ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ପ୍ରିୟବ୍ରତ ସାହୁ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ଇଷ୍ଟଦେବୀ ମାଁ ସୁରେଶ୍ଵରୀଙ୍କ ମନ୍ଦିର ଠାରେ ପୂଜାର୍ଚ୍ଚନା ସାରି ଶହଶ୍ରାଧିକ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ସହର ପରିକ୍ରମା କରି କଂଗ୍ରେସ ଦଳର ବିଧାନସଭା ପ୍ରାର୍ଥୀ ପ୍ରିୟବ୍ରତ ସାହୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଠାରେ ନିଜର ନାମାଙ୍କନ ପତ୍ର ଦାଖଲ୍ କରିଛନ୍ତି। ତାଙ୍କ ସହ ଜିଲ୍ଲା କଂଗ୍ରେସ କମିଟିର ବିଭିନ୍ନ କର୍ମକର୍ତ୍ତାଙ୍କ ସହ ପ୍ରାକ୍ତନ ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡା, ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ସୁଧିର ପଣ୍ଡା, ନରଦେବ ଭୋଇ, ଜିତେନ୍ଦ୍ର କୁମ୍ଭାର, ଶେଷଦେବ ମେହେର, ନିମାଇଁ ପାଣିଗ୍ରାହୀ, ରାଜେନ୍ଦ୍ର ମେହେର, ତରଣି ବାରିକ ପ୍ରମୁଖଙ୍କ ସହ ଜିଲ୍ଲା କଂଗ୍ରେସର ବିଭିନ୍ନ ଛାମୁଆଁ ସଂଗଠନର କର୍ମକର୍ତ୍ତା ଏହି ବିଶାଳ ରାଲିରେ ଯୋଗ ଦେଇଥିଲେ। ପ୍ରିୟବ୍ରତ ନବାଗତ ପ୍ରାର୍ଥୀ ହେଲେହେଁ ଜଣେ ଟାଣୁଆ ଯୁବ ସଂଗଠକ ଭାବରେ ଆଗରୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିବା ଯୋଗୁଁ ଓ ସେ ଜିଲ୍ଲା ଓବିସି ସଂଗଠନର କାର୍ଯ୍ୟକାରୀ ସଭାପତି ଥିବା ଯୋଗୁଁ ଦଳମତ ନିର୍ବିଶେଷରେ ବହୁ ଯୁବକ ତାଙ୍କର ଏହି ଶୋଭା ଯାତ୍ରାରେ ସ୍ଵତଃ ସାମିଲ ହୋଇଥିବା ଦେଖାଯାଇଥିଲା। ତାଙ୍କୁ ସମସ୍ତ ଜନସାଧାରଣଙ୍କ ଆଶିର୍ବାଦ ଥିବା ଯୋଗୁଁ ଓ ଜିଲ୍ଲା କଂଗ୍ରେସର ସମସ୍ତ ଅଭିଜ୍ଞ ନେତୃମଣ୍ଡଳୀ ଙ୍କ ସହଯୋଗକୁ ପାଥେୟ କରି ସେ ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟ ପାଇ ସେ ନିଶ୍ଚିତ ବିଜୟୀ ହେବେ ବୋଲି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.