ହରିଶଙ୍କରଙ୍କୁ ନର୍ଲା ପ୍ରାର୍ଥୀ କରିବାକୁ ଆଦିବାସୀଙ୍କ ଦାବି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜେଡ଼ିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାକୁ ଅନେଇ ବସିଛନ୍ତି ଆଶାୟୀ, ବିଭିନ୍ନ ଦଳର ନେତା ଓ ସ୍ଥାନୀୟ ଜନ ସାଧାରଣ। କଳାହାଣ୍ଡି ଲୋକସଭା କ୍ଷେତ୍ରର ୭ଟି ବିଧାନସଭା ଆସନ ମଧ୍ୟରୁ ୫ ଟି ଘୋଷଣା ହୋଇଥିବାବେଳେ ନର୍ଲା ଓ ଖଡ଼ିଆଳ ଘୋଷଣା ହୋଇନାହିଁ। ନର୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିରୁ ଅନେକ ଆଶାୟୀ ଥିବାବେଳେ ସ୍ଥାନୀୟ ପ୍ରାର୍ଥୀତ୍ଵ ପ୍ରସଙ୍ଗ ଜୋର ଧରିଛି। ସ୍ଥାନୀୟ ପ୍ରାର୍ଥୀଙ୍କ ମଧ୍ୟରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ଜିଲ୍ଲାପରିଷଦ ସଦସ୍ୟ ତଥା ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀ ଟିକେଟ ଦୌଡ଼ରେ ରହିଥିବା ଜଣାପଡିଛି।
୧୯୬୭ରେ ସ୍ଥାପିତ ହୋଇଥିବା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ୧୯୭୭ ରୁ ୨୦୦୪ ନିର୍ବାଚନ ପର୍ଯ୍ୟନ୍ତ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିଲା। ୧୯୯୦ରେ ବଳଭଦ୍ର ମାଝୀ ଜନତା ଦଳରୁ ଲଢ଼ି ବିଧାୟକ ହୋଇଥିଲେ। ଏହାପରେ ୧୯୯୫, ୨୦୦୦ ଓ ୨୦୦୪ କ୍ରମାଗତ ଭାବେ ବଳଭଦ୍ର ବିଜେଡ଼ି ପ୍ରାର୍ଥୀ ହୋଇ ବିଜୟୀ ହୋଇ ଆସିଥିଲେ। ୨୦୦୯ରେ ନର୍ଲା ଆସନ ଅଣ ସଂରକ୍ଷିତ ହେବା ପରେ ଆଦିବାସୀ ବିଜେଡ଼ିରୁ ଦୁରେଇ ଗଲେ ଫଳ ସ୍ୱରୂପ କଂଗ୍ରେସ ପ୍ରାର୍ଥୀ ଭୁପିନ୍ଦର ସିଂ ବିଜୁ ଜନତା ଦଳର ଦୁର୍ଗ ଭାଙ୍ଗି ବିଧାୟକ ଭାବେ ନିର୍ବାଚିତ ହେଲେ। ଏହାର ପରବର୍ତ୍ତୀ ୨୦୧୪ ନିର୍ବାଚନରେ ବିଜେପିରୁ ଆସି ବିଜେଡ଼ି ପ୍ରାର୍ଥୀ ହୋଇଥିବା ଧନେଶ୍ଵର ମାଝୀ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଆଦିବାସୀ ସେହି ସମୟରେ ନିଜ ସଂପ୍ରଦାୟର ଧନେଶ୍ବରଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ। ୨୦୧୯ରେ ଭୁପିନ୍ଦର ସିଂ ବିଜେଡ଼ି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ମଧ୍ୟ ବିଜେଡ଼ିକୁ ଆଦିବାସୀଙ୍କ ଅଧିକାଂଶ ଭୋଟ ଯାଇନଥିଲା। ନର୍ଲା ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷଣ ହଟିବା ପରଠାରୁ ବିଜେଡ଼ି ପ୍ରତି ଆଦିବାସୀଙ୍କ ଭୋଟ ହାର କମିବାରେ ଲାଗିଛି। ନିକଟରେ ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ ଓ ଏହା ପୂର୍ବରୁ ପୂର୍ବତନ ନର୍ଲା ବିଧାୟକ ବଳଭଦ୍ର ମାଝୀ ବିଜେଡ଼ି ଛାଡ଼ି ସାରିଛନ୍ତି।
୨୦୨୪ ନିର୍ବାଚନରେ ନର୍ଲା ବିଧାନସଭା ଆସନରେ ଜଣେ ଆଦିବାସୀ ତଥା ସ୍ଥାନୀୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି ହୋଇଛି। ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀ ତୃଣମୂଳ ସ୍ତରରେ ଉତ୍ତମ ଜନସଂପର୍କ ସ୍ଥାପନ କରିପାରି ଥିବାରୁ ସେ ନର୍ଲା ବିଧାନସଭାରେ ବିଜେଡ଼ିର ଯୋଗ୍ୟ ପ୍ରାର୍ଥୀ ବୋଲି କହିଛନ୍ତି ଆଦିବାସୀ ସଂଘର କାର୍ଯ୍ୟକର୍ତ୍ତା। ଏହାକୁ ନେଇ ନର୍ଲା ରାଜନୀତି ନୂତନ ମୋଡ଼ ନେବାକୁ ବସିଛି। ତେବେ ଆଗକୁ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା ହେବାପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।