ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରବିବାର ସନ୍ଧ୍ୟାରେ ନର୍ଲା ଥାନା ଅର୍ନ୍ତଗତ ବଲବସପୁର ଧରଣୀପଦର ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ ମହିଳାଙ୍କ ଶବକୁ ନର୍ଲା ରାଜରାସ୍ତାରେ ରଖି ବିଳମ୍ବିତ ରାତିରେ ଧାରଣାରେ ବସିଛନ୍ତି ବୁଢିପଦରବାସୀ। ପ୍ରାପ୍ତ ସୂଚନା ଅନୁସାରେ ଆଜି ସନ୍ଧ୍ୟା ୭ଘଣ୍ଟା ସମୟରେ କର୍ମେଗାଁ-ପଲସାପଡା ରାସ୍ତା କାମରେ ନିୟୋଜିତ ବୁଢିପଦର ଗ୍ରାମର ୧୨ ଜଣ ଶ୍ରମିକଙ୍କୁ ଧରି ଏକ ଟ୍ରାକ୍ଟର (ଓଡି ୦୮ ବି ୯୩୬୨) ଆସୁଥିବା ସମୟରେ ଧରଣିପଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରାକ୍ଟର ଡାଲାରେ ବସିଥିବା ୧୨ ଜଣ ଶ୍ରମିକଙ୍କ ମଧ୍ୟରୁ ହେମ ଗଉଡ (୪୨) ନାମକ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ପୁଇନ ଗଉଡ, କୈଳାସ ଗଉଡ, ମଣି ଧଙ୍ଗଡାମାଝୀ, ସିଦେ ଧଙ୍ଗଡାମାଝୀ, ଧର୍ମେନ୍ଦ୍ର ମାଝୀ, ଉଷା ଗଉଡ, ଭୁବନେ ଗଉଡ ଓ ପ୍ରମିଳା ଗଉଡ ଆଦିଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସଦ୍ୟ ପ୍ରାପ୍ତ ସୂଚନା ଅନୁସାରେ ୩ଜଣ ଶ୍ରମିକଙ୍କ ଜୀବନ ସଙ୍କଟାପନ୍ନ ଥିବା ଜଣାପଡିଛି। ଟ୍ରାକ୍ଟର ଡ଼୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ତେବେ ଘଟଣାସ୍ଥଳରେ ତୁରନ୍ତ ନର୍ଲା ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଥିବା ଜଣାପଡିଛି। ଏପଟେ ବୁଢିପଦରବାସୀ ଓ ଉତ୍ୟକ୍ତ ଜନତା ନର୍ଲା ରାଜରାସ୍ତାରେ ଶବରଖି ରାସ୍ତାରୋକ କରିଛନ୍ତି। ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ମୃତକଙ୍କ ପରିବାରବର୍ଗଙ୍କୁ ସ୍ବାନ୍ତନା ଦେବା ସହ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ( ଜୁନ ୧୭ ସୋମବାର ରାତି ୧୨ଟା) ରାସ୍ତାରୋକ ଜାରି ରହିଛି। ରାସ୍ତାରୋକ ହେବା ଫଳରେ ଏହି ରାସ୍ତା ଦେଇ ଗାଡ଼ି ଚଳାଚଳ ବନ୍ଦ ରହିଛି।