ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଧବାର ମଧ୍ୟାହ୍ନରୁ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ପବନ ଲାଗିରହିଛି। ଏହି ପ୍ରବଳ ପବନ ଯୋଗୁଁ ଜୁନାଗଡ଼ ସହରରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି। ସହରର ପୁରୁଣା ବସଷ୍ଟାଣ୍ଡ ଛକ ୨୬ ନମ୍ବର ଜାତୀୟ ରାଜପଥରେ ନିର୍ମିତ ହୋଇଥିବା ଗଜଲକ୍ଷ୍ମୀ ପୂଜାର ଏକ ବିଶାଳ ତୋରଣ (ଗେଟ୍) ପବନ ଯୋଗୁ ହଠାତ୍ ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଥିଲା। ତୋରଣଟି ଭାଙ୍ଗିପଡ଼ିବା ସମୟରେ ରାସ୍ତାରେ ଯାଉଥିବା ଏକ ଅଟୋରିକ୍ସା, କାର୍ ଓ ବୋଲେରୋ ଗାଡ଼ି ଏହା ତଳେ ଚାପି ହୋଇ ରହିଯାଇଥିଲା। ଫଳରେ ଗାଡ଼ିଗୁଡ଼ିକ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିଲା। ସେହିପରି ପ୍ରବଳ ପବନ ଯୋଗୁଁ ସହରର ମାରୱାଡ଼ି ପଡ଼ା ଲକ୍ଷ୍ମୀ ପୂଜାର ଏକ ତୋରଣ ମଧ୍ୟ ଭାଙ୍ଗିପଡ଼ିଥିବା ଦେଖିବାକୁ ମିଳିଛି। ତେବେ ସେଠାରେ କୌଣସି ଧନଜୀବନ କ୍ଷୟକ୍ଷତି ଘଟି ନଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ପ୍ରଶାସନ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭାଙ୍ଗିପଡ଼ିଥିବା ଗେଟ୍ କାଟି ରାସ୍ତା ସଫା କରିବା ସହ ଉଦ୍ଧାର କାର୍ଯ୍ୟ କରିଥିଲେ। ଦୀର୍ଘ ସମୟ ପରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ବର୍ତ୍ତମାନ ବି ସମଗ୍ର ଅଞ୍ଚଳରେ ବର୍ଷା ଓ ପବନ ଜାରି ରହିଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି।





