କୁଷ୍ଠରୋଗ ସଚେତନତା ପାଇଁ ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୁଷ୍ଠରୋଗ ସଚେତନତା ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ବୈଠକ ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ପ୍ରଦୀପ ଗୁରୁ, ଏଡିପିଏଚ୍ଓ (ପରିବାର କଲ୍ୟାଣ) ଡା. ଦୈତ୍ୟନାରାୟଣ ପାଢ଼ୀ, ଡିଏମ୍ଓ (ଏଏସ୍) ଏବଂ ଅଧୀକ୍ଷକ ଡା. ଦୁର୍ଗାଦତ୍ତ ଦାଶ, ଏଡିପିଏଚ୍ଓ (ଲାପ୍ରୋସି) ଡା. ଗୋପାଳ ଚନ୍ଦ୍ର ମଲ୍ଲିକ, ଡିପିଏମ୍ ବିଶ୍ଵମ୍ବର ବେହେରା, ଡିଏଲ୍‌ସି ଗୌରୀଶଙ୍କର ପଣ୍ଡା, ଡିପିଏମ୍‌ୟୁର କର୍ମଚାରୀ ଓ ସମସ୍ତ ବ୍ଳକ୍‌ର ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ। କୁଷ୍ଠରୋଗ ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ଏପ୍ରିଲ ୨୦୨୪ରୁ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ୧୯୨ ଜଣ କୁଷ୍ଠରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ସମସ୍ତେ ମାଗଣା ଚିକିତ୍ସା ସେବା ପାଇଛନ୍ତି। କୁଷ୍ଠରୋଗ ନିରାକରଣ ସଚେତନତା ବୃଦ୍ଧି ନିମନ୍ତେ ଆସନ୍ତା ୩୦ ତାରିଖରୁ ଫେବ୍ରୁଆରି ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସାରା ସ୍ପର୍ଶ କୁଷ୍ଠରୋଗ ସଚେତନତା ଅଭିଯାନ ଚାଲିବା ଏଥିପାଇଁ ଜିଲ୍ଲାପାଳ ଅନ୍ୟାନ୍ୟ ବିଭାଗମାନଙ୍କୁ ସ୍ବାସ୍ଥ୍ୟ ବିଭାଗକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଗାଁରେ କୁଷ୍ଠରୋଗ ସଚେତନତା କାର୍ଯ୍ୟକ୍ରମ ହେବ ଓ ଏଥିରେ ଆଶା, ଅଙ୍ଗନବାଡ଼ି କର୍ମୀ, ଏଏନ୍‌ଏମ୍ ପ୍ରମୁଖ ସାମିଲ ହେବେ। ପ୍ରତ୍ୟେକ ସ୍କୁଲରୁ ଜଣେ କିମ୍ବା ଦୁଇଜଣ ଛାତ୍ରୀ ‘ସପନା’ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟକରି କୁଷ୍ଠରୋଗର ସଚେତନତା ସୃଷ୍ଟି କରିବାରେ ସହାୟକ ହେବେ। ଏଥିପାଇଁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଶୀଘ୍ର ଛାତ୍ରୀମାନଙ୍କ ତାଲିକା ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ଦେବାକୁ ପରାମର୍ଶ ଦେଇଛନ୍ତି। ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ ତଥା ସୋନପୁରର ସମସ୍ତ କାଉନସିଲର, ଅଧ୍ଯକ୍ଷ ସଚେତନତା ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.