ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଦନପୁର ରାମପୁର ଥାନା ଅଞ୍ଚଳର ଘୁଡ଼ଘୁଡ଼ିପଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଟଙ୍କା, ମୋବାଇଲ ଫୋନ, ବାଇକ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି। ଚଢାଉ ବେଳେ ପୋଲିସକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିବା କଳାହାଣ୍ଡି ପୋଲିସ ପକ୍ଷରୁ ସୂଚନା ମିଳିଛି। ପୋଲିସର ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଘୁଡ଼ଘୁଡ଼ିପଟି ନିକଟରେ ଟଙ୍କା ବାଜି ଲଗାଇ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ଆଡ୍ଡା ରେ ପହଞ୍ଚିଥିଲା। ଏହି ସମୟରେ ଜୁଆ ଖେଳୁଥିବା ବ୍ୟକ୍ତି ବିଶେଷ ପୋଲିସ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପଥର ଫିଙ୍ଗିବା,ମାଡ଼ ମାରିବା ଓ ହତ୍ୟା ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ଏପରିକି ମହିଳା ହୋମଗାର୍ଡ ନୀଳିମା ବାଗଙ୍କୁ ବେକ କୁ ଧରି ତଳେ ଘୋଷାଡ଼ି ନେଇଥିବା ମଧ୍ୟ ଅଭିଯୋଗ ହୋଇଛି।ଘଟଣାସ୍ଥଳରୁ ପୋଲିସ ୧୩ ହଜାର ୨୦୦ ଟଙ୍କା, ୬ଟି ପଶା, ଗୋଟିଏ ମୋଟରସାଇକେଲ, ୫ଟି ମୋବାଇଲ ଫୋନ୍ ଓ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଘନଶ୍ୟାମ ରଣା, ଦୟାନିଧି ଭୋଇ, ରାଧେଶ୍ୟାମ ରଣା, କାମଦେବ ପୋଢ଼,ବଡ଼ ଡୁଙ୍ଗୁରି ଗୁଡ଼ାର ଶକ୍ତି ପୁଟେଲ ଓ ସୁବ୍ରତ ମିଶ୍ର ମଦନପୁର ଗ୍ରାମର ଦେବରାଜ ଦଣ୍ଡିଆ ପ୍ରମୁଖଙ୍କୁ ଗିରଫ କରିଛି ପୋଲିସ।ଏହି ଘଟଣାକୁ ନେଇ ମଦନପୁର ରାମପୁର ଥାନାରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଏବଂ ଓପିଜି ଆଇନର ଧାରା ୩ ଅନୁଯାୟୀ କେସ ନମ୍ବର ୨୭୧/୨୦୨୬ରେ ମାମଲା ରୁଜୁ କରାଯାଇଛି। ଅଧିକ ତଦନ୍ତ ଜାରି ରହିଥିବାର ମଦନପୁର ରାମପୁର ଥାନା ଆଇଆଇସି ସଂଯୁକ୍ତା ପଧାନ ସୂଚନା ଦେଇଛନ୍ତି।





