ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଇଣ୍ଡିଆ ବ୍ଲକର ଡାକରାରେ କଂଗ୍ରେସ ପକ୍ଷରୁ ଆଜି (ଅକ୍ଟୋବର ୮) ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଇଥିବାରୁ ଲାଞ୍ଜିଗଡ଼ ବ୍ଲକରେ ଏହାର ଜୋରଦାର ପ୍ରଭାବ ପଡ଼ିଛି। ବନ୍ଦକୁ ସଫଳ କରିବା ପାଇଁ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବିଜେପୁର ଛକରେ କଂଗ୍ରେସ, ସିପିଆଇ, ସିପିଆଇ(ଏମ), ସିପିଆଇ(ଏମଏଲ) ଲିବରେସନ, ସମାଜବାଦୀ ପାର୍ଟି, ଜେଏମଏମ, ଶିବସେନା ସମେତ ଇଣ୍ଡିଆ ମେଣ୍ଟର କର୍ମୀ ଓ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ରାସ୍ତା ଅବରୋଧ କରିଥିଲେ। “ଭୋଟ ବଞ୍ଚାଅ-ସମ୍ବିଧାନ ବଞ୍ଚାଅ-ଦେଶ ବଞ୍ଚାଅ” ସ୍ଲୋଗାନ ଦେବା ସହ ଏମଏସପି ଆଇନ ପ୍ରଣୟନ କର, ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଅ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ପ୍ରଦାନ ଦାବି କରାଯାଇଥିଲା। ଏହି ବନ୍ଦରେ ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀ, ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପ୍ରଧାନୀ, କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତୁଳ, ଯୁବ ସଭାପତି ମକରନ୍ଦ ନିଆଲଙ୍କ ସମେତ ବିଭିନ୍ନ ବାମ ଦଳର ନେତା ଓ କର୍ମୀମାନେ ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିଥିଲେ। ଜରୁରୀ କାମ ତଥା ମେଡିକାଲ କାମରେ ଯାଉଥିବା ଲୋକମାନଙ୍କୁ ଛାଡ଼ ଦିଆଯାଉଥିବା ବେଳେ ବନ୍ଦ ଯୋଗୁଁ ପୋଖରୀବନ୍ଧ-ଲାଞ୍ଜିଗଡ଼ ମୁଖ୍ୟ ରାସ୍ତା ଓ ଭବାନୀପାଟଣା-ରାୟଗଡ଼ା ମୁଖ୍ୟ ସଡ଼କରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ବନ୍ଦ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଲାଞ୍ଜିଗଡ଼ ଓ ବିଶ୍ୱନାଥପୁରର ବିଭିନ୍ନ ପ୍ରମୁଖ ସ୍ଥାନରେ ପୁଲିସ ପକ୍ଷରୁ ସୁରକ୍ଷା କର୍ମୀ ମୁତୟନ କରାଯାଇଥିଲା। ସେହିପରି ବ୍ଲକର ୨୬ ଗୋଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏହି ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି।





