ନର୍ଲାରେ ହେବ ମହାସଂଗ୍ରାମ: ଅଡ଼ୁଆରେ ବିଜେଡ଼ି ବିଜେପି; ଭକ୍ତ ଦାସଙ୍କ ସହ ଲଢିବ କିଏ?

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଲୋକସଭା କ୍ଷେତ୍ରର ୭ ଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ନର୍ଲା ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି। ତିନି ପ୍ରମୁଖ ରାଜନୈତିକ ଦଳର ମାଳ ମାଳ ଆଶାୟୀ ଟିକେଟ ହାତେଇବା ପାଇଁ ଗତ ୨ ସପ୍ତାହ ଧରି ରାଜଧାନୀରେ ଡେରା ମାରିଥିବା ଜାଣିବାକୁ ମିଳୁଛି। ଜାତୀୟ କଂଗ୍ରେସ ଦଳର ସ୍ଥିତି ବର୍ତ୍ତମାନ ନର୍ଲାରେ ସେତେଟା ମଜଭୁତ ସ୍ଥିତିରେ ନାହିଁ। ତେବେ କଂଗ୍ରେସର ହେବିଓ୍ବେଟ ଭକ୍ତଚରଣ ଦାସ ନର୍ଲା ବିଧାନ ସଭା କ୍ଷେତ୍ର ପାଇଁ ନିଜେ ପ୍ରାର୍ଥି ହେବେ ବୋଲି ପ୍ରକାଶ କରିଛନ୍ତି। ଏହାକୁ ନେଇ ଛାମୁଆ ଦଳ ବିଜେଡି ଓ ବିଜେପିରେ ଛନକା ପଶିଛି। ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଘୋଷଣା ହୋଇ ସାରିଥିବା ବେଳେ ନର୍ଲା ସିଟ ଝୁଲନ୍ତା ଅବସ୍ଥାରେ ରହିଛି। ଏହାକୁ ନେଇ ନେତା ଓ ଭୋଟର୍ସ ସମସ୍ତଙ୍କ ହୃଦ୍‌ସ୍ପନ୍ଦନ ବଢିବାରେ ଲାଗିଛି। ନର୍ଲା ବିଧାନ ସଭା (୮୧) ଆସନ ପାଇଁ ସ୍ଥାନୀୟ ପ୍ରାର୍ଥିତ୍ୱ ପ୍ରସଙ୍ଗ ଯୋର ଧରିଥିବା ବେଳେ ବିଜେଡି ଓ ବିଜେପି ପ୍ରାର୍ଥି ଘୋଷଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବିଗତ ଦିନରେ କଳାହାଣ୍ଡି ସାଂସଦ ଓ କେନ୍ଦ୍ର ମନ୍ତ୍ରୀ ରହି ଥିବା ଭକ୍ତ ଦାସଙ୍କ ସହ ନିର୍ବାଚନୀ ମୈଦାନରେ ଲଢିବା ପାଇଁ ଟାଣୁଆ ଓ ଯୋଗ୍ୟ ପ୍ରାର୍ଥି ଚୟନ ନେଇ ଅଡୁଆରେ ଏବେ ବିଜେଡି ରହିଥିବା ବେଳେ ବିଜେଡିର ପ୍ରାର୍ଥି ଘୋଷଣାକୁ ଅପେକ୍ଷା କରିଛି ବିଜେପି। ଏବେ ବିଜେଡି ସମ୍ମୁଖରେ ସ୍ଥାନୀୟ ପ୍ରାର୍ଥିତ୍ୱ ପ୍ରସଙ୍ଗ ମୁଖ୍ୟ ମୁଦ୍ଦା ଭାବରେ ଦଣ୍ଡାୟମାନ ହୋଇପଡିଛି। ଯେଉଁ ଦଳ ସ୍ଥାନୀୟ ବ୍ୟକ୍ତିଙ୍କୁ ପ୍ରାର୍ଥି କରିବ ସେହି ଦଳ ନର୍ଲା ଆସନ ହାତେଇବ ବୋଲି ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି। ବିଜେଡି ଦଳରେ ସ୍ଥାନୀୟ ପ୍ରାର୍ଥି ଭାବରେ ଦୁଇ ଦୁଇ ଥର ବ୍ଲକ ଉପାଧ୍ୟକ୍ଷ ରହି ଆସିଥିବା ଦୁର୍ଗାପ୍ରସାଦ ମହାନ୍ତି ରହିଥିବା ବେଳେ ମାଆକୁ ସମ୍ମାନ ଓ ଗାଁକୁ କାମ ନାରା ଦେଉଥିବା ରାଜ୍ୟ ବିଜେଡି ସରକାର ନର୍ଲାକୁ ଯଦି ମହିଳା ସିଟ କରନ୍ତି ତେବେ ଦୁଇ ଦୁଇ ଥର ନର୍ଲା ବ୍ଲକ ଅଧ୍ୟକ୍ଷା ରହି ଆସିଥିବା ମନୋରମା ମହାନ୍ତି ଏଥିପାଇଁ ଫିଟ ପ୍ରାର୍ଥି ବୋଲି ଆଲୋଚନା ହେଉଛି। ସେହିଭଳି ସ୍ଥାନୀୟ ପ୍ରାର୍ଥିତ୍ୱ ପ୍ରସଙ୍ଗକୁ ବିଚାରକୁ ନିଆଯାଏ ତାହେଲେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ରହିଥିବା ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ନାମ ମଧ୍ୟ ବିଚାରକୁ ଅଣାଯିବା ଉଚିତ। ସେହିଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନର୍ଲାରେ ଆଦିବାସୀଙ୍କ ନେତୃତ୍ୱ ନେଉଥିବା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ମଧ୍ୟ ବିଜେଡ଼ି ଟିକେଟ ପ୍ରଦାନ କଲେ ଖେଳ କରିବେ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ବୋଲି ନର୍ଲାରେ ଆଲୋଚନା ହେଉଛି। ବିଜେଡି ଦଳୀୟ ଟିକେଟ ପାଇଁ ଲବି କରୁଥିବା ନିର୍ବାଚନ ମଣ୍ଡଳି ବାହାର ପ୍ରାର୍ଥି ରହିଛନ୍ତି ନର୍ଲା ବିଧାୟକ ଭୁପିନ୍ଦର ସିଂ। ଗତ ନିର୍ବାଚନରେ ନର୍ଲା ବିଧାନ ସଭା କ୍ଷେତ୍ର ପାଇଁ କଂଗ୍ରେସ ଦଳ ତରଫରୁ ପ୍ରାର୍ଥି ହୋଇ ତୃତୀୟ ସ୍ଥାନରେ ରହିଥିବା ଚିତ୍ତରଞ୍ଜନ (ବାବୁଲି) ମଣ୍ଡଳ ମଧ୍ୟ ଟିକେଟ ଲବିରେ ରହିଛନ୍ତି। ସେହିଭଳି ବିଜେପି ଟିକେଟ ଲବିରେ ରହିଥିବା ସ୍ଥାନୀୟ ପ୍ରାର୍ଥି ମାନଙ୍କ ମଧ୍ୟରେ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ, କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ କୁମରମଣି ଶବର, ଏହି ଘଡିସନ୍ଧି ମୂହୂର୍ତ୍ତରେ ଶଙ୍ଖ ଛାଡି ପଦ୍ମଧରି ଘର ବାହୁଡା ହୋଇଥିବା ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ ଓ ନିର୍ବାଚନ ମଣ୍ଡଳୀ ବାହାରୁ ବିଜେପି ଟିକେଟ ପାଇଁ ଲବି କରୁଥିବା ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଗତ ନିର୍ବାଚନରେ ନର୍ଲାରେ ଲଢି ଭୁପିନ୍ଦର ସିଂଙ୍କ ଠାରୁ ପରାଜୟ ବରଣ କରିଥିବା ଅନିରୁଦ୍ଧ ପଧାନ ପ୍ରମୁଖ ରହିଛନ୍ତି। ହେଲେ କଂଗ୍ରେସର ହେଭିୱେଟ ନେତା ଭକ୍ତ ଦାସଙ୍କ ସହ ନର୍ଲା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ଯୁଦ୍ଧ କରିବ କିଏ? ଏହାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକ ଅଛି ନର୍ଲାରେ କଂଗ୍ରେସର ସ୍ଥିତି ବର୍ତ୍ତମାନ ସେତେଟା ଭଲ ନୁହଁ। ହେଲେ ଏବେ ମଧ୍ୟ କଂଗ୍ରେସ କର୍ମୀମାନେ ଏକଯୁଟ ହୋଇ ରହିଛନ୍ତି। ଦୀର୍ଘ ଦିନରୁ କଂଗ୍ରେସର ଗଡ ରହିଆସିଥିବା ନର୍ଲା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ହୃଦୟରେ ଏବେ ମଧ୍ୟ ଭକ୍ତଦାସଙ୍କ ପ୍ରତି ସ୍ୱତନ୍ତ୍ର ସ୍ଥାନ ରହିଛି ଏହା ଅସ୍ୱିକାର୍ଯ୍ୟ। ଏଣୁ ଏହି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ବିଜେଡି ଓ ବିଜେପି ଉଭୟ ସ୍ଥାନୀୟ ପ୍ରାର୍ଥିଙ୍କୁ ଗୁରୁତ୍ୱ ଦେଇ ପ୍ରାର୍ଥି ଚୟନ କଲେ ନର୍ଲା ଆସନ ହୁଏତ ହାତେଇବା ସହଜ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପୋଷଣ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.