ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ବୁଧବାର କଳାହାଣ୍ଡି ଜିଲ୍ଲା ଗସ୍ତ ଅବସରରେ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି l ପରିଦର୍ଶନ ବେଳେ ସେ ଡାକ୍ତରଖାନାର ବିଭିନ୍ନ ୱାର୍ଡ, ଔଷଧ ବିତରଣ କେନ୍ଦ୍ର ଓ ପରିସର ବୁଲି ଦେଖିବା ସହ ରୋଗୀମାନଙ୍କୁ ମିଳୁଥିବା ସୁବିଧା ଅସୁବିଧା ବୁଝିଥିଲେ। ହେଲେ ଡାକ୍ତରଖାନା ପରିସରରେ ଦେଖାଦେଇଥିବା ଅବ୍ୟବସ୍ଥା ଓ କିଛି କର୍ମଚାରୀଙ୍କ ବେପରୁଆ ପାର୍କିଂ ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ଦେଖି ମନ୍ତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବିକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଜୁନାଗଡ଼ ଡାକ୍ତରଖାନାରେ ତୁରନ୍ତ ଜଣେ ଦନ୍ତ ଚିକିତ୍ସକ ନିଯୁକ୍ତି ଏବଂ ଗର୍ଭବତୀ ମହିଳା ଓ ଅନ୍ୟ ରୋଗୀଙ୍କ ସୁବିଧା ପାଇଁ ଏକ ଅଲଟ୍ରାସାଉଣ୍ଡ ମେସିନ୍ ସ୍ଥାପନ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ମନ୍ତ୍ରୀ ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୁଟେନ୍ ଗ୍ରାମର ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାକାର ଭିତ୍ତିଭୂମି ସ୍ଥିତି ସମୀକ୍ଷା କରିଥିଲେ। ଏହି ଗସ୍ତ ଅବସରରେ କଳାହାଣ୍ଡି ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜୁନାଗଡ଼ ବିଡ଼ିଓ, ତହସିଲଦାରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।





