ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ସାମ୍ବାଦିକ ୟୁନିଅନର ରାଜ୍ୟ ଶାଖା ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି ପୁଣିଥରେ ଭାରତୀୟ ପ୍ରେସ ପରିଷଦର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ତାଙ୍କର ଏହି ମନୋନୟନ ପାଇଁ ଓଡ଼ିଶା ସାମ୍ବାଦିକ ୟୁନିଅନର ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି। ଶ୍ରୀ ମହାନ୍ତି ଜଣେ ଦକ୍ଷ ସଂଗଠକ, ସୁବକ୍ତା ଓ ରାଜନୈତିକ ସମୀକ୍ଷକ ଭାବେ ପରିଚିତ। ବିଭିନ୍ନ ପରିସ୍ଥିତି ଓ ପ୍ରସଙ୍ଗକୁ ନିର୍ଭୀକ ଭାବେ ବିଶ୍ଳେଷଣ କରିବା ସହ ସ୍ପଷ୍ଟ ମତ ପ୍ରକାଶ କରି ସେ ସାମ୍ବାଦିକତା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ସ୍ପଷ୍ଟବାଦିତା ଯୋଗୁଁ ସେ ରାଜନୈତିକ ନେତୃବୃନ୍ଦଙ୍କ ସମେତ ରାଜ୍ୟର ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ପରିଚିତ ହୋଇପାରିଛନ୍ତି।
ପୂର୍ବରୁ ଭାରତୀୟ ପ୍ରେସ୍ ପରିଷଦର ସଦସ୍ୟ ଥିବା ସମୟରେ ଶ୍ରୀ ମହାନ୍ତି ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ପ୍ରଭାବଶାଳୀ ଭାବେ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏଥିସହ ସାମ୍ବାଦିକ ସମାଜର ସ୍ୱାର୍ଥ ଓ ଅଧିକାର ସମ୍ପର୍କିତ ପ୍ରସଙ୍ଗରେ ସକ୍ରିୟ ଭୂମିକା ନେଇଥିବାରୁ ସେ ଦେଶର ସାମ୍ବାଦିକ ମହଲରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଗଢ଼ି ପାରିଛନ୍ତି। ଶ୍ରୀ ମହାନ୍ତି ଜାତୀୟ ସାମ୍ବାଦିକ ସଂଗଠନ ୟୁନିଅନ ଅଫ୍ ଇଣ୍ଡିଆର ଦୁଇଥର ମହାସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିବା ଉଲ୍ଲେଖ କରି ବାଲେଶ୍ୱର ଜିଲ୍ଲା ଶାଖା କହିଛି ଯେ, ସାମ୍ବାଦିକମାନଙ୍କ ସମସ୍ୟାର ସମାଧାନ ଓ ସେମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଶ୍ରୀ ମହାନ୍ତି ଦୀର୍ଘଦିନ ଧରି ସକ୍ରିୟ ରହିଆସିଛନ୍ତି।
ତାଙ୍କୁ ପୁନର୍ବାର ଭାରତୀୟ ପ୍ରେସ ପରିଷଦର ସଦସ୍ୟ ଭାବେ ମନୋନୀତ କରାଯାଇଥିବାରୁ ଓଡ଼ିଶାର ସାମ୍ବାଦିକ ସମାଜ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ୟୁନିଅନର ବାଲେଶ୍ୱର ଶାଖା ପକ୍ଷରୁ କୁହାଯାଇଛି। ଏହା ଦ୍ୱାରା ରାଜ୍ୟରେ ଓଡ଼ିଶା ସାମ୍ବାଦିକ ୟୁନିଅନର ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ସଦସ୍ୟମାନେ ଆଶା ପ୍ରକାଶ କରିଛନ୍ତି।
ଏକ ପ୍ରେସ ବିବୃତିରେ ୟୁନିଅନର ବାଲେଶ୍ୱର ଜିଲ୍ଲା ସଭାପତି ଗଙ୍ଗାଧର ରାଉତ, ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ଦାସ, ବରିଷ୍ଠ ସଦସ୍ୟ ଶିଶିର କୁମାର ଦାସ, ରାମନାରାୟଣ ଶତପଥି, ଚନ୍ଦ୍ରମୋହନ ମହାପାତ୍ର, ଅନାମ ଚରଣ ପଣ୍ଡା, ମଧୁସୂଦନ ଦାସ, ରବିରଞ୍ଜନ ତ୍ରିପାଠୀ, ଉତ୍କଳ ବନ୍ଧୁ ପଣ୍ଡା ଓ ସୋମନାଥ ସାହୁ ପ୍ରମୁଖ ଶ୍ରୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।





