ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ଏକ ପ୍ରକାର ପ୍ରଚାର ଆରମ୍ଭ ହୋଇଯାଇଛି। ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳକୁ ଯାଇ ବିଧାୟକ ପ୍ରାର୍ଥୀମାନେ ପ୍ରତ୍ୟହ କର୍ମୀ ଓ ସାଧାରଣ ଜନତାଙ୍କୁ ଭେଟିବା ସହ ଗାଁ ଗାଁରେ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି। ଏହି କ୍ରମରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଦଳୀୟ କର୍ମୀଙ୍କ ଗହଣରେ ବୁଧବାର କୋକସରା ବ୍ଳକର ଡୁଡୁକାଠେଙ୍ଗା, ମହିମା ଓ କାଉଡୋଲା ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ପ୍ରଚାର କରିଥିବା ସହ ସାଧାରଣ ବୈଠକ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ଓ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ କ୍ଷେତ୍ରର ବିକାଶମୂଳକ କାର୍ଯ୍ୟସୂଚୀକୁ ନେଇ ଲୋକଙ୍କ ପାଖରେ ପହଞ୍ଚି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଡବଲ ଶଙ୍ଖରେ ଭୋଟ ଦେବାପାଇଁ ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ। ବିଭିନ୍ନ ଗ୍ରାମରେ ବିଧାୟକ ପ୍ରାର୍ଥୀ ଶ୍ରୀ ସିଂଦେଓଙ୍କୁ ବିପୁଳ ସମର୍ଥନ ମିଲୁଥିବା ଦେଖିବାକୁ ମିଳିଥିବାବେଳେ କର୍ମୀ ମହଲରେ ଉତ୍ସାହ ବଢ଼ିଛି। ଆଜିର ଏହି ପ୍ରଚାର ସମୟରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ରବି ଦାସ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଖଗେଶ୍ବର ପାଣିଗ୍ରାହୀ, ସରପଞ୍ଚ ହରିପ୍ରିୟା ନାଗ, ସରପଞ୍ଚ ଇଶରାମ କୋଲଥିଆ, ବ୍ଳକ ବିଜେଡି ସଭାପତି ସୁଶାନ୍ତ ବେହେରା, ସଞ୍ଜୟ ସିଙ୍ଗଲ, ଋତୁ ରାଜ ମାଝୀ, ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଭାପତି ମାନସ ରଞ୍ଜନ ବାଗ ସମେତ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ।