ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପୂର୍ବାଞ୍ଚଳ ସ୍ପୋର୍ଟ କ୍ଲାଇମିଙ୍ଗ ଚମ୍ପିୟନସିପ ୨୦୨୬ରେ ଭାଗ ନେଇଛନ୍ତି ୧୨ ଜଣ ପ୍ରତିଭା। ଏନେଇ ସୂଚନା ଦେଇଛନ୍ତି ଏଭେରେଷ୍ଟ ବିଜେତା ତଥା ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ। ଶ୍ରୀ ଭୋଇଙ୍କ ସୂଚନା ଅନୁସାରେ କଳାହାଣ୍ଡି ଓ ବରଗଡ ଜିଲ୍ଲାରୁ ୧୨ ଜଣିଆ ଦୁଃସାହସିକ ଦଳ ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମଠାରେ ସ୍ପୋର୍ଟ କ୍ଲାଇମିଙ୍ଗ ପ୍ରଶିକ୍ଷଣ ନେଇ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଯାହାକି ଭାରତୀୟ ପର୍ବତାରୋହଣ ସଂସ୍ଥାନ, ପୂର୍ବାଞ୍ଚଳର ଅଧ୍ୟକ୍ଷ ଦେବରାଜ ଦତ୍ତା ଏବଂ କ୍ରୀଡା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ପ୍ରଶିକ୍ଷଣ ସହିତ କେବଳ ରହିବାର ବ୍ଯବସ୍ଥା କରାଯାଇଥିଲା। ଗତ ୧୩ ଅକ୍ଟୋବର ୨୦୨୬ ରୁ ୨୬ ତାରିଖ ପର୍ଯ୍ଯନ୍ତ ୧୪ ଦିନ ପ୍ରଶିକ୍ଷଣ ନେଇ ୨୭ ଅକ୍ଟୋବରରୁ ୩୦ ଅକ୍ଟୋବରରେ ଆୟୋଜିତ ହେଉଥିବା ପୂର୍ବାଞ୍ଚଳ ସ୍ପୋର୍ଟ କ୍ଲାଇମିଙ୍ଗ ଚମ୍ପିୟନସିପ ୨୦୨୬ରେ ଭାଗନେଇଛନ୍ତି। ଯେଉଁଠାରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସ୍ଥିତ ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ରୀ ପୁଣ୍ୟତୋୟା ଛତର, ଦଶମ ଶ୍ରେଣୀର ଛାତ୍ର ପ୍ରଜ୍ଞାନନ୍ଦ ଛତର, ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମଶାଣିବନ୍ଧର ଷଷ୍ଠ ଶ୍ରେଣୀର ଛାତ୍ରୀ ଆକାକ୍ଷା ପ୍ରିୟଦର୍ଶନୀ ଗହୀର, ନର୍ଲା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ମନ୍ଦାକିନୀ ଗଉଡ, ଅସୁରଗଡର ପ୍ରିୟଙ୍କା ପୁଟେଲ, ରାଣୀପଟାର ନିହାରୀକା ବୁଧିଆ, ମରାମପୁର ଅନ୍ତର୍ଗତ ନୁନପୁରର ସସ୍ମିତା ରଣା, ଝାଲିଆଗୁବାର ପୂଜା ଭୋଇ, କର୍ଲାମୁଣ୍ଡା ଅନ୍ତର୍ଗତ ରିଷିଡାର ତନୁଶ୍ରୀ ସାହୁ ସେହିପରି ବରଗଡ ଜିଲ୍ଲାର ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବୁଙ୍ଗାପାଲିର ଡିଲେସରାଜ ଭୋଇ, ବୀର ସୁରେନ୍ଦ୍ର ସାଏ ସରକାରୀ ଉଚ୍ଚ ବିଦ୍ଯାଳୟ ଡୁଙ୍ଗୁରୀର ଦଶମ ଶ୍ରେଣୀର ଛାତ୍ରୀ ମେଘାମାଳିନୀ ଭୋଇ ପ୍ରଥମ ଥର ଲାଗି କଳାହାଣ୍ଡି, ବରଗଡ ଜିଲ୍ଲାକୁ ପ୍ରତିନିଧିତ୍ବ କରି ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମର ଏହି ଗୌରବମୟ ଏହି କ୍ରୀଡାରେ ଭାଗନେଇଛନ୍ତି। ଏଭେରେଷ୍ଟ ବିଜେତା ତଥା ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ନେତୃତ୍ବରେ ଏହି ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହୋଇଛନ୍ତି। ଛାତ୍ରୀମାନଙ୍କର ଗାଇଡ ଭାବରେ ଶିକ୍ଷୟତ୍ରୀ ସେବତି ଭୋଇ ଆସିଥିବାବେଳେ କଳାହାଣ୍ଡି ଜିଲ୍ଲାର ଜାତୀୟସ୍ତରର ପର୍ବତାରୋହୀ ରୋମାଞ୍ଚଳ ଭୋଇ ବିଶେଷ ମାର୍ଗଦର୍ଶନ କରୁଛନ୍ତି। ଆମର ଏହି ଉପାନ୍ତ ଅଞ୍ଚଳରୁ ଦୁଃସାହସିକ କୁନି ପ୍ରତିଭାଙ୍କମାନଙ୍କର ଉନ୍ନତ ମାନର ପ୍ରଦର୍ଶନ ରହିଛି, ଏଥିପାଇଁ ସରକାରୀ ସ୍ତରରେ ପ୍ରୋତ୍ସାହନ କରାଗଲେ ଆମର ଦୁଃସାହସିକ ଛାତ୍ରଛାତ୍ରୀମାନେ ଜାତୀୟସ୍ତର ତଥା ଆନ୍ତର୍ଜାତିକ ସ୍ତରକୁ ମନୋନୀତ ହୋଇ ଜିଲ୍ଲା, ରାଜ୍ଯ, ଦେଶ ପାଇଁ ମେଡାଲ ଆଣି ପାରିବେ ବୋଲି ମୋର ଦୃଢ ବିଶ୍ବାସ ଅଛି ବୋଲି ଏଭରେଷ୍ଟ ବିଜେତା ଶ୍ରୀ ଭୋଇ ପ୍ରକାଶ କରିଛନ୍ତି।





