ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକରେ ଅସହାୟ ଅବସ୍ଥାରେ ଭଙ୍ଗା ମାଟି ଘରେ ଦିନ କାଟୁଥିବା ୩ ଜଣ ଅନାଥ ଶିଶୁଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ସୁରକ୍ଷିତ ଆଶ୍ରୟ ଦିଆଯାଇଛି। ଲାଞ୍ଜିଗଡ଼ରୋଡ ପଞ୍ଚାୟତର ସିକେରକୁପା ଗ୍ରାମର ଜ୍ୟୋତି ମୋଗଲେଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଉଜୁଡ଼ି ଯାଇଥିଲା। ଚାରି ସନ୍ତାନଙ୍କ ପ୍ରତିପୋଷଣ କରିନପାରି ସେ ଜୀବିକା ଅନ୍ୱେଷଣରେ ବାହାରକୁ ଚାଲିଯିବା ପରେ ୩ ଜଣ କୁନି ପିଲା ଗାଁର ଏକ ପରିତ୍ୟକ୍ତ ଭଙ୍ଗା ମାଟି ଘରେ ରହି ଦୁର୍ଦ୍ଦଶାରେ ଜୀବନ ବିତାଉଥିଲେ।
ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ସମାଜସେବୀ ସଂଗଠନ ସହାୟତା ପାଇଁ ଆଗେଇ ଆସିଥିଲେ। ଶେଷରେ କଳାହାଣ୍ଡିର ସୁନାମଧନ୍ୟ ସମାଜସେବୀ ସତ୍ୟନାରାୟଣ ବିଶିଙ୍କ ଉଦ୍ୟମ ଏବଂ ସିକେରକୁପା ଫାଣ୍ଡି ଅଧିକାରୀ ମୂରଲୀମୋହନ ପିଡ଼ିକାଙ୍କ ଉପସ୍ଥିତିରେ ତିନି ଶିଶୁଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣାସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ ହାଜର କରାଯାଇଥିଲା। ପରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ନିର୍ଦ୍ଦେଶକ୍ରମେ ଦୁର୍ଗା ମୋଗଲେ, ଦେବ ମୋଗଲେ ଓ ସୋନୁ ମୋଗଲେ ନାମକ ତିନି ନାବାଳକଙ୍କୁ କେସିଙ୍ଗାସ୍ଥିତ ଏକ ଆଶ୍ରମରେ ଥଇଥାନ କରାଯାଇଛି। ଏହି ଉଦ୍ଧାର ସମୟରେ ସିକେରକୁପାର ଆଶାକର୍ମୀ ଲକ୍ଷ୍ମୀ ବାଗ ଓ ଶିଶୁମାନଙ୍କ ବଡ଼ମା ଲଳିତା ବିଭାର ଉପସ୍ଥିତ ଥିଲେ।





