ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତ: ଅଦିନିଆ ବର୍ଷା ଜନିତ ଧାନ କ୍ଷୟକ୍ଷତିର ଅନୁଧ୍ୟାନ, ଉଚ୍ଚସ୍ତରୀୟ ଆକଳନ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଝାରୀ ଆଜି ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଗ୍ରାମକୁ ଯାଇ ଗତ ଅଦିନିଆ ଲଗାଣ ବର୍ଷାରେ ଧାନ ଫସଲ ଓ ଧାନ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରି ଅନୁଧ୍ୟାନ ଓ ଉଚ୍ଚସ୍ତରୀୟ ଆକଳନ କରି ଫେରି ଯାଇଛନ୍ତି । ଗତ ୩/୪ ଦିନ ପୂର୍ବେ ଅଦିନିଆ ଲଗାଣ ବର୍ଷା ଦେଖା ଦେଇଥିଲା । ସେଥିରେ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ଉପଲଡା, ଲିଙ୍ଗିପୁର, ଭୁସୁକୁଡ଼ି ଓ ଗୁରାଣ୍ଡୀ ପଞ୍ଚାୟତ ସମେତ ବିଭିନ୍ନ ଅଞ୍ଚଳରେ ୨,୧୨୮ ହେକ୍ଟର ଅଞ୍ଚଳରେ ଚାଷୀ ମାନଙ୍କ ଧାନ ରହିବା ସହ କେତେକ କଟା ହୋଇପାରିନି ତ କେତେ ଅଞ୍ଚଳରେ ଧାନ କାଟି ବିଲରେ ପଡ଼ିରହିଛି ତ କେତେକ ଅଞ୍ଚଳରେ ଧାନ ଗଡା ହୋଇ ରହିଛି, ସବୁଠି ବର୍ଷା ପାଣି ରେ ଓଦା ହୋଇ ଗଜା ମାରି ଦେଇଛି । ସେହି କ୍ଷୟକ୍ଷତି ଅନୁଧ୍ୟାନ ଓ ଉଚ୍ଚସ୍ତରୀୟ ଆକଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ସେ ସବୁ ଆସି ଦେଖିଥିଲେ । ଚାଷୀଙ୍କ ସହ କ୍ଷୟକ୍ଷତି ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଚାଷୀ ମାନେ ଶତାଧିକ ସଂଖ୍ୟାରେ ରୁଣ୍ଡ ହୋଇ ସେମାନଙ୍କ ଗଜା ଧାନ ଓ ପୂଚୁକା ଧାନ ଧରି ଜଗିରହି ସେମାନଙ୍କ ଧାନ, ବର୍ଷା ପାଣିରେ କିଭଳି ପୁଚୁକା ହେବା ଓ ଗଜା ହୋଇଥିବା ଦେଖାଇଥିଲେ ।

ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଚାଷୀ ମାନଙ୍କ କ୍ଷୟକ୍ଷତି ଦେଖି ସେମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ସରକାର ଚାଷୀଙ୍କ ସହ ଅଛନ୍ତି , ଏବଂ ଚାଷୀଙ୍କ ଦୁଃଖ ବୁଝିବା ପାଇଁ ଆମେ ଆସିଛୁ । ଫସଲ ବୀମା ପଞ୍ଜିକରଣ ପ୍ରକାରେ ନ ହେଲେ ମଧ୍ୟ ଆରଆଇ , ତହସିଲଦାର ଓ ବିଡ଼ିଓ ଙ୍କ ସର୍ଭେ ପ୍ରକାରେ ସମସ୍ତ ଚାଷୀଙ୍କ କ୍ଷୟକ୍ଷତିର କ୍ଷତିପୂରଣ ଦିଆଯିବ । ହେଲେ ମଧ୍ୟ ଏଥିରୁ ଯେଉଁ ଧାନ ବାହାରିବା ତାହା ମଧ୍ୟ ସରକାର ରଖିବେ ବୋଲି କହି ଚାଷୀ ମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ସାମ୍ବାଦିକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କ ଗ୍ରସ୍ତ ସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି ଯେ , ଗଜପତି ଜିଲ୍ଲାରେ ଗତ ଦିନରେ ଯେଉଁ ଅଦିନିଆ ଲଗାଣ ବର୍ଷା ଦେଖା ଦେଇଛି, ସେଥିରେ ଗଜପତି ଜିଲ୍ଲାର ପ୍ରଭୂତ ଧାନ କ୍ଷତି ହୋଇଛି । ଯାହାକି, ଜିଲ୍ଲାରେ ୨, ୧୨୮ ହେକ୍ଟର ଜମିର ଧାନ ପ୍ରଭାବିତ ହୋଇଛି । ଚାଷ ଜମିରେ ଧାନ କଟା ହୋଇ ରହିଛି ଏବଂ ଗଦା କରି ରଖିଥିବା ଧାନ ସବୁ ବର୍ଷା ପାଣିରେ ପ୍ରଭାବିତ ହୋଇଛି , ଗଜା ଓ ପୁଚୁକା ହୋଇ ପଡ଼ି ରହିଛି । ସେ ସବୁ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କୁ ଦେଖାଇ ସେମାନଙ୍କ ଦୁଃଖ ଜଣାଇବା ସହ ଅଭିଯୋଗ ପତ୍ର ମଧ୍ୟ ଦେଇଥିଲେ । ସେ ସବୁର ଅନୁଧ୍ୟାନ ଓ ଉଚ୍ଚ ସ୍ତରୀୟ ଆକଳନ କରିଥିଲେ । ଏଭଳି ପରିସ୍ଥିତିରେ କେତେ କ୍ଷୟକ୍ଷତି ହୋଇଛି, ସରକାର ତାଙ୍କର ଆକଳନ କରିବା ପ୍ରକାରେ କ୍ଷତିପୂରଣ କେତେ ଦେବେ ତାହା ସରକାର ନିଷ୍ପତ୍ତି ନେବେ ଦେବେ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଥିଲେ ।

ଅନ୍ୟପକ୍ଷରେ ଗଜପତି ଜିଲ୍ଲାରେ ଚଳିତ ମାସର ଆସନ୍ତା ୩୦ ତାରିଖ ଦିନ ଧାନ ମଣ୍ଡି ଖୋଲାଯିବା କାର୍ଯ୍ୟକ୍ରମ ରହିଥିଲା , କିନ୍ତୁ ଅଦିନିଆ ଲଗାଣ ବର୍ଷା ଓ ଚାଷୀଙ୍କ ଧାନ ପ୍ରଭାବିତ ହୋଇଥିବା କାରଣରୁ ଏହାକୁ ଆସନ୍ତା ଜାନୁଆରୀ ୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଚାଷୀ ମାନେ ସେମାନଙ୍କ ଧାନକୁ ଭଲ ଭାବେ ଶୁଖାଇ ମଣ୍ଡିକୁ ଧାନ ଆଣିବେ । ବର୍ଷାରେ ପ୍ରଭାବିତ ଧାନର ରଙ୍ଗ ଯାହା ହେଲେ ମଧ୍ୟ ତାହା ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ହିଁ ଏଠାରେ କାର୍ଯ୍ୟକାରୀ ହେବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କ ଏହି ଗ୍ରସ୍ତ ବେଳେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହି, ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ, ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ, ଏସପି ଶ୍ରୀ ଯତୀନ୍ଦ୍ର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ଗୁଣନିଧି ନାୟକ ଏବଂ ତହସିଲଦାର ଶ୍ରୀ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.