• ଜଳେଶ୍ୱର ନାବାଳିକା ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାର ତୀବ୍ର ନିନ୍ଦା; ନଭେମ୍ବରରେ ବାଲେଶ୍ୱର ଜିଲ୍ଲାର ସମସ୍ତ ବ୍ଲକରେ ଜନଆକ୍ରୋଶ ସମାବେଶ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରଠାରେ ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ବା ସିପିଆଇ(ଏମ୍) ତୀବ୍ର ନିନ୍ଦା କରିବା ସହ ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛି। ମହିଳାଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷାରେ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ବିଫଳ ହୋଇଥିବା ଦଳ ଅଭିଯୋଗ କରିଛି। ଗୁରୁବାର ସକାଳେ ବାଲେଶ୍ୱରସ୍ଥିତ ସିପିଆଇ(ଏମ୍) ଜିଲ୍ଲା ପାର୍ଟି କାର୍ଯ୍ୟାଳୟରେ ସୀତାଂଶୁ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା କମିଟି ବୈଠକରେ ଏହି ପ୍ରସଙ୍ଗ ସମେତ ବିଭିନ୍ନ ରାଜନୈତିକ ଓ ସାଂଗଠନିକ ବିଷୟରେ ଆଲୋଚନା ହୋଇଥିଲା। ଏହି ଜଘନ୍ୟ ଘଟଣାର ପ୍ରତିବାଦରେ ଗତ ୨୭ ଅକ୍ଟୋବରରେ ଜଳେଶ୍ୱରବାସୀଙ୍କ ପକ୍ଷରୁ ଡକାଯାଇଥିବା ବନ୍ଦକୁ ସଫଳ କରିଥିବାରୁ ବୈଠକରେ ସେମାନଙ୍କୁ ଅଭିନନ୍ଦନ ଜଣାଯାଇଥିଲା। ବୈଠକରେ ଯୋଗଦେଇ ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ପାଣିଗ୍ରାହୀ ବିଜେପି ସରକାରଙ୍କ ନୀତି ଓ କାର୍ଯ୍ୟଧାରାକୁ ସମାଲୋଚନା କରିଥିଲେ। ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧିତ ଆଇନ, ୨୦୨୬ ବାତିଲ ଦାବିରେ ହୋଇଥିବା ବନ୍ଦକୁ ରାଜ୍ୟବାସୀଙ୍କ ବ୍ୟାପକ ସମର୍ଥନ ମିଳିଥିବା ସେ କହିଥିଲେ।ଏଥିସହିତ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ବାତିଲ, ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ତୁରନ୍ତ ପଦରୁ ହଟାଇବା ଏବଂ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବଦଳରେ ତ୍ରୁଟିମୁକ୍ତ ନୂତନ ପୁସ୍ତକ ଯୋଗାଇବାରେ ବିଫଳତା ପାଇଁ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ଉଠାଯାଇଥିଲା।
ଏସ୍ଆଇଆର୍ ପ୍ରକ୍ରିୟା ବିରୋଧରେ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଯୁବକ, ମହିଳା, ଓକିଲ ଓ ସାମାଜିକ କର୍ମୀମାନଙ୍କ ପକ୍ଷରୁ ରାଜ୍ୟ ତଥା ଦେଶବ୍ୟାପୀ ଆୟୋଜିତ ତ୍ରିରଙ୍ଗା ଯାତ୍ରା ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଥିବା ଏବଂ ଜନଅସନ୍ତୋଷ ବୃଦ୍ଧି ପାଉଥିବା ସେ ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ନଭେମ୍ବର ମାସରେ ବାଲେଶ୍ୱର ଜିଲ୍ଲାର ସମସ୍ତ ବ୍ଲକରେ ବିଶାଳ ଜନଆକ୍ରୋଶ ସମାବେଶ, ବିକ୍ଷୋଭ ଓ ଆଇନ ଅମାନ୍ୟ ଆନ୍ଦୋଳନ ସଂଗଠିତ କରିବାକୁ ସେ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ସମ୍ପାଦକ ଶିଶିର ହୁଇ ବିଗତ ଦିନରେ ଅନୁଷ୍ଠିତ ଆନ୍ଦୋଳନଗୁଡ଼ିକର ସମୀକ୍ଷା ରିପୋର୍ଟ ଉପସ୍ଥାପନ କରିବା ସହ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ନଭେମ୍ବର ୭ ତାରିଖରେ ରୁଷ୍ରେ ଭି.ଆଇ. ଲେନିନଙ୍କ ନେତୃତ୍ୱରେ ସଂଘଟିତ ସମାଜବାଦୀ ବିପ୍ଳବକୁ ସ୍ମରଣ କରି ଜିଲ୍ଲାର ସମସ୍ତ ପାର୍ଟି କାର୍ଯ୍ୟାଳୟରେ ଲାଲ୍ ପତାକା ଉତ୍ତୋଳନ କରିବାକୁ ସେ ଆହ୍ୱାନ ଜଣାଇଥିଲେ।
ଏହା ସହିତ ନଭେମ୍ବର ୬ ଓ ୭ ତାରିଖରେ ଆଞ୍ଚଳିକ ସ୍ତରରେ ପ୍ରସ୍ତୁତି ବୈଠକ କରି ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଓ ପାର୍ଟି ସଭ୍ୟମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରାଯିବ। ନଭେମ୍ବର ୨୭ ତାରିଖ ସୁଦ୍ଧା ପ୍ରତ୍ୟେକ ପରିବାରକୁ ଭେଟି ଦେଶର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ଜନଆକ୍ରୋଶ ସମାବେଶକୁ ସଫଳ କରିବା ପାଇଁ ଜନସମର୍ଥନ ଯୋଗାଡ଼ କରିବାକୁ ସେ କର୍ମୀମାନଙ୍କୁ କହିଥିଲେ। ଅନ୍ୟପକ୍ଷରେ, ଜିଲ୍ଲାର ବିଭିନ୍ନ ଅଞ୍ଚଳର ସମସ୍ୟା ଓ ଦାବିକୁ ନେଇ ଧାନ ଅମଳ ପରେ ଡିସେମ୍ବର ମାସରେ ଏକ ପଦଯାତ୍ରା ଆୟୋଜନ କରାଯିବ। ଏହି ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଜିଲ୍ଲାସ୍ତରୀୟ ଜନସମାବେଶ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିର ହୋଇଥିଲା। ବରିଷ୍ଠ ପାର୍ଟି ନେତା ନିର୍ମଳ ନାୟକ ବୈଠକରେ ଯୋଗଦେଇ ଜିଲ୍ଲାର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ସ୍ଥିତି ଉପରେ ଆଲୋକପାତ କରିବା ସହ ନିର୍ଦ୍ଧାରିତ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ପାଇଁ ସମସ୍ତେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ବିଜୟ କୁମାର ପାତ୍ର, ପ୍ରେମ ରଞ୍ଜନ ପାତ୍ର, ଦୀପ୍ତିମାନ ଆଚାର୍ଯ୍ୟ, ସତ୍ୟଜିତ ଦାସ, ଗୋବିନ୍ଦ ବାରିକ, ରାଜକିଶୋର ଲେଙ୍କା ଓ ଶ୍ୟାମ ସୁନ୍ଦର ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ପ୍ରେମ ରଞ୍ଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।





