ଧର୍ମଗଡ଼ରୁ ରଶ୍ମୀରେଖା ରାଉତ କଂଗ୍ରେସ ପ୍ରାର୍ଥୀ 

ଓଡିଆ ବାର୍ତ୍ତା/ କଳାହାଣ୍ଡି: ମଙ୍ଗଳବାର ଦିନ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି। କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ଏକ ଗୁରୁତ୍ବପୂର୍ଣ୍ଣ ଆସନ ଧର୍ମଗଡ଼ ବିଧାନସଭାରେ ଲଢ଼ିବେ ବିଶିଷ୍ଟ ନାରୀନେତ୍ରୀ ରଶ୍ମିରେଖା ରାଉତ। ତାଙ୍କ ବିପକ୍ଷରେ ଅଛନ୍ତି ବିଜେଡ଼ି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଏବଂ ବିଜେପି ପ୍ରାର୍ଥୀ ସୁଧିର ରଞ୍ଜନ ପଟ୍ଟଜୋଶୀ। ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ସହ ଧର୍ମଗଡ଼ ରାଜନୀତି ସରଗରମ ହୋଇ ଉଠିଛି। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ମହିଳା ସଭାନେତ୍ରୀ ଥିବା ରଶ୍ମୀରେଖା ପୂର୍ବରୁ ସରପଞ୍ଚ ଥିଲେ। ସେ ବିଭିନ୍ନ ସଂଗଠନ ସହ ଜଡ଼ିତ ରହି ତୃଣମୂଳ ସ୍ତରରେ ସାଧାରଣ ଜନତାଙ୍କ ନିକଟତର ହୋଇ ପାରିଥିବା ଜଣାପଡିଛି। କଂଗ୍ରେସ ଏଥର କଳାହାଣ୍ଡି ଲୋକସଭାରେ ଦ୍ରୌପଦୀ ମାଝୀ ଓ ଧର୍ମଗଡ଼ ବିଧାନସଭାରେ ରଶ୍ମୀରେଖା ରାଉତଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି। ଚଳିତ ନିର୍ବାଚନ ବିଭିନ୍ନ ଦୃଷ୍ଟିରୁ ଭିନ୍ନ ପ୍ରକାରର ହେବ ବୋଲି ଆକଳନ କରାଯାଉଛି। ୨୦୨୪ ସାଧାରଣ ନିର୍ବାଚନରେ କଳାହାଣ୍ଡି ସାଂସଦୀୟ କ୍ଷେତ୍ରରେ ତିନି ହେବିଓ୍ବେଟ ନେତା ଭକ୍ତ ଦାସ, ଶରତ ପଟ୍ଟନାୟକ ଓ ବଳଭଦ୍ର ମାଝୀ ଥିବାରୁ ଲଢ଼େଇ ଜମିବ ବୋଲି ଚର୍ଚ୍ଚା ହେଉଛି। ଏଥର ନର୍ଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ, ଲାଞ୍ଜିଗଡ଼ରୁ  ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ନୂଆପଡ଼ାରୁ ପିସିସି ସଭାପତି ଶରତ ପଟ୍ଟନାୟକ, ଭବାନୀପାଟଣାରୁ ସାଗର ଚରଣ ଦାସ, ଧର୍ମଗଡ଼ରୁ ରଶ୍ମିରେଖା ରାଉତ, ଜୁନାଗଡ଼ରୁ ତୁଲେଶ୍ୱର ନାଏକ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବେ। ତେବେ ପ୍ରଥମ ପର୍ଯ୍ୟାୟରେ ଖଡ଼ିଆଳ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.