ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ବିଦ୍ୟୁତ ବିଭାଗର ଅବହେଳା ତଥା ଅସାବଧାନତା ଯୋଗୁଁ ବିଭିନ୍ନ ସମୟରେ ଅଘଟଣ ମାନ ଘଟିଥିବା ନଜିର ରହିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅନେକଙ୍କ ପ୍ରାଣ ହାନୀ ଘଟିଥିବା ବେଳେ ଅନେକ ବ୍ୟକ୍ତି ସାରା ଜୀବନ ପାଇଁ ଅସହାୟ ଅବସ୍ଥାରେ ପଙ୍ଗୁ ହୋଇ ରହିଯାଇଛନ୍ତି। ଅତୀତରେ ଏଭଳି ଅନେକ ଘଟଣାର ଦୃଷ୍ଟାନ୍ତ ରହିଛି। ଆଜିବି ଅନେକ ଅଞ୍ଚଳରେ ବିଦ୍ୟୁତ ଟ୍ରାନ୍ସଫର୍ମର ଗୁଡିକ ସୁରକ୍ଷା ବାଡ ଅଭାବରୁ ମୁକୁଳା ଅବସ୍ଥାରେ ପଡିରହିଛି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମ ପଞ୍ଚାୟତ ଅଧିନ କାଠଘରା ଆବାସିକ ବିଦ୍ୟାଳୟରେ। ବିଦ୍ୟାଳୟ ପରିସରରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରେ ଆଜି ପର୍ଯ୍ୟନ୍ତ ସୁରକ୍ଷା ବାଡ ନଥିବା ବେଳେ ବିଦ୍ୟାଳୟର ୪୩୪ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିପଦ ସାଜିଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ଅଭିଯୋଗ ହୋଇଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ପଦକ୍ଷେପ ନନେବା ବିଡମ୍ବନାର ବିଷୟ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି। ଏଥି ସହିତ ଉକ୍ତ ପଞ୍ଚାୟତର ଗୋକଲମା ଗାଁକୁ ୧୧ କେଭିର ବିଦ୍ୟୁତ ତାର ସଂଯୋଗ ହୋଇଥିବା ବେଳେ ଗ୍ରାମର ପ୍ରତ୍ୟେକ ଘରକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ଗାଁର ବିଦ୍ୟାଳୟ ନିକଟରେ ଟ୍ରାନ୍ସଫର୍ମର ସ୍ଥାପନା କରାଯାଇଛି। ବିଦ୍ୟାଳୟ ସମେତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ପାଖରେ ରହିଛି। ଯେଉଁଠି କୋମଳମତୀ ଛୁଆ ମାନେ ପଢିବାକୁ ଆସିଥାଆନ୍ତି। ଏସବୁକୁ ଦୃଷ୍ଟିରେ ରଖି ବିଦ୍ୟୁତ ବିଭାଗ ଟ୍ରାନ୍ସଫର୍ମର ଚାରିପଟରେ ସୁରକ୍ଷା ବାଡ ବ୍ୟବସ୍ଥା କରିବାର ଜରୁରୀ ରହିଛି। ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ରର ଅସମ୍ପୂର୍ଣ୍ଣ ପାଚେରୀ ରହିଥିବା ବେଳେ ଉଭୟ କେନ୍ଦ୍ରର ଛୁଆଙ୍କ ପାଇଁ ବିପଦର ଆଶଙ୍କା ରହିଛି। ବିଦ୍ୟୁତ ବିଭାଗ କୌଣସି ଅବହେଳା ନକରି ତୁରନ୍ତ ଟ୍ରାନ୍ସଫର୍ମର ଚାରିପଟରେ ସୁରକ୍ଷା ବାଡ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।