କୋଟିଆକୁ ନେଇ ଜିଲ୍ଲାସ୍ତରୀୟ ସର୍ବଦଳୀୟ ବୈଠକ

ବିକାଶ ଓ ଓଡ଼ିଶାର ସ୍ୱାର୍ଥ ସୁରକ୍ଷା ଉପରେ ଗୁରୁତ୍ୱ, ଆନ୍ଧ୍ରର ନିର୍ବାଚନୀ ଉଦ୍ୟମର ମୁକାବିଲା ପାଇଁ ଆଲୋଚନା

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋଟିଆର ବିକାଶ ଓ ସୀମାନ୍ତ ଅଞ୍ଚଳରେ ଓଡ଼ିଶାର ସ୍ୱାର୍ଥ ସୁରକ୍ଷାକୁ ନେଇ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। କୋଟିଆ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଆନ୍ଧ୍ର ପ୍ରଦେଶ ପକ୍ଷରୁ ନିର୍ବାଚନ କରାଇବା ଉଦ୍ୟମର ମୁକାବିଲା ନେଇ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି। ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମଙ୍କ ସମେତ ପୂର୍ବତନ ସାଂସଦ ଝିନ ହିକକା. କଂଗ୍ରେସ ଜିଲ୍ଲା ସଭାପତି ରୂପକ ତୁରୁକ. ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ସ୍ଥାନୀୟ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ। ଏଥିସହ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।କୋଟିଆରେ ମୌଳିକ ସୁବିଧାର ସମ୍ପ୍ରସାରଣ, ସ୍ଥାନୀୟ ଲୋକଙ୍କ ସ୍ୱାର୍ଥର ସୁରକ୍ଷା, ସରକାରୀ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଆନ୍ଧ୍ର ପ୍ରଦେଶର ନିର୍ବାଚନୀ ଉଦ୍ୟମର ମୁକାବିଲା ପାଇଁ ପରବର୍ତ୍ତୀ ପଦକ୍ଷେପ ନିର୍ଦ୍ଧାରଣ ଉପରେ ବୈଠକରେ ଆଲୋଚନା ହେଉଥିବା ଜଣାପଡ଼ିଛି। କୋଟିଆର ସ୍ଥାୟୀ ବିକାଶ ଓ ସୀମାନ୍ତ ଅଞ୍ଚଳରେ ପ୍ରଶାସନିକ ତତ୍ପରତା ବୃଦ୍ଧି ଏହି ବୈଠକର ପ୍ରମୁଖ ଗୁରୁତ୍ୱ ରହିଛି। ବୈଠକରେ କ’ଣ ନିଷ୍ପତ୍ତି ନିଆଯାଉଛି ଏବଂ ସେଗୁଡ଼ିକର କାର୍ଯ୍ୟକାରିତା କିପରି ହେବ, ତାହା ଉପରେ ଏବେ ନଜର ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.