ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରଥମେ ଦ୍ଵାର ଫିଟା, ସୂର୍ଯ୍ୟପୂଜା, ଦ୍ଵାର ପାଦପୂଜା, ମଙ୍ଗଳ ଆଳତୀ, ଭୋଗ ପରେ ବେଶ ମଙ୍ଗଳାର୍ପଣ ତା’ପରେ ଧାଡ଼ି ପହଣ୍ଡିରେ ଶ୍ରୀଜିଉ ସ୍ନାନବେଦୀକୁ ବିଜେ କରିଥିଲେ। ସେଥିରେ ପୂଜା ଓ ଜଳ ବିଶୁଦ୍ଧି କରିବାପରେ ସୁବାସିତ ଜଳ ଦ୍ଵାରା ସ୍ନାନ ନୀତି କରାଯାଇଥିଲା। ପରେ ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ଗଜାନନ ବେଶ କରାଯାଇଥିଲା। ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ମୁଖ୍ୟ ଉଦ୍ୟୋକ୍ତା ଦିବଂଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁନୀଲ କୁମାର ଅଗ୍ରୱାଲ ଓ ସୁମିତ କୁମାର ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମୁଖ୍ୟ ପଣ୍ଡା ନିଗମାନନ୍ଦ ମହାପାତ୍ର, ସହଯୋଗୀ ପଣ୍ଡା ମନୋଜ ଦାସ, ଭବାନୀ ପ୍ରସାଦ ରଥ, ପ୍ରତାପ ପଣ୍ଡା, କର୍ତ୍ତା କୁସୁମ ମହାନ୍ତି ଏବଂ ପ୍ରଫୁଲ୍ଲ ମହାନ୍ତି, ପ୍ରଭା ଅଗ୍ରୱାଲ ଓ ବିଜୟ ଅଗ୍ରୱାଲ, ମଞ୍ଜୁ ରୋହିଲା ଓ ଚନ୍ଦ୍ରମୋହନ ରୋହିଲା ପ୍ରମୁଖ ଚତୁର୍ଦ୍ଧା ମୂରତିଙ୍କୁ ସୁଗନ୍ଧିତ ଜଳରେ ସ୍ନାନ କରାଇଥିଲେ। ଉପସ୍ଥିତ ଭକ୍ତ ବୃନ୍ଦ ମଧ୍ୟ ଶ୍ରୀ ଜୀଉ ମାନଙ୍କୁ ସ୍ନାନ କରାଇଥିବା ଦେଖିବାକୁ ମିଳିଥିଲା। ଆଜିର ଏହି ଦୁର୍ଲ୍ଲଭ ଗଜାନନ ବେଶ ଦେଖିବାକୁ ରୁପ୍ରାରୋଡ ବସ୍ତି ସମେତ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁମାନେ ସମବେତ ହୋଇଥିଲେ। ଜୟ ଜଗନ୍ନାଥ ଧ୍ୱନିରେ ରୁପ୍ରାରୋଡ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।