ଶ୍ରୀଗଣେଶଙ୍କ ଜନ୍ମ ବୃତ୍ତାନ୍ତ 

ଶାରଳା ମହାଭାରତରୁ ଏହି ଉପାଖ୍ୟାନ l ଅଗସ୍ତି ମୁନି ମହାରାଜା ବୈବସ୍ୱତ ମନୁଙ୍କୁ ଏହି ଆଖ୍ୟାନ ମାଧ୍ୟମରେ ପାର୍ବତୀନନ୍ଦନ ଗଣେଶଙ୍କ ପବିତ୍ର ଜନ୍ମ ବୃତ୍ତାନ୍ତ କଥା ଶୁଣାଇଲେ l ଅନେକ ପୁରା କାଳର କଥା l କପିଳାସ କନ୍ଦରର ଉତ୍ତର ଦିଗ କୋଶଳ ଦେଶରେ ଅଳମ୍ୱଷା ନାମକ ଗୋଟିଏ ସୁନ୍ଦର ନଗର ଥିଲା l ସେଇଠି ରାଜପଣ କରୁ ଥିଲା ରୁଢ଼ାସୁର l ପରେ ପ୍ରତାପୀ ରୁଢ଼ାସୁରର ପୁଅ ପ୍ରୌଢ଼ାସୁର ରାଜା ହେଲା l ସେ ମଧ୍ୟ ପିତାଙ୍କ ପରି ମହା ପ୍ରତାପୀ ହୋଇ ଦିନେ ଯୁଦ୍ଧରେ ଇନ୍ଦ୍ରଙ୍କ ହାତରେ ନିହତ ହେଲା l ପ୍ରୌଢ଼ାସୁର ଅନ୍ତେ ତାର ପୁଅ ମୁଢ଼ାସୁର ରାଜା ହେଲା l ସେ ବାହୁ ବଳରେ ସାରା ପୃଥିବୀକୁ ତାର ବଶ କଲା l ଦିନେ ମୁଢ଼ାସୁରର ଦରବାର ଚାଲିଥାଏ l ସଭାରେ ଉପସ୍ଥିତ ଥାନ୍ତି ମହମନ୍ତ୍ରୀ କୁରୁପାଳ l ସେ ମନ୍ତ୍ରୀଙ୍କୁ କହିଲା, ମହାମନ୍ତ୍ରୀ ! ଏବେ ସାରା ଅବନୀ ମଣ୍ତଳ ମୋ ଅଧୀନରେ l କୁହ, ଆଉ କିଏ ଅଛି ଯିଏ ମୋ ବଶରେ ନାହିଁ l ମନ୍ତ୍ରୀ ଥଙ୍ଗ ଥଙ୍ଗ ହୋଇ କହିଲେ,  ହଁ ମହାରାଜ, ମୁଣ୍ଡ ରହିଲେ ତୁଣ୍ଡ ଖୋଲି ଗୋଟିଏ କଥା କହିବି l ଦୈତ୍ୟ ରାଜଙ୍କ ଠାରୁ ଅଭୟ ପାଇ ମନ୍ତ୍ରୀ କହିଲେ, ହଁ ମହାରାଜ ! ଆପଣ ମହାବୀର l ଏ ପୃଥିବୀରେ ଆପଣଙ୍କ ବଶ୍ୟତା ସ୍ବୀକାର ନକରି ଆଉ କେହି ନାହାଁନ୍ତି l କିନ୍ତୁ, ଯେ ପର୍ଯ୍ୟନ୍ତ ଆପଣ ଇନ୍ଦ୍ରଙ୍କୁ ପରାସ୍ତ ନ କରିଛନ୍ତି, ଆପଣଙ୍କୁ କିଏ ବୀର ବୋଲି ମାନିବ l ମୁଢ଼ାସୁର ମନ୍ତ୍ରୀଙ୍କ ମୁଖରୁ ଏକଥା ଶୁଣି ଖୁବ୍ ରାଗି ଯାଇ, ମନ୍ତ୍ରୀଙ୍କ ଚୁଟି ଧରି କହିଲା, ରେ ମୂର୍ଖ ତୁ ମୋରି ଅନ୍ନ ଖାଇ ମୋ ଆଗରେ ସେ ଇନ୍ଦ୍ରର ବଢ଼େଇ କରୁଛୁ l ମୋର ଶକ୍ତି କେତେ କଣ ତୁ ଜାଣିନାହୁଁ l ଚାଲ୍ ! ଏଇନେ ଚାଲ, ଆମ ଥାଟ ବାଟ ଧରି ଆମେ ଯାଇ ଇନ୍ଦ୍ରକୁ ଆକ୍ରମଣ କରିବା l ମହାମନ୍ତ୍ରୀ କହିଲେ, ନାଁ ନାଁ ମହାରାଜ ! ମୁଁ ଇନ୍ଦ୍ରଙ୍କ ଆଦୌ ବଡ଼େଇ କରୁନାହିଁ l ସେ ତୁମର ପିତୃହନ୍ତା l ଏହି କଥା କେବଳ ମୁଁ ଚେତେଇ ଦେଲି l ମନ୍ତ୍ରୀଙ୍କ କଥା ଶୁଣି ଅସୁରରାଜ ଟିକିଏ ଥଣ୍ଡା ପଡ଼ି କହିଲେ, ମୁଁ ସେହି ପିତୃହନ୍ତାକୁ ନିଶ୍ଚୟ ବଧ କରିବି l ଉପାୟ କୁହ l ଉପାୟ କୁହ ମନ୍ତ୍ରୀବର l ମନ୍ତ୍ରୀ କୁରୁପାଳ କହିଲେ, ଉପାୟ ଅଛି ମହାରାଜ ! ଉପାୟ ଅଛି !! କୈଳାସ କନ୍ଦରରେ ପ୍ରଭୁ ଶିବଙ୍କ ଭୂବନ l ଶିବ ପୁରୀର ଦକ୍ଷିଣ ଦ୍ୱାରରେ ଦ୍ଵାରପାଳ ରୂପେ ଦ୍ଵାରଜଗି ବସିଛନ୍ତି ଗିରିଜାନନ୍ଦନ ଗଣେଶ l ଆପଣ ତାଙ୍କର କୃପାପ୍ରାପ୍ତ ହେଲେ ଇନ୍ଦ୍ରଙ୍କୁ ଜିଣିବା ପାଇଁ ସମର୍ଥ ହେବେ l ପର ଦିନ ପ୍ରଭାତରୁ ଅସୁର ରାଜ ସ୍ନାନାଦି ସାରି ମନ୍ତ୍ରୀଙ୍କୁ ସାଙ୍ଗ କରି କୈଳାସ ଅଭିମୁଖେ ଯାତ୍ରା କଲେ l କୈଳାସ କନ୍ଦରର ଦକ୍ଷିଣ ଦ୍ଵାରରେ ପହଞ୍ଚି ଅସୁର ରାଜ, ମନ୍ତ୍ରୀଙ୍କୁ ପଚାରିବାରୁ ସେ ତାଙ୍କୁ ଗଣେଶଙ୍କୁ ଦେଖେଇ ଦେଲେ l ଗଣନାଥଙ୍କ ମନୁଷ୍ୟ ଶରୀର ଆଉ ଗଜବଦନକୁ ଦେଖି ଦୈତ୍ୟରାଜ ଜୋରରେ ହସିହସି କହିଲେ, ଏହି ତାହେଲେ ପ୍ରଭୁ ଗଣେଶ l ତୁମେ ମୋତେ ପରିହାସ କରୁନାହଁତ ମହାମନ୍ତ୍ରୀ l ମନ୍ତ୍ରୀ ହାତ ଯୋଡ଼ି କହିଲେ, ନାଁ ପ୍ରଭୁ ! ଶୁଣନ୍ତୁ ମୁଁ ଗଣେଶଙ୍କ କାହାଣୀ ବିସ୍ତାର କରି କହୁଛି l

ଥରେ କୈଳାସପତି ମହାଦେବ ବୃଷଭ ବାହନରେ ବିଶ୍ଵ ଭ୍ରମଣରେ ବାହାରିଲେ l ବୁଲି ବୁଲି ସେ ଯାଇ ସ୍ବର୍ଗରେ ପହଞ୍ଚିଲେ l ଉପସ୍ଥିତ ଦେବଗଣ ଆସନରୁ ଉଠି ତାଙ୍କୁ ପ୍ରଣାମ କଲେ l ସେଠାରୁ ଯଥା ସମ୍ମାନ ପାଇ ସେ ଯାଇ ସାବର୍ଣ୍ଣି ପୁରରେ ପହଁଚି ଦେଖିଲେ ସେଠାରେ ବ୍ରହ୍ମା ଧ୍ୟାନରେ ଅଛନ୍ତି l ଶଙ୍କରଙ୍କୁ ଦେଖି ବ୍ରହ୍ମାଙ୍କ ଧ୍ୟାନ ଭାଙ୍ଗିଯିବାରୁ ସେ ପଚାରିଲେ, ପ୍ରଭୁ ! ଆପଣ କେଉଁଠୁ ଆସିଲେ l ସଦାଶିବ କହିଲେ, ମୁଁ ଏବେ ସ୍ଵର୍ଗ ଭ୍ରମଣ କରି, ଆସିଲି l ତୁମ୍ଭଙ୍କୁ ସାକ୍ଷାତ କରି କୈଳାସକୁ ଫେରିଯିବି l କହିଲ, ତୁମେ ଏବେ କି କି ବେଦ ସବୁ ଅଭ୍ୟାସ କରୁଛ l ବ୍ରହ୍ମା କହିଲେ, ମୁଁ ତ ସର୍ବଦା ମୋର ଚାରି ମୁଖରେ ଚାରି ବେଦକୁ ଘୋଷି ହେଉଥାଏ, ତାହାହିଁ କରୁଥିଲି l ମହାଦେବ କହିଲେ, ମୁଁ ପରା ମୋ ପଞ୍ଚ ମୁଖରେ ପଞ୍ଚ ବେଦକୁ ସର୍ବଦା ଗାଉଥାଏ l ବ୍ରହ୍ମା କହିଲେ, ମୁଁ କ’ଣ ତାହା ଜାଣି ନାହିଁ l ଏଇ ଦେଖନ୍ତୁ l ଏହାକହି ବ୍ରହ୍ମା ତାଙ୍କ ଚାରିମୁଣ୍ଡ ଉପରେ ଆଉଗୋଟିଏ ମୁଣ୍ଡ ଉତ୍ପନ୍ନ କରି ପଞ୍ଚମବେଦ ଗାନକରିବାକୁ ଲାଗିଲେ l ଏହାଦେଖି ମହାଦେବ ଖୁବ୍ କ୍ରୋଧିତହୋଇ ଗୋଟିଏ ଚାପୁଡ଼ା ମାରି, ବ୍ରହ୍ମାଙ୍କ ପଞ୍ଚମ ଶିରଟିକୁ ଛିଡ଼େଇ ଦେଲେ l ବ୍ରହ୍ମାଙ୍କ ସେହି ମୁଣ୍ଡଟି ଛିଡ଼ି ଯାଇ ଶିବଙ୍କ ହାତରେ ଲାଗିରହିଲା l ସେ ଯେତେ ଚେଷ୍ଟାକଲେ ବି ତାହା ତାଙ୍କ ହାତରୁ ଆଉ ଛାଡ଼ିଲା ନାହିଁ l ସେ ଲଜ୍ଜାରେ ଆଉ କୈଳାସ ନଯାଇ ହଟକେଶ୍ୱର ତୀର୍ଥକୁ ଯାଇ ତପସ୍ୟା ଆରମ୍ଭ କଲେ l ତପସ୍ୟାରେ ତାଙ୍କର ବହୁ କାଳ ବ୍ୟତିତ ହୋଇଗଲା l  ଶିବଙ୍କ ଦୀର୍ଘ ଅନୁପସ୍ଥିତି ଯୋଗୁଁ କୈଳାସ ପୁରରେ ପାର୍ବତୀ ବହୁ ଚିନ୍ତିତ ହୋଇପଡ଼ିଲେ l ପ୍ରାଣପତିଙ୍କ ବାହୁଡା଼ କାମନାକରି ସେ ମଧ୍ୟ ଅଖଣ୍ଡ ତପସ୍ୟାରେ ନିମଗ୍ନ ରହିଲେ l 

 ବୋଇଲେ ଈଶ୍ୱର ଅବା ମୋର ଗଲେ କାହିଁ l

 ଧ୍ୟାନ କରି ବସିଲେ ଯେ ତହିଁ ମହାମାୟୀ ll

ଧ୍ୟାନ ବଳରେ ପାର୍ବତୀ ଜାଣି ପାରିଲେ ମହାଦେବ  ବ୍ରହ୍ମହତ୍ୟା ଦୋଷ ମୋଚନ ନିମନ୍ତେ ହଟକେଶ୍ୱର ତୀର୍ଥରେ ତପସ୍ୟା କରୁଛନ୍ତି l ଏହି ପରି କିଛି ଦିନ ବିତିଗଲା ଓ କ୍ରମେ ବସନ୍ତ କାଳ ଆସି ପହଞ୍ଚିଲା l ଦିନେ ପାର୍ବତୀ ସଖୀ ମାନଙ୍କ ଗହଣରେ କୈଳାସ ପର୍ବତ ପୂର୍ବଭାଗରେ ଥିବା ସୁନ୍ଦର ଉପବନକୁ ପୁଷ୍ପ ଚୟନପାଇଁ ଗଲେ l ସେ ଦେଖିଲେ ବନରେ ପକ୍ଷୀ ଗଣ ସୁନ୍ଦର କଳରବ କରି ଉଡ଼ି ବୁଲୁଛନ୍ତି l ଭ୍ରମର ଗଣ ମଦମତ୍ତ ହୋଇ ଏ ଫୁଲରୁ ସେ ଫୁଲକୁ ଉଡ଼ି ମଧୁପାନ କରୁଛନ୍ତି l ବନର ଏପରି ଶୋଭା ଦେଖି ପାର୍ବତୀ ସ୍ଵାମୀଙ୍କ ବିରହ ଜ୍ୱାଳାରେ ଘାରି ହେଲେ l କାମଭାବ ଜାତ ହୋଇ ତାଙ୍କ ଶରୀର ରୋମାଞ୍ଚିତ ହେଲା l ଫଳରେ, ତାଙ୍କର ରେତ ସ୍ଖଳିତ ହେଲା l ପାର୍ବତୀ ସେହି ରେତକୁ ହସ୍ତରେ ତୋଳି ଧରିଲେ l ସ୍ବାମୀଙ୍କୁ ସୁମରଣା ପୂର୍ବକ ଦେବୀ ସେହି ରେତରେ ଶିବଙ୍କ ବିଭୂତି ମିଶାଇ ସେଥିରେ ଗୋଟିଏ ସୁନ୍ଦର ପିତୁଳା ଗଢ଼ି ଦେଲେ l ସେହି ପିତୁଳାକୁ ମନ୍ତ୍ର ପଢ଼ି ପାର୍ବତୀ ଜୀଵନ୍ନ୍ୟାସ ଦେବାରୁ ତହିଁରୁ ଗଣନାଥଙ୍କ ଆବିର୍ଭାବ ଘଟିଲା l ପୁତ୍ରକୁ କୋଳରେ ଧରି, ସ୍ତନ୍ୟ ପାନ କରାଇଲେ ମାଆ ପାର୍ବତୀ l ସ୍ତନ୍ୟପାନ କରି ପୁତ୍ରଟି ତତ୍କ୍ଷଣାତ୍ ଖୁବ୍ ବଳବାନ ହୋଇଗଲା ଏବଂ ମାଆଙ୍କୁ ପଚାରିଲା, ମୁଁ କି କାର୍ଯ୍ୟ କରିବି ମୋତେ ଆଦେଶ ଦିଅନ୍ତୁ l ପାର୍ବତୀ କହିଲେ,ବାବୁ, ଆଜିଠୁଁ ତୁ କୈଳାସ ପୁରର ଦକ୍ଷିଣ ଦ୍ଵାରର ରକ୍ଷକ ହୋଇ ଦ୍ଵାର ଜଗି ବସ l ସେ ପୁଣି କହିଲେ:-

   ନିଶ୍ଚିନ୍ତ ହୋଇଣ ତୁହି ଦ୍ୱାରେ ବସିଥିବୁ l

   ପୁରୁଷଙ୍କୁ ଭିତରକୁ ଛାଡ଼ି ତୁ ନ ଦେବୁ ll

ମାତାଙ୍କ ଆଦେଶରେ ଗଣନାଥ ଦକ୍ଷିଣ ଦ୍ବାର ଜଗି ବସିଲେ l ଇଆଡ଼େ ଶିବଙ୍କ ତପସ୍ୟା ଶେଷ ହୋଇ ଗଲା l ଜଟାଜୄଟହୋଇ ଶଙ୍କର ଆସି କୈଳାସରେ ପହଞ୍ଚି ଭିତରକୁ ଯିବାକୁ ଉଦ୍ୟତ ହୁଅନ୍ତେ ଗଣପତି ବାଧାଦେଲେ l ଶିବ ଖୁବ୍ କ୍ରୋଧିତ ହୋଇ ହସ୍ତରେ ଧରିଥିବା କୁଠାରରେ ତାଙ୍କ ମୁଣ୍ଡ କାଟି ଦେଲେ l     

   ଦ୍ଵାର ନ ଛାଡ଼ନ୍ତେ ହର ମହାକୋପ କଲେ l

   କୁଠାର ଗୋଟି ବାଳକ ଗଳେ ପ୍ରହାରିଲେ ll

ପୁତ୍ର ମୁଣ୍ଡ କାଟିଦେଇ ଶିବ ଭିତରକୁ ଚାଲିଗଲେ l ସ୍ବାମୀଙ୍କୁ ଦେଖି ପାର୍ବତୀ ବହୁ ଖୁସି ହେଲେ l କିନ୍ତୁ ତାଙ୍କ କୁଠାରରେ ରକ୍ତ ଲାଗିଥିବାର ଦେଖି ଚମକି ପଡ଼ିଲେ l ସେ ତାଙ୍କୁ ପଚାରିବାରୁ ଶିବ ସବୁ କଥା କହିଲେ l ପାର୍ବତୀ କାନ୍ଦି କାନ୍ଦି ଶିବଙ୍କ ପାଦତଳେ ପଡ଼ି କହିଲେ, ହେ ନାଥ ! ଆପଣ ଯାହାକୁ ହତ୍ୟା କରିଛନ୍ତି ସେ ଆପଣଙ୍କ ପୁତ୍ର l ଶିବ ଅତି ଆଶ୍ଚର୍ଯ୍ୟ ହୋଇ କହିଲେ, ମୋ ପୁତ୍ର ! ତୁମେ କଅଣ କହୁଚ୍ଛ ଉମା ! ସେ ମୋ ପୁତ୍ର କିପରି ହେଲା !

ପାର୍ବତୀ ପୁତ୍ରର ଜନ୍ମକଥା ଶିବଙ୍କୁ ଶୁଣାଇଦେଲେ l ପୁତ୍ର କଥା ଶୁଣି ମହାଦେବ ପାର୍ବତୀଙ୍କୁ ଧରି ସଙ୍ଗେ ସଙ୍ଗେ ଯାଇ ଦକ୍ଷିଣ ଦ୍ୱାରରେ ପହଞ୍ଚି ଦେଖନ୍ତି ସେ ବାଳକର ଖାଲି ଗଣ୍ଡିଟି ପଡ଼ିଛି ତା ମୁଣ୍ଡକୁ ଗୋଟିଏ ରାକ୍ଷସୀ ଖାଇଦେଇଛି l ପାର୍ବତୀଙ୍କ ଆଉ ଶୋକର ସୀମା ରହିଲା ନାହିଁ l ପାର୍ବତୀଙ୍କୁ ଆଶ୍ଵାସନା ଦେଇ ଶିଵ ଦେଖିଲେ ପାଖରେ ଉତ୍ତର ଆଡ଼କୁ ମୁଣ୍ଡ କରି ଗୋଟିଏ ହାତୀ ଶୋଇଛି l ସେ କୁଠାରରେ ସଙ୍ଗେ ସଙ୍ଗେ ହାତୀ ମୁଣ୍ଡଟି କାଟି ଆଣି ଶିଶୁର କବନ୍ଧରେ ଯୋଡ଼ି ଦେଇ ତାକୁ ଜୀବନ୍ୟାସ ଦେଲେ ଓ ତାଙ୍କର ନାମଦେଲେ ଗଣନାଥ l ସେହିଦିନରୁ ସେ ଗଣେଶ ଗଣପତି ଗଣେଶ୍ୱର ଗଜାନନ ଆଦି ବହୁ ନାମରେ ପରିଚିତ ହେଲେ l ତୁମେ ସେହି ବିଘ୍ନ ନାଶନ ପ୍ରଭୁ ଗଣନାଥଙ୍କ କୃପା ଭିକ୍ଷା କର l ତୁମେ ନିଶ୍ଚୟ ସିଦ୍ଧ କାମ ହେବ ଏଥିରେ ସନ୍ଦେହ ନାହିଁ l ଏହା ହିଁ ଶ୍ରୀଗଜାନନ ଗଣେଶ୍ୱରଙ୍କ ଜନ୍ମ ବୃତ୍ତାନ୍ତ l ଶୂଦ୍ରମୁନି ଶାରଳାଦାସ ମହାଭାରତର ମଧ୍ୟପର୍ବରେ ଏହି କାହାଣୀ ଶେଷ କରି କହିଲେ :-

   କୁରୁପାଳ ମନ୍ତ୍ରୀ ଏହା ବିସ୍ତାରି କହିଲା ।

   ମୂଢ଼ାସୁର ଶୁଣି ଅତି ହରଷ ହୋଇଲା ।।

   ଗଣନାଥ ଛାମୁରେ ସେ ମିଳିଲାକ ଯାଇ ।

  ଖଣ୍ଡେଦୂରୁ ଦେଖି ତାଙ୍କ ଚରଣେ ପଡ଼ଇ ।।

        

ଅର୍ଜୁନୀ ଚରଣ ବେହେରା 
ମୋ -୭୬୯୪୦୯୨୯୭୧

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.