ସିଜେନ୍ ସାଚୁରେସନ କମିବା ପରେ, ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ସେ ହୃଦଘାତର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ଘରୋଇ ହସ୍ପିଟାଲକୁ ନେବା ଭିତରେ ବ୍ରେନକୁ ବ୍ଲଡ ଓ ଅକ୍ସିଜେନ୍ ସପ୍ଲାଇ କମିଯାଇଥିଲା ବୋଲି କହିଛନ୍ତି ତାଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ  । ଘରୋଇ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ସିପିଆର୍ ଦିଆଯାଇଥିଲା ଏବଂ ହାର୍ଟ ଚାଲିଥିଲା । ତେବେ ମସ୍ତିଷ୍କରେ ଗୁରୁତର କ୍ଷତି ହୋଇଥିବାରୁ ସେ ଅଲମୋଷ୍ଟ ବ୍ରେନଡେଡ୍ ସ୍ଥିତିରେ ବୋଲି କହିଥିଲେ ପୁଅ ସମ୍ବିତ । ଓଡ଼ିଶା ରାଜନୀତିର ଜଣେ ମହାଦ୍ରୁମ ଭାବେ ପରିଚିତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ । ୭ ଥର ବିଧାୟକ ଓ ବହୁ ବାର ମନ୍ତ୍ରୀ ହୋଇଥିବା ଦାମୋଦର ବିଜୁ ପଟ୍ଟନାୟକଙ୍କର ବି ଥିଲେ ଅତି ଘନିଷ୍ଠ ସହଯୋଗୀ । ୧୯୭୭ ମସିହାରେ ପ୍ରଥମ ଥର ପାଇଁ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତାଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଦାମୋଦର । ପରେ ୧୯୮୦ରେ ଜନତା ଦଳ ସେକୁଲାରରୁ ଜିତି ଦ୍ୱତୀୟ ଥର ପାଇଁ ବିଧାନସଭା ଆସିଥିଲେ । ଯଦିଓ ୧୯୯୫ ମସିହାରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା, ହେଲେ ୨ ହଜାରରୁ ୨୦୧୯ ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ ଲଗାତର ନିର୍ବାଚିତ ହୋଇ ଆସିଥିଲେ । ୫ଥର ଏରସମା ଓ ୨ଥର ପାରାଦ୍ୱୀପରୁ ଲଢି ବି ଜିତିଥିଲେ ଦାମୋଦର ।  ବିଜୁ ପଟ୍ଟନାୟକ ଓ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ସରକାରରେ ବିଭିନ୍ନ ସମୟରେ କୃଷି, ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ସମବାୟ ଭଳି ୭ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ସମ୍ଭାଳି ଥିଲେ ଦାମୋଦର | ତେବେ ୨୦୧୭ ମସିହାରେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା । ତାପରେ ସେ ମାର୍ଚ୍ଚ ୨୦୧୯ରେ ବିଜେପିରେ ମିଶି ବାଲିକୁଦାରୁ ପଦ୍ମଫୁଲ ଚିହ୍ନରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ | ତେବେ ଗତ ଜାନୁଆରୀ ମାସରେ ବିଜେଡି ତାଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇ ଥିଲା । ଜଣେ ଦକ୍ଷ ରାଜନେତାଭାବେ ଦାମୋଦର ଯେତିକି ଜଣାଶୁଣା ତାଙ୍କ ରୋକଠୋକ୍ କଥାବାର୍ତ୍ତା ପାଇଁ ମଧ୍ୟ ସେ ସେତିକି ଚର୍ଚ୍ଚିତ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.