ନିତାଇ ଚୈତନ୍ୟ ସଂକୀର୍ତନ କଳାକାର ସଂଘର ନୂଆଁଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ କେନ୍ଦୁଗୁଡ଼ା ଝାରବନ୍ଧ କାଳେଶ୍ଵର ଶୈବ ପୀଠ ପରିସରରେ ଓଁ ଶ୍ରୀ ଶ୍ରୀ ନିତାଇ ଚୈତନ୍ୟ ସଂକୀର୍ତନ କଳାକାର ସଂଘ କୋକସରା ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଭେଟଘାଟ ପୂର୍ବରୁ ଝାରବନ୍ଧ ଶିବ ମନ୍ଦିରରେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଆୟୋଜିତ ସଭାରେ ନୂଆଁଖାଇର ମହତ୍ତ୍ୱ, ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରମ୍ପରାର ସୁରକ୍ଷା ଏବଂ ଆଗାମୀ ପିଢ଼ି ମଧ୍ୟରେ ଏହାକୁ ଜୀବିତ ରଖିବା ଉପରେ ମତବିନିମୟ ହୋଇଥିଲା। ନୂଆଁଖାଇ ଭେଟଘାଟ ଅବସରରେ କଳାକାର, ଭକ୍ତ ଓ ସାମାଜିକ କର୍ମକର୍ତ୍ତାମାନେ ପରସ୍ପରକୁ ନୂଆଁଖାଇ ଜୁହାର ଓ ଭେଟ ପ୍ରଦାନ କରିଥିଲେ। ସଂଘ ସଭାପତି ଧର୍ମାନନ୍ଦ ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂଘର କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ନାଗ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ।

ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ରାଜ୍ୟ ସଂଯୋଜକ ଦୁଷ୍ମନ୍ତ ପୁରୋହିତ, ସୁଶୀଲ କୁମାର ପଣ୍ଡା, ଧର୍ମବ୍ରତ ପଣ୍ଡା, କୃତିବାସ ଶବର, ରାଜେନ୍ଦ୍ର ନାଏକ, ଥବିର ପ୍ରସାଦ ବିଶି ଓ କୀର୍ତ୍ତନ ଗୁରୁ ଜୟରାମ ଶବର ପ୍ରମୁଖ ମଞ୍ଚାସୀନ ଥିଲେ। ସଭାରେ ଅଞ୍ଚଳର ପାରମ୍ପରିକ କଳା ଓ ସଂକୀର୍ତନ ପରମ୍ପରାକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଧୁନିକ ନାଚ ଓ ଗୀତର ପ୍ରଭାବ ମଧ୍ୟରେ ପାରମ୍ପରିକ କଳାକୁ ବଞ୍ଚାଇ ରଖିବା, କଳାକାରମାନେ ଶୃଙ୍ଖଳିତ ଭାବେ ସଂଗଠିତ ହେବା ଏବଂ ବୟସ୍କ ଓ ବରିଷ୍ଠ କଳାକାରମାନଙ୍କୁ ସରକାରଙ୍କ କଳାକାର ଭତ୍ତା ଯୋଜନାରେ ସାମିଲ କରିବା ନେଇ ଆଲୋଚନା ହୋଇଥିଲା। ଏହି ଅବସରରେ ପୂର୍ବରୁ ଆୟୋଜିତ ୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞକୁ ସୁଚାରୁ ରୂପେ ସମ୍ପନ୍ନ କରିବାରେ ସହଯୋଗ କରିଥିବା କର୍ମକର୍ତ୍ତା ଓ ସାମ୍ବାଦିକମାନଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା।

ସାମ୍ବାଦିକ ଜଗଦୀଶ ନାଏକ, ହିରଣ୍ୟ ବେହେରା, ତୁଲାରାମ ବେହେରା, ମଙ୍ଗରାଜ ବେହେରା ଓ ଚକ୍ରଧର ବେସ୍ରାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପଞ୍ଚକ ପୋଢ଼ ମଞ୍ଚ ପରିଚାଳନା କରିଥିଲେ। ସଂଘର ଉପସଭାପତି ସୁରେଶ ହଂସ, ସମ୍ପାଦକ ସୁଦର୍ଶନ ବେହେରା, ସହସମ୍ପାଦକ ବାଲ୍ମୀକି ଧଙ୍ଗଡ଼ାମାଝୀ, କାର୍ଯ୍ୟକାରୀ ସଭ୍ୟ ବିଜୟ କୁମାର ପଣ୍ଡା, ଖୁସିରାମ ନାଏକ, ବିଦ୍ୟାଧର ମାଝୀ, ଲିଙ୍ଗରାଜ ଭାଟି, ଦିଲୀପ କୁମାର ଶବର, ପୂର୍ଣ୍ଣଚନ୍ଦ୍ର ଦାସ ଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ସମେତ ସଂଘର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ ସଂକୀର୍ତନ ପ୍ରେମୀ, ଭକ୍ତ, କଳାକାର ଓ ସାମାଜିକ କର୍ମକର୍ତ୍ତା ଯୋଗଦେଇଥିଲେ। ନୂଆଁଖାଇ ଜୁହାର ଓ ଭେଟ ସହ ଝାରବନ୍ଧ ଶିବ ମନ୍ଦିର ପରିସରରେ ଭାଇଚାରା ଓ ସାମାଜିକ ଏକତାର ନିଆରା ପରିବେଶ ସୃଷ୍ଟି ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.