ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଝଡ଼ର ଇଗଲ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ୨୭ତମ ଶ୍ରାଦ୍ଧ ଦିବସ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ସାରା ଓଡ଼ିଶା। ସେହି କ୍ରମରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର କୁଟ୍ରୁଖମାର ଠାରେ ବିଜେଡ଼ି ପକ୍ଷରୁ ଏହି ମହାନ ଜନନାୟକଙ୍କର ଶ୍ରାଦ୍ଧ ଦିବସ ପାଳନ ସହ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ବିଜେଡ଼ିର କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀ, ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ଲଳିତା ନାୟକଙ୍କ ସହ ସଦର କଳାହାଣ୍ଡିର ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହି ବିଜୁ ବାବୁଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଉପସ୍ଥିତ ନେତୃମଣ୍ଡଳୀ ବିଜୁ ପଟ୍ଟନାୟକଙ୍କ ଅମର ଗାଥା ବଖାଣିବା ସହ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ କର୍ମୀମାନଙ୍କୁ ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ। ରାଜ୍ୟର ନବୀନ ସରକାରଙ୍କ ବିକାଶର ଡଙ୍ଗାକୁ ଆହୁରି ତେଜିଆନ କରିବା ପାଇଁ କଳାହାଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା ସମେତ ସାଂସଦ ପ୍ରାର୍ଥୀଙ୍କ ପାଇଁ ଡବଲ ଶଙ୍ଖରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ସଭାରେ ମତ ପ୍ରକାଶ ପାଇଥିଲା। ଉପସ୍ଥିତ ସମସ୍ତ ନେତା ଓ କର୍ମୀମାନେ ବିଜୁ ବାବୁଙ୍କ ଆଦର୍ଶ ଓ ନୀତିକୁ ବଜାୟ ରଖିବାକୁ ଶପଥ ପାଠ କରିଥିଲେ। ବିଜୁ ପଟ୍ଟନାୟକ ହେଉଛନ୍ତି ସେବା, ତ୍ୟାଗ ଏବଂ ଓଡିଆ ସ୍ଵାଭିମାନୀର ପ୍ରତୀକ। ଏହି ମହାନ୍ ଜନନେତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏହି ସେବା ମନୋଭାବକୁ ଆହୁରି ପରିବର୍ଦ୍ଧିତ କରିବା ପାଇଁ ଉପସ୍ଥିତ ନେତୃମଣ୍ଡଳୀ ଆହ୍ବାନ ଦେଇଥିଲେ।