ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗତକାଲି ବିଳମ୍ବିତ ରାତ୍ରୀରେ ରାଜ୍ୟ ସରକାର ରାଜ୍ୟରେ ୨୦ ଜଣ ନୂଆ ଜିଲ୍ଲାପାଳ ନିଯୁକ୍ତି ଘୋଷଣା କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ଅଦଳବଦଳ ଯୋଗୁଁ ଅନେକ ଗୁରୁତ୍ୱପୂର୍ଣ୍ଣ ବଦଳି ଓ ନିଯୁକ୍ତି ମିଳିଛି। ତେବେ କଳାହାଣ୍ଡିର ନୂତନ ଜିଲ୍ଲାପାଳ ଭାବେ ପାୱାର ସଚିନ ପ୍ରକାଶ ଦାଇତ୍ୱ ଗ୍ରହଣ କରିବେ। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କୁ ଯାଜପୁର ଜିଲ୍ଲାପାଳ ଦାଇତ୍ୱ ପ୍ରଦାନ କରାଯାଇଛି। ତାଙ୍କ ଯାଗାରେ ୨୦୧୯ ବ୍ୟାଚର ଆଇଏଏସ୍ ଅଧିକାରୀ ତଥା ମାଲକାନଗିରି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ କଳାହାଣ୍ଡିର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।
ତେବେ ପି. ଅନ୍ୱେଷା ରେଡ୍ଡୀ କଳାହାଣ୍ଡି ଜିଲ୍ଲାପାଳ ଭାବେ ଅତି ନିଷ୍ଠାର ସହ ନିଜ ଦାୟିତ୍ୱ ସଂପାଦନା କରିଛନ୍ତି। ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟ ସହ ସାଧାରଣ ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଓ ପୈାର ନିର୍ବାଚନକୁ ସେ ଶୃଙ୍ଖଳାର ସହ ସଂପାଦନ କରିଥିଲେ। କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀଙ୍କ ବିଶ୍ଵ ପ୍ରସିଦ୍ଧ ଛତର ଯାତ୍ରା ସହ ଜିଲ୍ଲା ସ୍ତରୀୟ ଲୋକ ଉତ୍ସବ ‘ଘୁମୁରା’ର ସୁପରିଚାଳନା ଯୋଗୁଁ ମଧ୍ୟ ସେ ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ। ତେବେ ନୂତନ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମଧ୍ୟ କଳାହାଣ୍ଡିର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ଜିଲ୍ଲାବାସୀ।