ସୁଧୀର ମେହେରଙ୍କୁ ଦେବଗିରି ସାହିତ୍ୟ ସମ୍ମାନ: ଭୀମସେନଙ୍କୁ ନାଟ୍ୟ, ସୁଶାନ୍ତ ଓ ମଧୁସୂଦନଙ୍କୁ କଳା ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶିଷ୍ଟ କବି ସୁଧୀର ମେହେରଙ୍କୁ ଏବର୍ଷର ମର୍ଯ୍ୟାଦାଜନକ ‘ଦେବଗିରି ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ସ୍ଥିତ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଏନେଇ ଘୋଷଣା କରାଯାଇଛି। ଜୁନାଗଡ଼ ବ୍ଲକ୍ ଚିଚୈଗୁଡ଼ା ନିବାସୀ ଶ୍ରୀ ମେହେର ଓଡ଼ିଆ କବିତାରେ ଜଣେ ଧୂରୀଣ ବିନ୍ଧାଣି। କବିତାରେ ମାନବୀୟ ଆବେଗ ଓ ଜୀବନ ଦର୍ଶନର ସୂକ୍ଷ୍ମ ପରିପ୍ରକାଶ ତାଙ୍କ ସାହିତ୍ୟର ଏକ ବିଶେଷ ଦିଗ। ତାଙ୍କ ପ୍ରକାଶିତ କବିତା ସଂକଳନ ମଧ୍ୟରେ ରହିଛି ‘ମିଛ ଉତାଣ’, ‘ମାଟି ମୋହ’, ‘ନିର୍ବାକ୍ ଈଶ୍ଵର’ ଓ ‘ଜୀବନ ବଇଁଶୀ ସୁର’। ସାହିତ୍ୟ ସାଧନା ପାଇଁ ସେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଦତ୍ତ ରାଜ୍ୟସ୍ତରୀୟ ଗଳ୍ପ ପୁରସ୍କାର, ବର୍ଣ୍ଣମାଳା, ଭୂବନେଶ୍ଵରୁ ବିକାଶ ଭାରତୀ ପୁରସ୍କାର, ଫୁଲବାଣୀରୁ ବନଜୋତ୍ସ୍ନା ପୁରସ୍କାର, ଝରା ଶେଫାଳୀ ପୁରସ୍କାର, ନୟାଗଡରୁ କ୍ୟାପଟେନ ଉପେନ୍ଦ୍ର କୁମାର ସ୍ମୃତି ସମ୍ମାନ, ବୌଦ୍ଧରୁ ମହାକୂଳ ସାହିତ୍ୟ ସମ୍ମାନ, କଟକରୁ ରାଷ୍ଟ୍ରଦୀପ ପୁରସ୍କାର, କେସିଙ୍ଗା ଚେତାବନୀ ସାହିତ୍ୟ ସଂସଦରୁ ଜ୍ୟୋତି ମିଶ୍ର ଯୁବପ୍ରତିଭା ସମ୍ମାନ, କଟକରୁ ସୃଜନ ଯୁବ କବିତା ସମ୍ମାନ, ସିନାପାଲି, ନୂଆପଡ଼ାରୁ ଗଙ୍ଗାଧର ସ୍ମୃତି ସମ୍ମାନ ସମେତ ଅନେକ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇସାରିଛନ୍ତି। ସଂପ୍ରତି ସେ ସରକାରୀ ଉଚ୍ଚ ବିଦ୍ୟାଳୟ, ଚିଚୈଗୁଡ଼ା ଠାରେ ବିଜ୍ଞାନ ଶିକ୍ଷକ ରୂପେ ଅବସ୍ଥାପିତ।

Omkar Vasthu
Omkar Vasthu

ସେହିପରି ଦେବଗିରି ନାଟ୍ୟ ସମ୍ମାନ ପାଇବେ ବିଶିଷ୍ଟ ନାଟ୍ୟକର୍ମୀ, ନୃତ୍ୟଗୁରୁ ତଥା ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଭୀମସେନ ସାହୁ। ଜଣେ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଭାବେ ସେ ୭୫ରୁ ଉର୍ଦ୍ଧ୍ବ ମଞ୍ଚ ନାଟକ, ଟେଲିଫିଲ୍ମ ଓ ବେତାର ନାଟକରେ ଅଂଶଗ୍ରହଣ କରିସାରିଛନ୍ତି। ଏଥିସହ ସେ ଜଣେ ନୃତ୍ୟ ନିର୍ଦ୍ଦେଶକ ଭାବେ ଦେଶର ବିଭିନ୍ନ ମଞ୍ଚରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ତାଙ୍କ ଛାତ୍ରଛାତ୍ରୀମାନେ ରାଜ୍ୟ ତଥା ଜାତୀୟ ସ୍ତରରେ ନୃତ୍ୟଶିଳ୍ପୀ, କଣ୍ଠଶିଳ୍ପୀ, ଅଭିନେତା ଅଭିନେତ୍ରୀ ଭାବେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଏଥିପାଇଁ ସେ କଳାହାଣ୍ଡି ଉତ୍ସବରେ କଳାହାଣ୍ଡି ବରପୁତ୍ର ସମ୍ମାନ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପଶ୍ଚିମ ଓଡ଼ିଶା ସଂସ୍କୃତି ସମ୍ମାନ, ଭାରତ ସରକାରଙ୍କ ଦ୍ଵାରା ଦ୍ଵାରା ସିନିୟର୍ ଫେଲୋସିପ୍, କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ବୟୋବୃଦ୍ଧ ସମ୍ମାନ ସମେତ ଦେଶର ବିଭିନ୍ନ ସ୍ଥାନରେ ସମ୍ମାନିତ ଓ ପୁରସ୍କୃତ।

Pearl dental clinic
Near Ashish Medical Store, Bhawanipatna

ଏଥିସହ ବ୍ୟଙ୍ଗକବି ସୁଶାନ୍ତ ମିଶ୍ର ଓ ଆଶୁକବି ମଧୁସୂଦନ ରାଉତଙ୍କୁ ଦେବଗିରି କଳା ସମ୍ମାନ ପ୍ରଦାନ କରାଯିବ। ପେଶାରେ ପ୍ରାଣୀଧନ ନିରୀକ୍ଷକ ମଦନପୁର ରାମପୁର ନିବାସୀ ଶ୍ରୀ ମିଶ୍ର ରାଜ୍ୟ ତଥା ଦେଶର ବିଭିନ୍ନ ମଞ୍ଚରେ ବ୍ୟଙ୍ଗ କବିତା ପରିବେଷଣ କରି ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରନ୍ତି। ସେହିପରି ତୁଳାଗାଁ ନିବାସୀ ଅବସରପ୍ରାପ୍ତ ଶିକ୍ଷକ ତଥା ଆଶୁକବି ମଧୁସୂଦନ ରାଉତ ଭାଗବତିଆ କବି ଭାବେ ଅଞ୍ଚଳରେ ସୁପରିଚିତ। ଯେକୌଣସି ପ୍ରସଙ୍ଗକୁ ନବାକ୍ଷରୀ ବୃତ୍ତରେ କବିତାର ରୂପ ଦେବାର କଳାରେ ସେ ବେଶ୍ ପାରଙ୍ଗମ। ଜଣେ ସାହିତ୍ୟ ଓ ସଂସ୍କୃତି ସଂଗଠକ ଭାବେ ମଧ୍ୟ ସେ ସକ୍ରିୟ।

Udyog Nursery
Udyogi Nursery

ଉକ୍ତ ପ୍ରତିଭାମାନଙ୍କୁ ଆସନ୍ତା ନଭେମ୍ବର ୧୩ରୁ ୧୫ ତାରିଖ ଯାଏଁ ଆୟୋଜନ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଗୋସିଙ୍ଗ ଦୈତ୍ୟ ଦରବାରରେ ସମ୍ମାନିତ କରାଯିବ ଏବଂ ଅନ୍ୟାନ୍ୟ ସମ୍ମାନ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.